ପୋଲସରା,୦୨/୦୧(ପିପିଟି): ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ୍ କଳମ୍ବ ଗ୍ରାମ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ” ଆମ ଗାଁ ଆମ ବିକାଶ” ସ୍ବତନ୍ତ୍ର ଯୋଜନା ରେ ପାଞ୍ଚଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ମହିଳା ମିଶନ ଶକ୍ତି ଅନ୍ତର୍ଗତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ମାନଙ୍କ ସୁବିଧା ପାଇଁ ଗୃହ ଏବଂ ପଞ୍ଚାୟତ ବାସୀଙ୍କ ଜ୍ଞାନ ଆହରଣ ସକାଶେ ଲକ୍ଷାଧିକ ଟଙ୍କାର ନିର୍ମାଣ ହୋଇଥିବା ପାଠାଗାର ଗୃହ ବ୍ଲକ୍ ପ୍ରଶାସନ ତରଫରୁ ଉକ୍ତ ପଞ୍ଚାୟତର ଏସ୍.ଏଚ୍. ଜି. ସମୁହଙ୍କୁ ଏବଂ ପଞ୍ଚାୟତବାସୀଙ୍କୁ ହସ୍ତାନ୍ତର କରାଯାଇ ନଥିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଉଲ୍ଳେଖିତ ଦାବିପତ୍ର ପ୍ରକାରେ ସରକାରଙ୍କ ଉକ୍ତ ବହୁମୁଖୀ ଯୋଜନାରେ ନିର୍ମାଣ କରାଯାଇଥିବା ଉକ୍ତ ୨ ଗୋଟି ଗୃହର ଭିତ୍ତିପ୍ରସ୍ତର ସ୍ଥାପନ ଗତ ୨୦୧୮ ସାଲ୍ ସେପ୍ଟେମ୍ବର ମାସ ୧ ତାରିଖ ଦିନ ବର୍ତ୍ତମାନ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ କଳମ୍ବ ଗ୍ରାମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଭିତ୍ତିପ୍ରସ୍ତର କରିଥିଲେ। କିନ୍ତୁ କ୍ଷୋଭର ବିଷୟ ଉଭୟ ନିର୍ମାଣ ଶେଷ ହୋଇସାରିଥିବା ଗୃହ ଦୁଇଟିକୁ ଉକ୍ତ ପଞ୍ଚାୟତର ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ମାନଙ୍କୁ ମିଳିନଥିଲା । ଏ ମଧ୍ୟରେ ଏସ୍.ଏଚ୍.ଜି. ସମୁହ ଉଭୟ ଯାକ ଗୃହକୁ ସେମାନଙ୍କୁ ହସ୍ତାନ୍ତର କରିବାକୁ ବହୁବାର ପୋଲସରା ବିଡ଼ିଓଙ୍କ ନିକଟରେ ଦାବି ଏବଂ ଅନୁରୋଧ କରିବା ସହ କାହିଁକି ପ୍ରଶାସନ ତରଫରୁ ହସ୍ତାନ୍ତର କରାଯାଉନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ? ମାତ୍ର ସେମାନଙ୍କ ଦାବିକୁ ଅଣଦେଖା କରାଯିବାରୁ ଉକ୍ତ ନିର୍ମାଣ କାମରେ ଦୁର୍ନୀତି ହୋଇଥିବା ସନ୍ଦେହ କରିବା ସହିତ ପୋଲସରା ବିଡ଼ିଓ, ପଞ୍ଚାୟତ, ଜେ.ଇ. ଓ ଏ. ଇ.ଙ୍କ ବିରୁଦ୍ଧରେ ଗତ ଡିସେମ୍ବର ମାସ ୨୫ ତାରିଖ ଶନିବାର ଦିନ ଉକ୍ତ ପଞ୍ଚାୟତର ମହିଳା ସ୍ଵୟଂ ସହାୟକା ଗ୍ରୁପ ସମୁହଙ୍କ ତରଫରୁ ମିଳିତ ଭାବେ ପୋଲସରା ଥାନାରେ ଏତଲା ଦିଆଯାଇଛି । ଉକ୍ତ ଏତଲାରେ ଉକ୍ତ ଦୁଇଗୋଟି ଗୃହ ଚୋରି ହୋଇଯାଇଥିବାର ଦର୍ଶାଯାଇ ତୁରନ୍ତ ଏହାର ଆଇନଗତ ଉପଯୁକ୍ତ ପଦକ୍ଷେପ ନିଆଯାଇ ଚୋରି ହୋଇଯାଇଥିବା ୨ଟି ଯାକ ଗୃହକୁ ଖୋଜି ବାହାର କରି ସେମାନଙ୍କୁ ଏବଂ ପଞ୍ଚାୟତ ବାସୀଙ୍କୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି । ପରେ ଥାନାରେ ଦିଆଯାଇଥିବା ଉକ୍ତ ଏତଲାର ନକଲ କପିକୁ ଅବଗତ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମୁଖ୍ୟମନ୍ତ୍ରୀ , ୫ଟି ସଚିବ, ପୋଲିସ ମହାନିର୍ଦ୍ଦେଶକ କଟକ, ଦକ୍ଷିଣାଞ୍ଚଳ ଡି.ଆଇ.ଜି ବ୍ରହ୍ମପୁର, ଭିଜିଲାନ୍ସ ଏସ.ପି ବ୍ରହ୍ମପୁର,ଗଞ୍ଜାମ ଜିଲ୍ଲାପାଳ , ଗଞ୍ଜାମ ଏସ.ପି ଛତ୍ରପୁର, ପ୍ରମୁଖଙ୍କ ନିକଟକୁ ଡାକଯୋଗେ ପ୍ରେରଣ କରିଛନ୍ତି ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)
Prev Post
Next Post