ଜମିଜମାକୁ କେନ୍ଦ୍ର କରି ବୃଦ୍ଧଙ୍କୁ ହତ୍ୟା ।

0 546

ବେଲଗୁଣ୍ଠ।, ୦୫/୦୮(ପିପିଟି); ଜମିଜମାକୁ କେନ୍ଦ୍ର କରି ୭୦ ବର୍ଷୀୟ ଜଣେ ବୃଦ୍ଧ ଚାଷୀଙ୍କୁ ଜମି ହିଡ଼ରେ ହତ୍ୟା କରିଥିବା ନେଇ ଗୋଟିଏ ପରିବାରର ୪ ଜଣଙ୍କ ନାମରେ ଥାନାରେ ଏତଲା ଦେଇଥିବା ଜଣା ପଡିଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିବା ବେଳେ ପୋଲିସ୍ ପହଞ୍ଚି ଶବକୁ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ କରିବା ପାଇଁ ଆସ୍କା ପଠାଇଦେଇଛି । ଘଟଣାରୁ ଜଣା ପଡ଼ିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ପଞ୍ଚାୟତର ମାଳତୀ ଗ୍ରାମର ଦୁର୍ଯ୍ୟୋଧନ ନାୟକ (୭୦) ଗତ ୨ ବର୍ଷ ତଳେ ଜମିରେ ଚାଷ କରିବା ପାଇଁ ପାଖରେ ଟଙ୍କା ନଥିବାରୁ ନିକଟସ୍ଥ କେଶରାପଲ୍ଲୀ ଗ୍ରାମର ଶମ୍ଭୁ ବିଷୋୟୀଙ୍କୁ ଗୋଟିଏ ଜମି ବନ୍ଧକ ଭାବେ ଦେଇ ତାଙ୍କ ଠାରୁ ୪୦୦୦ ଟଙ୍କା କରଜ ଆଣିଥିଲେ । ଗତ କିଛିଦିନ ତଳେ ମୂଳ ଓ ସୁଧ ମିଶାଇ ୯୦୦୦ ଟଙ୍କା ଦୁର୍ଯ୍ୟୋଧନ ଶମ୍ଭୂକୁ ପୈଠ କରିଥିଲେ କିନ୍ତୁ ଶମ୍ଭୁ ଦୁର୍ଯ୍ୟୋଧନ ଠାରୁ ଟଙ୍କା ପାଇବା ପରେ ମଧ୍ୟ ଦୁର୍ଯ୍ୟୋଧନର ଜମିକୁ ଛାଡି ନଥିଲା । ଶମ୍ଭୁ ସେହି ଜମିରେ ଟଙ୍କା ପାଇବା ପରେ ମଧ୍ଯ ହଳ କରିବାରୁ ଦୁର୍ଯ୍ୟୋଧନ ଏହାର ପ୍ରତିବାଦ କରିବା ସହ ଥାନାର ଦ୍ଵାରସ୍ଥ ହୋଇ ପୁଲିସର ସହଯୋଗ ଲୋଡିଥିଲେ ମଧ୍ୟ କୌଣସି ସହାୟତା ପାଇନଥିଲା । ଆଜି ସକାଳ ୭ ଘଣ୍ଟ ସମୟରେ ଶମ୍ଭୁ ବିଷୋୟୀ, ତାର ପୁଅ ଜିତେନ୍ଦ୍ର, ସ୍ତ୍ରୀ ଓ ଝିଅ ସମସ୍ତେ ମିଶି ସେହି ବିବାଦୀୟ ଜମିକୁ ଧାନ ରୋଇବାପାଇଁ ଯାଇଥିଲେ । ଖବର ପାଇ ଦୁର୍ଯ୍ୟୋଧନ ଜମିକୁ ଯାଇ ଟଙ୍କା ଫେରସ୍ତ ଦେଇ ଦେଇଥିବାରୁ ଜମିରେ ଧାନ ନ ରୋଇବା ପାଇଁ ପ୍ରତିବାଦ କରିଥିଲେ । ଏଥିରେ ରାଗିଯାଇ ଶମ୍ଭୂର ପୁଅ ଜିତେନ୍ଦ୍ର ଧରି ଥିବା କୋଡିରେ ଦୁର୍ଯ୍ୟୋଧନର ମୁଣ୍ଡକୁ ପ୍ରହାର ପକାଇଥିଲା । ପରେ ଉଭୟ ବାପା ପୁଅ ଦୁର୍ଯ୍ୟୋଧନକୁ ମାଡ଼ ମାରିଥିବା ବେଳେ ଦୁର୍ଯ୍ୟୋଧନର ପୁଅ ତ୍ରିଲୋଚନ ଗ୍ରାମ ବାସୀଙ୍କ ସହ ସେଠାରେ ପହଞ୍ଚିଯିବାରୁ ଶମ୍ଭୂର ପରିବାର ଘଟଣା ସ୍ଥଳରୁ ଚାଲି ଯାଇଥିଲେ । ସେତେବେଳକୁ ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ଘଟିଥିଲା । ଏ ନେଇ ଦୁର୍ଯ୍ୟୋଧନର ପୁଅ ତ୍ରିଲୋଚନ ଗାଙ୍ଗପୁର ଥାନାରେ ଶମ୍ଭୂ, ତାର ପୁଅ ଜିତେନ୍ଦ୍ର, ସ୍ତ୍ରୀ ଏବଂ ଝିଅ ନାମରେ ଅଭିଯୋଗ ଦେଇଥିଲେ । ପୂର୍ବରୁ ଶମ୍ଭୂର ପୁଅ ଜିତେନ୍ଦ୍ର ଦୁଇ ଥର ଆକ୍ରମଣ ଉଦ୍ୟମ କରିଥିଲା । ଏ ନେଇ ତ୍ରିଲୋଚନ ଗାଙ୍ଗପୁର ଦୁଇଥର ଥାନାର ଦ୍ବାରସ୍ଥ ହେଇଥିଲେ ମଧ୍ଯ ପୁଲିସ ସହଯୋଗ କରିନଥିଲା । ସେହି ସମୟରେ ପୁଲିସ ଯଦି ଉଚିତ୍ ପଦକ୍ଷେପ ନେଇଥାନ୍ତା ମୋ ବାପା ଆଜି ବଞ୍ଚିଥାନ୍ତେ ବୋଲି ତ୍ରିଲୋଚନ ସାମ୍ବାଦିକମାନଙ୍କ ସାମ୍ନାରେ ପ୍ରକାଶ କରିଛି । ଶବ ବ୍ୟବଚ୍ଛେଦ ପରେ ତାର ପରିବାରକୁ ହସ୍ତାନ୍ତର କରାଯାଇଥିବା ଜଣା ପଡ଼ିଛି । ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.