ଜୀବନ ଯୁଦ୍ଧରେ ହାରି ଗଲେ ଉପ-ବାଚସ୍ପତି ପ୍ରହ୍ଲାଦ ଦୋରା ।

0 709

ମାଲକାନଗିରି,ତା:୨୦/୧୦(ପିପିଟି): ପୂର୍ବତନ ଉପ-ବାଚସ୍ପତି ପ୍ରହ୍ଲାଦ ଦୋରା ମୂର୍ମୁଷୁ ଅବସ୍ଥାରେ ଗତ ତା:୧୦.୮.୨୦୨୧ ରୁ ଭୁବନେଶ୍ବର ଏମ୍ସ ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇ ଆସୁଥିବା ବେଳେ ଆଜି ସନ୍ଧ୍ଯା ୫ଟା ସମୟରେ ସେ ଜୀବନ ଯୁଦ୍ଧରେ ହାରିଗଲେ । ତାଙ୍କ ପେଟରେ ଏକ ଟ୍ଯୁମର ବାହାରି ଥିବା ବେଳେ ଅସହ୍ଯ ଯନ୍ତ୍ରଣା ଅନୁଭବ କରୁଥିଲେ । ସେ କୌଣସି ଖାଦ୍ଯ ଗ୍ରହଣ କରି ପାରୁନଥିଲେ। ତାଙ୍କୁ କିଛି ଦିନ ପରେ ଡାକ୍ତରମାନେ ଅପରେସନ କରିବେ ବୋଲି କହିଥିଲେ ମଧ୍ଯ ଉକ୍ତ ଟ୍ଯୁମରକୁ ଅସ୍ତ୍ରୋପଚାର କରିନଥିଲେ । ସେ ୨ ମାସ ୨୦ ଦିନ ହସପିଟାଲରେ ଶଯ୍ଯାଶାୟୀ ଥିଲେ । ତାଙ୍କ ଦେହାନ୍ତ ଖବର ଶୁଣିଲା ପରେ ସମଗ୍ର ମାଲକାନଗିରି ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି । ସ୍ବର୍ଗତ ପ୍ରହ୍ଲାଦ ଦୋରା ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ପାଙ୍ଗାମ ଗ୍ରାମରେ ୧୮ ସେପ୍ଟେମ୍ବର ୧୯୪୬ ମସିହାରେ ଏକ ଆଦିବାସୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ବିଏ ଏଲଏଲବି ପାଶ କଲା ପରେ ଓକିଲାତି ପେଶାକୁ ଆପଣେଇଥିଲେ । ୧୯୭୧ ମସିହାରେ ଶ୍ରୀ ଦୋରା ଉତ୍କଳ କଂଗ୍ରେସରେ ଯୋଗ ଦେଇ ମାଲକାନଗିରି ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥି ଭାବେ ନିର୍ବାଚନ ଲଢିଥିଲେ । ୧୯୭୭ ମସିହାରେ ଚିତ୍ରକୋଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ପଟ୍ଟନାୟକଙ୍କ ଜନତା ଦଳରୁ ଟିକେଟ ପାଇ ବିଜୟ ଲାଭ କରିଥିଲେ । ସେ ୧୯୯୦ରେ ପୁନଶ୍ଚ ଜନତା ଦଳରୁ ବିଜୟ ଲାଭ କରିଥିଲା ବେଳେ ୨୦୦୪ରେ ବିଡେଡି ଟିକେଟରେ ଚିତ୍ରକୋଣ୍ଡାରୁ ବିଧାୟକ ଭାବେ ଜୟଯୁକ୍ତ ହୋଇଥିଲେ । ଉପ-ବାଚସ୍ପତି ଭାବେ ୨୦.୦୩.୧୯୯୦ ରୁ ୧୫.୦୩.୧୯୯୫ ଏବଂ ୦୩.୦୭.୨୦୦୪ ରୁ ୦୩.୦୭.୨୦୦୯ ପର୍ଯ୍ଯନ୍ତ ରହିଥିଲେ। ଶ୍ରୀ ଦୋରା ବିଜୁବାବୁଙ୍କ ମୁଖ୍ଯମନ୍ତ୍ରୀତ୍ବ କାଳରେ ଏବଂ ନବୀନବାବୁଙ୍କ ମୁଖ୍ଯ ମନ୍ତ୍ରୀତ୍ବ କାଳରେ ଦୁଇ ଥର ଲେଖାଏଁ ଉପ-ବାଚସ୍ପତି ହେବାର ସୌଭାଗ୍ଯ ଅର୍ଜ୍ଜନ କରିଥିଲେ । ଶ୍ରୀ ଦୋରା ଜଣେ ସଚ୍ଚା ବିଜୁ ପ୍ରେମୀ ଅଟନ୍ତି । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସଦାସର୍ବଦା ନିର୍ଭିକ ଏବଂ ସଚ୍ଚୋଟ ସ୍ବଭାବକୁ ଅଦ୍ଯାବଧି ଅକ୍ଷୁର୍ଣ୍ଣ ରଖିଛନ୍ତି ।କିଏ ଧନ ପଛରେ ଗୋଡାଏତ କିଏ ଜ୍ଞାନ ପଛରେ ଗୋଡାଏ । କିନ୍ତୁ ଶ୍ରୀ ଦୋରା ସମଗ୍ର ଜୀବନ ଜ୍ଞାନ ପିପାସୁ ଅଟନ୍ତି ।ଖବର କାଗଜ,ମେଗାଜିନ ପଢିବା ତାଙ୍କର ଅଭିରୁଚି । ସେ ଜଣେ ସାହିତ୍ଯପ୍ରେମୀ ଏବଂ ସୁବକ୍ତା ମଧ୍ଯ । ମାଲକାନଗିରି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଲାଗି ସର୍ବଦା ସଂର୍ଘଷ କରିଆସିଛନ୍ତି । ସେ ଜଣେ ବିଜ୍ଞ ବ୍ଯକ୍ତି ହେତୁ ମାଲକାନଗିରି ଜିଲ୍ଲାର ଶିକ୍ଷାର ବିକାଶ ଲାଗି ତତ୍ପରତା ଦେଖାଇ ନିଜ ଉଦ୍ଯମରେ ପାଙ୍ଗାମ ଠାରେ ହାତୀ ରାମ ଗୁରୁ ଉଚ୍ଚ ବିଦ୍ଯାଳୟ ଏବଂ ଗୋବିନ୍ଦ ପାଲ୍ଲୀ ଠାରେ ବିଜୁ ପଟ୍ଟନାୟକ ମହାବିଦ୍ଯାଳୟ ପ୍ରତିଷ୍ଠା କରିଛନ୍ତି । ବିଭିନ୍ନ ପଞ୍ଚାୟକ ଏବଂ ବ୍ଲକ ଗୁଡିକରେ ସ୍କୁଲ କଲେଜ ପ୍ରତିଷ୍ଠା ଲାଗି ରାଜ୍ଯ ସରକାରଙ୍କୁ ଚାପପ୍ରୟୋଗ କରି କାର୍ଯ୍ଯ କରିବାରେ ସିଦ୍ଧହସ୍ତ ଥିଲେ । ମାଲକାନଗିରିକୁ ସବ-ଡିଭିଜନରୁ ଜିଲ୍ଲାର ମାନ୍ଯତା ଦେବା ପାଇଁ ମୁଖ୍ଯମନ୍ତ୍ରୀ ବିଜୁବାବୁଙ୍କୁ ଦାବି ଉପସ୍ଥାପନ କରିବାରେ ଶ୍ରୀ ଦୋରାଙ୍କ
ମୁଖ୍ଯ ଭୂମିକା ରହିଛି,ଯାହାକି ମାଲକାନଗିରି ଇତିହାସରେ ଏକ କର୍ତ୍ତବ୍ଯନିଷ୍ଠ ନେତା ଭାବେ ପ୍ରହ୍ଲାଦ ଦୋରାଙ୍କ କୀର୍ତ୍ତି ରାଜି ଜନମାନସରେ ଚିରଦିନ ପାଇଁ ଜାଜୁଲ୍ଯମାନ ରହିବେ।ତାଙ୍କ ହୃଦୟରେ ଗରିବ,ଆଦିବାସୀ, ଦଳିତମାନଙ୍କ ଉତ୍ଥାନ ପାଇଁ ଅହରହ ଆନ୍ଦୋଳିତ ହେଉଥିବା ସମସ୍ତ ମାଲକାନଗିରିବାସୀ ଜାଣନ୍ତି । ଜନତାଙ୍କ ନ୍ଯାଯ୍ଯ ଦାବି ପାଇଁ ଦଳମତ ନିର୍ବିଶେଷରେ ଖୋଜା ପଡେ ସେହି ମହାନୁଭବ ପ୍ରହ୍ଲାଦ ଦୋରଙ୍କୁ । ପ୍ରଶାସନ ଅଧିକାରୀମାନଙ୍କ ଠାରୁ କିପରି ଜନସାଧରଣଙ୍କୁ ସେବା ଯୋଗାଇ ଦେବେ,ସେ ସେଥି ପାଇଁ ପ୍ରତି ମୂହିର୍ତ୍ତରେ ଅଣ୍ଟାଭିଡନ୍ତି ବିନା ସ୍ବାର୍ଥରେ । ଆଜିତ ସବୁଠି ସ୍ବର୍ଥ ଜଡିତ,ଦୁର୍ନୀତିଗ୍ରସ୍ଥ ନେତା ମାଳମାଳ,ମାତ୍ର ଏମିତି ହୃଦୟ ନିର୍ମଳ ତଥା ପରୋପକାରୀ ନେତା ଆଜିକାଲିକା ସମୟରେ ମିଳିବା ଦୁଷ୍ପପ୍ରାପ୍ଯ କହିଲେ ଅତ୍ଯୁକ୍ତି ହେବ ନାହିଁ । ସେ ମାଲକାନଗିରି ଜିଲ୍ଲାର ଗର୍ବ ଏବଂ ଗୌରବ । ଆଜି ତାଙ୍କର ପରଲୋକଗତ ଖବର ପ୍ରଚାର ହେବା ପରେ ମାଲକାନଗିରି ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.