ଚାଷୀଙ୍କୁ ମିଳୁନି ଆବଶ୍ୟକ ୟୁରିଆ ସାର, କଳାବଜାରର ଶିକାର ହେଉଛନ୍ତି ଚାଷୀ ।

0 126

ବେଲଗୁଣ୍ଠା,୨୫/୦୮(ପିପିଟି); ଚାଷୀଙ୍କ ମଧ୍ୟରେ ସାର ପାଇଁ ଚାଲିଛି ଲଢ଼େଇ I ଆବଶ୍ୟକ ସାର ସରକାର ଯୋଗାଇ ଦେଉ ନଥିବାରୁ ଚାଷୀମାନେ ୨୭୫ ଟଙ୍କା ବଦଳରେ ବସ୍ତା ପିଛା ୫୦୦ ରୁ ୬୦୦ ଟଙ୍କା ଦେଇ କଳାବଜାରୀ ପାଖରୁ ୟୁରିଆ ସାର କିଣିବାକୁ ବାଧ୍ୟ ହେଉଛନ୍ତି । ବର୍ତ୍ତମାନ ଧାନ ରୁଆ ସରିବା ପରେ ଧାନ ଗଛ ହୃଷ୍ଟପୁଷ୍ଟ ହୋଇ ମୋକା ଧରିବା ପାଇଁ ୟୁରିଆ ସାରର ଆବଶ୍ୟକ ରହିଛି । ବର୍ତ୍ତମାନ ସରକାର ସେବା ସମବାୟ ସମିତି ଜରିଆରେ ସାର ଯୋଗାଇ ଦେଉଛନ୍ତି । କିନ୍ତୁ ଆବଶ୍ୟକ ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ଦିଆ ଯାଉନଥିବାରୁ ସାର ଗାଡ଼ି ଶହ ଶହ ଚାଷୀ ସାମାଜିକ ଦୂରତାକୁ ଫୁ କରି ଏକତ୍ରିତ ହୋଇ ସାର ନେବା ପାଇଁ ଲଢ଼େଇ କରୁଛନ୍ତି । ଯାହା ଦ୍ଵାରା କୋଭିଡ-୧୯ ନିୟମକୁ ଉଲ୍ଲଂଘନ କରିବା ସହ ନିଜକୁ ବିପଦ ମୁଖକୁ ଟାଣି ନେଉଛନ୍ତି । ଯାହାର ଉଦାହରଣ ଦେଖିବାକୁ ମିଳିଛି ବେଲଗୁଣ୍ଠI ବ୍ଲକ୍ ଅନ୍ତର୍ଗତ ବଡ଼ ବୋର୍ସିଂ ପଞ୍ଚାୟତରେ । ଆଜି ବଡ଼ ବୋର୍ସିଂ ସେବା ସମବାୟ ସମିତି ଦ୍ଵାରା ସାର ଯୋଗାଇ ଦିଆଯାଉଥିବା ପ୍ରଚାରିତ ହେବା ପରେ ପାଖାପାଖି ହଜାରେ ଚାଷୀ ସାର ନେବା ପାଇଁ ଏକତ୍ରିତ ହୋଇଥିଲେ । ଧୀରେ ଧୀରେ ସାର ଦେଉଥିବା ସମୟରେ ବିଶୃଙ୍ଖଳା ବଢିବାରୁ ସମିତିର ସମ୍ପାଦକ ବେଣୁ ଗୋପାଳ ଭୁୟାଁ ସାର ଦେବା ବନ୍ଦ କରି ପୋଲିସ୍ ର ହସ୍ତକ୍ଷେପ ଲୋଡିଥିଲେ । ପରେ ପୁଲିସ ଉପସ୍ଥିତିରେ ଚାଷୀଙ୍କୁ ସାର ବଣ୍ଟନ କରାଯାଇଥିଲା । ପର୍ଯ୍ୟାପ୍ତ ପରିମାଣର ସାର ଆସୁନଥିବାରୁ ସୋସାଇଟରୁ ଯେଉଁ ମାନେ କୃଷି ଋଣ ନେଇଛନ୍ତି ସେମାନଙ୍କୁ ହିଁ ସାର ଯୋଗାଇ ଦିଆଯାଇଥିଲା । ସୋସାଇଟରୁ ଋଣ ନେଇ ନଥିବା ଚାଷୀ ମାନେ ସାର ନପାଇ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଥିଲା । ସେହିପରି ଗୋବରା ସେବା ସମବାୟ ସମିତିରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା । ଗୋବରା ସେବା ସମବାୟ ସମିତି ଅଧିନରେ ଗୋବରା ଏବଂ ବେଣୀପଲ୍ଲୀ ଦୁଇଟି ପଞ୍ଚାୟତ ଆସୁଥିବାରୁ ପଞ୍ଚାୟତ ଦୁଇଟି ପାଇଁ ୮୫୦ ବସ୍ତା ସାର ଆବଶ୍ୟକ ଥିବା ବେଳେ ମାତ୍ର ୨୦୦ ବସ୍ତା ସାର ଆସିଥିଲା, ଯାହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଏଣୁ ସରକାର ଚାଷୀମାନଙ୍କୁ ତୁରନ୍ତ ଆବଶ୍ୟକ ପରିମାଣର ସାର ଯୋଗାଇ ଦେବା ପାଇଁ ବିଭିନ୍ନ ଚାଷୀ ସଂଗଠନ ଦାବି କରିଛନ୍ତି । ଏ ଦିଗରେ ଯଦି ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇପାରନ୍ତି ବୋଲି ମଧ୍ୟ ଅଞ୍ଚଳରେ ଅଲୋଚନା ହେଉଛି । ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.