ଉଲୁଣ୍ଡା,୦୫/୧୨(ପିପିଟି): ପ୍ରାୟ ତିନି ଦିନ ହେବ ସାମାନ୍ୟ ବର୍ଷା ଓ କୋହଲା ପାଗ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଚାଷୀଙ୍କ ନିଦ ହଜାଇ ଦେଇଛି । ଆସନ୍ତା ୨ ଦିନରେ ପ୍ରବଳ ବର୍ଷା ଓ ପବନ ହେବାର ପାଣିପାଗ ବିଭାଗ ସୂଚନା ଦେଇଥିବା ବେଳେ ଅଦ୍ୟାବଧି ହଜାର ହଜାର ହେକ୍ଟର ଧାନ ଜମିରେ ପାଚିଲା ଫସଲ ଓ ଅଣଧାନ ଜମିର ପରିବା, ତୈଳଜାତୀୟ, ମସଲା, ଡାଲି ଇତ୍ୟାଦି ଚାଷର କ୍ଷତି ଆଶଙ୍କାରେ ଚାଷୀକୂଳ ମୁଣ୍ଡରେ ହାତମାରି ବସିଛନ୍ତି । ତଥାପି କିଛି ଜମିର ଧାନକଟା ସରିଥିବା ବେଳେ ପ୍ରାୟ ହଜାର ହଜାର ହେକ୍ଟର ଜମିରେ ପାଚିଲା ଧାନ ବିଲରେ ରହିଛି । ବର୍ତ୍ତମାନ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକରେ ପରିବାଚାଷ ତଥା ବାଇଗଣ, ବିଲାତି, କାଂକଡ, ପୋଟଳ, ଭେଣ୍ଡି, ବନ୍ଧା କୋବି, ଫୁଲ କୋବି, ଝୁଡଙ୍ଗ, ଲଙ୍କା, ଶାଗ, ମୁଗ, ବିରି, ରାଇ, ସୋରିଷ, ସୂର୍ଯ୍ୟମୂଖୀ, ଚିନାବାଦାମ, ଆଳୁ, ପିଆଜ ଚାଷ ହେଉଥିବାବେଳେ ଏବେ କୋହଲା ପାଗ ଯୋଗୁଁ ରୋଗପୋକ ଲାଗିବାର ଅଧିକ ସମ୍ଭାବନା ଦେଖାଦେଇଛି । ଏବେ ଏହି ଚାଷ ଅମଳ ହେଉଥିବା ବେଳେ ଡାଲି ଓ ଚିନାବାଦାମ ମଞ୍ଜି ବୁଣା ସରିଥିବା ଦେଖାଯାଇଛି । ତେବେ କାଲି ଓ ଆଜି ଦିନ ତମାମ ସାମାନ୍ୟ ବର୍ଷା ହେଉଥିବା ବେଳେ ୬ ତାରିଖ ଯାଏ ଏ ଅଞ୍ଚଳରେ ବର୍ଷା ଲାଗି ରହିବ ବୋଲି ସୂଚନା ମିଳିଛି । ବିଲରେ ପାଚିଲାଧାନ ଓ ଅଣଧାନ ଚାଷ ରହିଥିବାରୁ ସେଗୁଡିକ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା କରିଥିବାରୁ ବହୁ ଚାଷୀ ପରିବାର ଚିନ୍ତାରେ ଭାଙ୍ଗି ପଡିଛନ୍ତି । ଏଥି ପ୍ରତି ସରକାର ଦୃଷ୍ଟିଦେଇ କ୍ଷୟକ୍ଷତିର ଆକଳନ କରାଯାଇ ଉପଯୁକ୍ତ କ୍ଷତିପୂରଣ ଦିଆଗଲେ ଚାଷିକୂଳ ଉପକୃତ ହୋଇପାରନ୍ତେ ବୋଲି ଚାଷି ମହଲ ରେ ଦାବି ହେଉଛି ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)