ବ୍ରହ୍ମପୁର, ତା୨୬/୦୭(ପିପିଟି); ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ତଥା କୃଷକ-ଶ୍ରମିକ ମାରଣ ନୀତି ବିରୋଧରେ ଆସନ୍ତା ୯ ଅଗଷ୍ଟରେ ୨୫୦ରୁ ଉର୍ଦ୍ଧ୍ବ କୃଷକ ସଂଗଠନ, ସମସ୍ତ ଶ୍ରମିକ ଓ ଜନ ସଂଗଠନ ମାନଙ୍କ ପକ୍ଷରୁ ‘କର୍ପୋରେଟ୍ ହଟାଅ-ଦେଶ ବଞ୍ଚାଅ’ ଓ ‘ଭାରତ ବିକ୍ରି ପାଇଁ ନୁହେଁ’ ସ୍ଲୋଗାନ ଦେଇ ଦେଶବ୍ୟାପୀ ପ୍ରତିବାଦ ଆହ୍ୱାନକୁ ସମର୍ଥନ କରି ସାରା ଓଡ଼ିଶାରେ ପ୍ରତିବାଦ ସଂଗଠିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେଦିନ ରାଜ୍ୟବ୍ୟାପୀ ସଭା, ପ୍ରତିବାଦ ପ୍ରଦର୍ଶନ ଓ ପ୍ରଧାନମନ୍ତ୍ରୀ ତଥା ରାଜ୍ୟ ମୂଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ୨୫ ଜୁଲାଇ ସଂଧ୍ୟାରେ ଏକ ଭର୍ଚ୍ୟୁଆଲ୍ ମିଟିଂ (ୱେବନାର୍)ମାଧ୍ୟମରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ଓ ଭୂମି ଅଧିକାର ଆନ୍ଦୋଳନ ସହ ସଂପର୍କିତ ଓଡ଼ିଶାର ୨୦ରୁ ଉର୍ଦ୍ଧ୍ବ କୃଷକ, ଶ୍ରମିକ ଓ ଜନ ସଂଗଠନ ମାନେ ଏହି ନିଷ୍ପତ୍ତି ନେଇଛନ୍ତି । ଅଖିଳ ଭାରତ କ୍ଷେତ୍ ମଜଦୁର୍ ସଭାର ଭାଲଚନ୍ଦ୍ର ଷଢ଼ଙ୍ଗୀ ଓ ଇନସାଫ୍ ତଥା ଭୂମି ଅଧିକାର ଆନ୍ଦୋଳନର ନରେନ୍ଦ୍ର ମହାନ୍ତି ଙ୍କ ଯୁଗ୍ମ ସଂଯୋଜନାରେ ଆୟୋଜିତ ଏହି ଭର୍ଚ୍ୟୁଆଲ୍ ସଭାରେ ଜାତୀୟ ସ୍ତରରୁ ଡଃ ଆଶୀଷ ମିତ୍ତଲ୍, ଭି.ଏମ୍. ସିଂହ ଓ ରାଜାରାମ୍ ସିଂହ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଓଡ଼ିଶାରୁ ଜୟ କିଶାନ୍ ଆନ୍ଦୋଳନ ତଥା ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତି ପକ୍ଷରୁ ଲିଙ୍ଗରାଜ, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ଶଙ୍କର ସାହୁ, ଓଡିଶା କୃଷକ ସଭାର ସୁରେଶ ପାଣିଗ୍ରାହୀ, ଏ.ଆଇ.ସି.ସି.ଟି.ୟୁ ର ମହେନ୍ଦ୍ର ପରିଡା, ଅଖିଳ ଭାରତ ଅଗ୍ରଗାମୀ କୃଷକ ସଭାର ଜ୍ୟୋତି ରଂଜନ ମହାପାତ୍ର, ଅଖିଳ ଭାରତ କ୍ଷେତ୍ ମଜଦୁର୍ କିଶାନ୍ ସଭାର ଶ୍ରୀକାନ୍ତ ମହାନ୍ତି, ଅଖିଳ ଭାରତ ଜନମଞ୍ଚର ରାଧାକାନ୍ତ ସେଠୀ, ଓଡିଶା ଦଳିତ ଅଧିକାର ଆନ୍ଦୋଳନର ମାନସ ଜେନା, ଟି.ୟୁ.ସି.ଆଇ.ର ଶିବରାମ୍, ଲୋକଶକ୍ତି ଅଭିଯାନ ତଥା ଏନ୍.ଏ.ପି.ଏମ୍ ର ପ୍ରଫୁଲ୍ଲ ସାମନ୍ତରା, ଉପକୂଳୀୟ ଜମି ଓ ଜଙ୍ଗଲ ସୁରକ୍ଷା ସମିତିର ବଟକୃଷ୍ଣ ସ୍ୱାଇଁ, ସାମାଜିକ କର୍ମୀ ମଧୁସୂଦନ ସେଠୀ, ସନ୍ଦୀପ ପଟ୍ଟନାୟକ, ସାମାଜିକ ଗଣମାଧ୍ୟମ ଛାଇର ସଂପାଦକ ସତୀଶ ମିଶ୍ର, ସି.ଏସ୍.ଡି ର ଗୋପୀନାଥ ମାଝୀ, ଆଇନଜୀବୀ ଶଙ୍କର ପାଣି, ଚାଷ ଓ ପରିବେଶ ସୁରକ୍ଷା ସମିତିର ଅମୂଲ୍ୟ ନାୟକ, ଗାଁ’ ରୁ ଆନ୍ଦୋଳନ ଅଭିଯାନର ଗୌତମ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ସଭାରେ ଯୋଗ ଦେଇଥିବା ଜାତୀୟ ନେତୃବୃନ୍ଦ ସର୍ବଶ୍ରୀ ଭି.ଏମ୍. ସିଂହ, ରାଜାରାମ୍ ସିଂହ ଓ ଡଃ ଆଶୀଷ୍ ମିତ୍ତଲ୍ ସେମାନଙ୍କ ଆଲୋଚନାରେ କହିଥିଲେ ଯେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର ଗୋଟିଏ ପରେ ଗୋଟିଏ ଜନବିରୋଧୀ ତଥା କୃଷକ ଶ୍ରମିକ ସ୍ୱାର୍ଥ ବିରୋଧୀ ପଦକ୍ଷେପ ଗ୍ରହଣ କରିଚାଲିଥିବାବେଳେ କରୋନା ନିୟନ୍ତ୍ରଣ ଆଳରେ ସେମାନଙ୍କ ଅଧିକାର ଗୁଡିକୁ ଛିନ୍ନ କରି ଜୀବନ ଜୀବିକାକୁ ଦୁର୍ବିସହ କରିଦେଇଛନ୍ତି । ଚାଷୀର ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ଲାଭଜନକ ମୂଲ୍ୟ ନିର୍ଦ୍ଧାରଣ କରିବା ଦିଗରେ ସ୍ୱାମୀନାଥନ୍ କମିଟିର ସୁପାରିଶ୍ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଚାଷଜମିକୁ କର୍ପୋରେଟ୍ ହାତରେ ଟେକିଦେବାର ସମସ୍ତ ରାସ୍ତା ଖୋଲି ଦେଇଛନ୍ତି । ନିତ୍ୟବ୍ୟବହାର୍ଯ୍ୟ ଜିନିଷପତ୍ରର ଦରଦାମ ଆକାଶଛୁଆଁ ହୋଇଚାଲିଥିବା ବେଳେ କୃଷି ଶ୍ରମିକ ଓ ଦିନମଜୁରିଆ ମାନେ ସର୍ବନିମ୍ନ ମଜୁରୀ ପାଇବାରୁ ବଞ୍ଚିତ ହେଉଛନ୍ତି । କରୋନା ଆଜି ଶାସକ ଶ୍ରେଣୀ ହାତରେ ସମସ୍ତ ଭିନ୍ନମତ ଓ ଗଣତାନ୍ତ୍ରିକ ପ୍ରତିବାଦକୁ ଦମନ କରିବା ପାଇଁ ଶ୍ରେଷ୍ଠ ଅସ୍ତ୍ର ହୋଇଛି ବୋଲି ସେମାନେ ମତବ୍ୟକ୍ତ କରିବା ସହିତ ଆଗାମୀ ୯ ଅଗଷ୍ଟ (କ୍ରାନ୍ତି ଦିବସ/ଭାରତଛାଡ ଆନ୍ଦୋଳନ ଦିବସ) ସରକାରଙ୍କ ସମସ୍ତ ଜନବିରୋଧୀ ନୀତି ବିରୋଧରେ ଐକ୍ୟବଦ୍ଧ ଓ ସଂଗଠିତ ଆନ୍ଦୋଳନ ଦିଗରେ ଏକ ମାଇଲଖୁଣ୍ଟ ହେବ ବୋଲି ଆଶା ପ୍ରକାଶ କରିଥିଲେ । ରାଜ୍ୟର ବିଭିନ୍ନ ସଂଗଠନର ନେତୃବୃନ୍ଦ କରୋନା ଆଳରେ ସରକାରଙ୍କ ଦ୍ୱାରା ଶ୍ରମିକଙ୍କ ସ୍ୱାର୍ଥ ବିରୋଧୀ ପଦକ୍ଷେପ, ଖରିଫ୍ ଫସଲ ସମୟରେ ଚାଷୀଙ୍କ ସମସ୍ୟା, ପ୍ରବାସୀ ଶ୍ରମିକଙ୍କ ସମସ୍ୟା, ଦୁଗ୍ଧ ଚାଷୀ, ପାନ ଚାଷୀଙ୍କ ସମସ୍ୟା, କରୋନା ଯୋଗୁଁ ରୋଜଗାର ହରାଇଥିବା ପରିବାର ଗୁଡିକୁ ଖାଦ୍ୟସାମଗ୍ରୀ ବଣ୍ଟନ, ଅଣକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ଦିଗରେ ସରକାରୀ ନିଷ୍କ୍ରିୟତା, ମନରେଗା ଶ୍ରମିକଙ୍କ ସମସ୍ୟା, ବଣ୍ୟ ଜନ୍ତୁଙ୍କ ଆକ୍ରମଣ ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କୃଷକ ଓ କୃଷି ଶ୍ରମିକଙ୍କ ମୃତ୍ୟୁ, କୃଷକ ଓ ଶ୍ରମିକଙ୍କ ପାଇଁ ଲଢ଼ୁଥିବା ନିରାକାର ନାୟକ ଭଳିନେତା ମାନଙ୍କୁ ବିଭିନ୍ନ ମିଛ ମକଦ୍ଦମାରେ ଗିରଫ୍ ସଂପର୍କରେ ଆଲୋଚନା କରିଥିଲେ । ସେହିପରି ପେସା ଓ ଜଙ୍ଗଲ ଅଧିକାର ଆଇନ୍ କୁ ଯଥାର୍ଥ ଭାବେ କାର୍ଯ୍ୟକାରୀ କରିବା ଦିଗରେ ପ୍ରଶାସନିକ ମନ୍ଥରତା, ଲଘୁ ବନଜାତ ସାମଗ୍ରୀର ଉପଯୁକ୍ତ ମୂଲ୍ୟ, ଜନବିରୋଧୀ ତଥା ପରିବେଶ ବିରୋଧୀ ପ୍ରକଳ୍ପ ଗୁଡିକୁ ପରିବେଶଗତ ମଞ୍ଜୁରୀ, ଆଦିବାସୀ ଓ ପାରମ୍ପରିକ ବନବାସୀ ମାନଙ୍କୁ ସେମାନଙ୍କର ଭିଟାମାଟି ରୁ ଉଚ୍ଛେଦ କରି ସେହି ସବୁ ଜମିକୁ ଲ୍ୟାଣ୍ଡ୍ ବ୍ୟାଙ୍କରେ ରଖିବା, କୋଇଲା ଓ ଅନ୍ୟାନ୍ୟ ପ୍ରାକୃତିକ ସଂପଦର ଖୋଲମଖୋଲା ଲୁଣ୍ଠନ ଭଳି ସରକାରଙ୍କ ଜନବିରୋଧୀ ପଦକ୍ଷେପ ଗୁଡିକ ବିରୋଧରେ ଦୀର୍ଘସ୍ଥାୟୀ ଆନ୍ଦୋଳନ ପାଇଁ ପ୍ରତିନିଧିମାନେ ଗୁରୁତ୍ୱ ଆରୋପ କରିଥିଲେ ବୋଲି କ୍ରାନ୍ତିକାରୀ କୃଷକ ସଭା ର ରାଜ୍ୟ ସମ୍ପାଦକ ଶଙ୍କର ସାହୁ ସୂଚନା ପ୍ରଦାନ କରିଛନ୍ତି ।