ଗଞ୍ଜାମରେ ସମୂହ ସ୍ବାସ୍ଥ୍ୟ ଯାଞ୍ଚ କରାଯିବ – ଜିଲ୍ଲାପାଳ

0 116

ଛତ୍ରପୁର, ତା.୮.୪ କରୋନା ସଂକ୍ରମଣ ଆଶଙ୍କାକୁ ପ୍ରତିହତ କରିବାପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ଯାଞ୍ଚ  କରାଯିବ । ଏଥି୍ପାଇଁ ପ୍ରତ୍ୟେକ ଗ୍ରାମରେ ଓ ସହରାଞ୍ଚଳର ପ୍ରତ୍ୟେକ ସାହିରେ ନିର୍ଦ୍ଦିଷ୍ଟ ଟିମ୍  ଘରଘର ବୁଲି ଖବର ସଂଗ୍ରହ କରିବେ । ସ୍ଥାନୀୟ ଅଙ୍ଗନଓ୍ବାଡି କର୍ମୀ, ଆଶାକର୍ମୀ, ନିକଟସ୍ଥ ବିଦ୍ୟାଳୟର ଶିକ୍ଷକ ଓ ସ୍ଥାନୀୟ ସ୍ବାସ୍ଥ୍ୟ ସୁପରଭାଇଜରଙ୍କୁ ନେଇ ଟିମ୍ ଗଠନ କରାଯିବ  । ନିର୍ଦ୍ଦିଷ୍ଟ ଫର୍ମ ରେ ଉକ୍ତ ପରିବାରର ସଦସ୍ୟଙ୍କ ନାମ, ଟେଲିଫୋନ୍ ନମ୍ବର ଏବଂ ଯଦିକିଛି ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡିତ ଅଛନ୍ତି ତାହା ଉଲ୍ଲେଖ ରହିବ  । ପରିବାର ସଦସ୍ୟଙ୍କ ବିଭିନ୍ନ ସ୍ଥାନକୁ ଗନ୍ତବ୍ୟ ତଥ୍ୟ ସଂଗ୍ରହ କରାଯିବ  । ଥଣ୍ଡା, କାଶ ଏବଂ ଜ୍ବରକୁ ପ୍ରାଧାନ୍ୟ ଦିଆଯିବ  । ଡାକ୍ତରୀ ଦଳ ଏହି ପୀଡିତ ମାନଙ୍କୁ ଅଧିକତର ପରୀକ୍ଷା କରିବେ  ଫଳରେ କରୋନାର ଯଦିକିଛି ସୁପ୍ତ ବାହକ ଥାଏ  ତାହା ନିର୍ଦ୍ଦିଷ୍ଟ ଭାବେ ଜଣା ପଡିଯିବ  । ଜିଲ୍ଲା ପ୍ରଶାସନ ନିର୍ଦ୍ଦିଷ୍ଟ ଫର୍ମ ପ୍ରଦାନ କରିବ  । ତିନି ଦିନ ମଧ୍ୟରେ ଏହି ଯାଂଚ୍ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି  ।        କରୋନା ମୃତକ ମାନଙ୍କର ଦାହ ଓ ସଂସ୍କାର ପାଇଁ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ତାଲିମ୍ ଦିଆଯିବ  । ଲକ୍ ଡାଉନ୍ ପରେ ବାହାରୁ କେତେ ଲୋକ ଜିଲ୍ଲାକୁ ଫେରିବେ ତାର ନିର୍ଦ୍ଦିଷ୍ଟ ତାଲିକା ବିଡିଓ ପ୍ରଦାନ କରିବେ । ଚୋରା ମଦ କାରବାର ଉପରେ ନଜର ରଖିବାପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି  । ଯେଉଁ ସବୁ ସ୍ଥାନରେ ରନ୍ଧା ଖାଦ୍ୟ ଦିଆଯାଉଛି ତାର ସମ୍ପୂର୍ଣ୍ଣ ତାଲିକା ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବାପାଇଁ କୁହାଯାଇଛି  । ଅଧିକାରୀ ମାନେ ଗସ୍ତ ସମୟରେ କିଛି ଖାଦ୍ୟ ପଦାର୍ଥ ଗାଡିରେ ମହଯୁଦ୍ ରଖିବେ ଫଳରେ ହଠାତ୍ କୌଣସି ନିରାଶ୍ରୟ ବ୍ୟକ୍ତିଙ୍କୁ ତାହା ପ୍ରଦାନ କରିହେବ । ଯେଉଁ ମାନେ ସହାୟତା ଦେବାକୁ ଚାହୁଁଛନ୍ତି ସେମାନେ ଜିଲ୍ଲା କରୋନା ସେଲ୍ ରେ ତାହା ପ୍ରଦାନ କରିପାରିବେ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଛୋଟ ପିଲା କିମ୍ବା ବୟସ୍କ ବ୍ୟକ୍ତି ଆଦୌଁ ବାହାରକୁ ନ ବାହାରିବା ପାଇଁ କୁହାଯାଇଛି  । ମୁହଁ କୁ ଆବୃତ୍ତ କରି ନ ରଖିଲେ ଯେ କୌଣସି ବ୍ୟକ୍ତି ଜୋରିମାନାର ସମ୍ମୁଖିନ ହେବେ ବୋଲି ଜିଲ୍ଲାପାଳ ସୂଚାଇ ଦେଇଛନ୍ତି  ।         ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ ଓ ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପ ଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉମା ଶଙ୍କର ମିଶ୍ର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.