ଚାହିଦା କମିଛି;ତଥାପି ଚଳଚଞ୍ଚଳ ମାଟି ଦୀପ କାରିଗର ।

0 280

ବେଲଗୁଣ୍ଠା,୦୧/୧୧(ପିପିଟି):ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ। ମାଟି ଦୀପ ତିଆରି ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି କୁମ୍ଭାର ଶ୍ରେଣୀର ଲୋକେ । ଲକ୍ଷାଧିକ ଟଙ୍କାର ଦୀପାଳି ତିଆରି କରି ଗଛିତ ରଖିଛନ୍ତି। କିନ୍ତୁ ମାଟି ଦୀପର ଚାହିଦା କମିଥିବାରୁ ବ୍ୟବସାୟ ମାନ୍ଦା ପଡିଥିବା ଦେଖିବାକୁ ମିଳିଛି। କିଏ ଦୀପାଳି ତିଆରି କରୁଛି ତ କିଏ ବିକ୍ରି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଛୋଟରୁ ବଡ଼ ସମସ୍ତ ପ୍ରକାର ଦୀପାଳି ମାଟିରେ ପ୍ରସ୍ତୁତି ଖରାରେ ଶୁଖାଯାଇଛି। ଏ ଦୃଶ୍ୟ ହେଉଛି ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ନେଟଙ୍ଗା ଗ୍ରାମର।ଏଠାରେ ୧୦୦ରୁ ଅଧିକ କୁମ୍ଭାର ପରିବାର ରହୁଛନ୍ତି।ଏମାନେ କାହିଁ କେତେ ବର୍ଷରୁ ମାଟିରେ ତିଆରି ବିଭିନ୍ନ ସାମଗ୍ରୀ ତିଆରି କରି ବିକ୍ରି କରିଆସୁଛନ୍ତି। ସେଥିରେ ଯାହା ରୋଜଗାର ହୁଏ ପରିବାର ଚାଲେ। କିନ୍ତୁ ଏବେ ଆଧୁନିକ ଯୁଗରେ ମାଟି ସାମଗ୍ରୀର ଚାହିଦା କମିଥିବାରୁ ଅନେକ ପରିବାର ନିଜ କୁଳ ବେଉସା ଛାଡ଼ି ଅନ୍ୟ ପନ୍ଥା ଆପଣେଇ ଲେଣି ।ଏବେବି ୨୦ ରୁ ଅଧିକ ପରିବାର କୁଳ ବେଉସା କୁ ବଞ୍ଚାଇ ରଖିଛନ୍ତି। ଗ୍ରାମର ବୟସ୍କ ଲୋକେ ମାଟି କାମ ପ୍ରତି ଆଗ୍ରହ ଥିବା ବେଳେ ପିଲାମାନେ କାମ କରିବାକୁ ଆଗ୍ରହ ଦେଖାଉନାହାଁନ୍ତି । ପ୍ରଥମେ ଜମିରୁ ମାଟି ସଂଗ୍ରହ କରି ତାକୁ ଚକଟିବା ପରେ ସେହି ମାଟିକୁ ଭିନ୍ନ ଭିନ୍ନ ରୂପ ଦେଇ ସେଥିରୁ ସରା, କଳସ, କୁମ୍ଭ,ହାଣ୍ଡି,ରୁଖା, ଦୀପାଳି ଭଳି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଖରାରେ ଶୁଖାଇଥାନ୍ତି। ପରେ ତାହାକୁ ନିଆଁରେ ତିନିଦିନ ଯାଏଁ ପୋଡ଼ିବା ପରେ ତାହାକୁ ବିକ୍ରି କରିବାକୁ ବଜାରକୁ ନେଇଥାନ୍ତି।
କିନ୍ତୁ ବଜାରରେ ଆଗଭଳି ମାଟି ତିଆରି ସାମଗ୍ରୀର ଚାହିଦା ନଥିବାରୁ ବ୍ୟବସାୟ ମାନ୍ଦା ପଡିଥିବା କହିଛନ୍ତି କାରିଗର।
ମାଟି ତିଆରି ଉପକରଣ ପାଇଁ ଆବଶ୍ୟକ ପଡୁଥିବା କଞ୍ଚାମାଲ ଏବେ ମିଳିବା କଷ୍ଟକର ହୋଇପଡୁଛି। ପାଳ, କାଠ, ମାଟିର ଦର ବଢ଼ୁଥିବାରୁ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ ମିଳୁଛି।ସେଥିଲାଗି ଅନେକ ପରିବାର କୁଳ ବେଉସାକୁ ଛାଡି ବାହାର ରାଜ୍ୟକୁ କାମ କରିବାକୁ ଚାଲି ଯାଉଛନ୍ତି। ମାଟି ଦୀପ ତୁଳନାରେ ଏବେ ପ୍ଲାଷ୍ଟିକ ଦୀପର ଚାହିଦା ବଜାରରେ ଅଧିକ ରହୁଥିବାରୁ ବିକ୍ରି ମାନ୍ଦା ପଡୁଛି। ଆଗରୁ ଏଠାରୁ ବିଭିନ୍ନ ଅଞ୍ଚଳକୁ ମାଟି ସାମଗ୍ରୀ ବିକ୍ରି ପାଇଁ ଯାଉଥିଲା କିନ୍ତୁ ଏବେ ସେହି ବ୍ୟବସାୟ ନାହିଁ। ଲୋକଙ୍କ ଚାହିଦା ଓ ସରକାରୀ ପ୍ରୋତ୍ସାହନ ନଥିବାରୁ ଧୀରେ ଧୀରେ ଏହି ବ୍ୟବସାୟ କମି ଯିବ ବୋଲି କହିଛନ୍ତି କୁମ୍ଭକାର। ଯଦି ସରକାରଙ୍କ ତରଫରୁ କିଛି ସାହାଯ୍ୟ ହୁଅନ୍ତା ତେବେ ଏହି ବ୍ୟବସାୟ ଆଗକୁ ବଞ୍ଚି ରହିବ ବୋଲି କହିଛନ୍ତି ଏଠାକାର କାରିଗର।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.