ଜଗନ୍ନାଥପ୍ରସାଦ, ୨୯/୦୬(ପିପିଟି) ଡିମିରିପଲ୍ଲି ଆଦିବାସୀ ଗାଁ ଜଙ୍ଗଲର ଶହେରୁ ଉର୍ଦ୍ଧ୍ବ ପୁରାତନ ଶାଗୁଆନ, ପିଆଶାଳ, ଗମ୍ଭାରୀ, ହଳନ୍ତ, ଆମ୍ବ, ପଣସ, ମହୁଳ, ତେନ୍ତୁଳି, ବର, ଅଶ୍ବତଥ ଆଦି ବହୁ ମୂଲ୍ୟବାନ ଗଛ ଓ ହଜାର ରୁ ଉର୍ଦ୍ଧ୍ବ କାଜୁ ଗଛକୁ ଜମି ମାଫିଆ କହ୍ନେଇଲାଲ ହାପାନି ଓ ପୂର୍ଣ୍ଣ ମିଶ୍ର କାଟି ଧରାଶାୟୀ କରିଦେଇଛନ୍ତି । କେତେକ ଗଛ କାଟି ଛାଡି ଦେଇଥିବାରୁ ଧରାଶାୟୀ ହୋଇନଥିଲେ ମଧ୍ୟ ଯେ କୌଣସି ସମୟରେ ଜୀବଜନ୍ତୁ କିମ୍ବା ମଣିଷ ଉପରେ ପଡ଼ି ଜୀବନ ନେଇପାରେ । ଜଳବାୟୁର ପରିବର୍ତ୍ତନ, ଜଙ୍ଗଲ ଧ୍ବଂସକୁ ରୋକି ପରିବେଶର ସୁରକ୍ଷା ପାଇଁ ଚାରା ଆଦି ବହୁ ଯୋଜନାରେ କୋଟି କୋଟି ଟଙ୍କ ଖର୍ଚ୍ଚ ହେଉଥିବା ସମୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ରେ ଏପରି ଜଙ୍ଗଲ କାଟିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବନବିଭାଗ ର ବିନା ଅନୁମତିରେ ନିଜ ବାଡି ବଗିଚାରେ ଥିବା ଶାଳ, ପିଆଶାଳ, ଶାଗୁଆନ ଗଛ କାଟିବା ପାଇଁ ଥିଲା ବେଳେ ଗୋଚର ଓ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ଜଙ୍ଗଲର ଶହ ଶହ ସଂଖ୍ୟାରେ ଗଛ କିପରି କରାଯାଇଛି ! କଟା ଯାଇଥିବା ଗଛକୁ ଦେଖିଲେ ଅନୁମାନ କରି ହେଉଛି ଯେ ଗତ ୧୫ ଦିନ ତଳେ ଗଛ କଟାଯାଇଛି । ତାହେଲେ ବନ ବିଭାଗ କିପରି ଜଙ୍ଗଲ ର ସୁରକ୍ଷା ନେଉଛନ୍ତି ତାହା ପ୍ରଶ୍ନବାଚୀ ?ଗତ ୨୬ ତାରିଖରେ ଜଙ୍ଗଲ କଟାଯାଇଥିବା ଡିମିରିପଲ୍ଲି ଗ୍ରାମବାସୀଙ୍କ ପକ୍ଷରୁ ଫୋଟୋ ମାଧ୍ୟମରେ ବନ ବିଭାଗ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ବନ ବିଭାଗ ଓ ରାଜସ୍ବ ବିଭାଗ ତତ୍ପରତା ପ୍ରକାଶ କରି ଗତ ତିନି ଦିନ ଧରି ଆସି ଦେଖି ଯାଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ କିଛି ନାହିଁ । ଆଜି ଜଗନ୍ନାଥ ପ୍ରସାଦ ତହସିଲଦାର ଆସି ଏ ବିଧ୍ବସଂ ଲୀଳା ଦେଖି ଯାଇଛନ୍ତି । ଏହି ଆଦିବାସୀ ଓ ଦଳିତ ଅଧ୍ୟୁଷିତ ଅଞ୍ଚଳର ଗୋଚର, ଜଙ୍ଗଲ ଜମି ଓ ସରକାରୀ ଜମିକୁ ହଡପ କରି ଜମି ବେପାର ଚଳାଇଥିବା କହ୍ନେଇଲାଲ ହାପାନି ଓ ପୂର୍ଣ୍ଣ ମିଶ୍ର ଆଦିବାସୀଙ୍କୁ ସର୍ବସ୍ବାନ୍ତ କରିବା ପାଇଁ ଏହି ଜଙ୍ଗଲ କାଟି ଧରାଶାୟୀ କରାଯାଇଛି। ଏହି ଜଙ୍ଗଲ କାଟି ଥିବା ମାଫିଆମାନେ ଜଙ୍ଗଲ ଆଇନ, ପରିବେଶ ସୁରକ୍ଷା ଆଇନ ଓ ଆଦିବାସୀଙ୍କ ଅଧିକାର ଆଇନ କୁ ଖୋଲାଖୋଲି ଉଲଂଘନ କରିଛନ୍ତି । ଏମାନଙ୍କୁ ତୁରନ୍ତ ଗିରଫ କରିବା ସହ ଡିମରିପଲ୍ଲି ଆଦିବାସୀ ଗ୍ରାମ୍ୟ କମିଟି ହାତରେ ଜଙ୍ଗଲର ସୁରକ୍ଷା ଦାୟିତ୍ବ ନ୍ୟସ୍ତ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି । ଜିଲ୍ଲା ପ୍ରଶାସନ ଧର୍ମକୁ ଆଖି ଠାର ନୀତି ବଦଳରେଆଦିବାସୀଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ସେଠାରେ ବିଭିନ୍ନ ଫଳ ଗଛ ମନରେଗା ଯୋଜନାରେ ଲଗାଇ ଆର୍ଥିକ ଉନ୍ନତି ଓ ଜଙ୍ଗଲ ସୁରକ୍ଷା ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ ଦାବି ଉପସ୍ଥାପନ କରିଛନ୍ତି । ଏଠାରେ ଗ୍ରାମବାସୀଙ୍କ ସହ ଆଦିବାସୀ ଭାରତ ମହାସଭାର ଜିଲ୍ଲା ସଭାପତି ପୂର୍ଣଚନ୍ଦ୍ର ପ୍ରଧାନ, ରାଜ୍ୟ ଆବାହକ ଟୁନା ମଲ୍ଲିକ, ମହିଳା ନେତ୍ରୀ ସନ୍ଧ୍ୟା ରାଣୀ ପ୍ରଧାନ, ରୁନୁ ପ୍ରଧାନ, ବ୍ଳକ କମିଟି ନେତା କାର୍ତ୍ତିକ ପ୍ରଧାନ, କେନ୍ଦ୍ରୀୟ ସଭାପତି ତ୍ରିନାଥ ମଲ୍ଲିକ ଆଦି ଉପସ୍ଥିତ ଥିଲେ ।