କରୋନାରେ ପ୍ରଭାବିତ କାଇଁଚ କାରିଗର ,ସରକାରୀ ସହାୟତା ଦାବି ।

0 147

ଯାଜପୁର,(ଏ.ରାଉତ)୦୬/୦୬, ମହାମାରୀ କରୋନାକୁ ନେଇ ବିଶ୍ୱ ସ୍ତବ୍ଧ ହୋଇପଡିଛି । ଏଥିରୁ ମୁକୁଳିବା ପାଇଁ ସରକାର ବିଭିନ୍ନ କାର୍ଯ୍ୟପନ୍ଥା ଆପାଣାଉଛନ୍ତି । ଆରମ୍ଭରୁ ଲକଡାଉନ ଜାରି କରିଛନ୍ତି । ସେହିପରି ଗାଡି ଚଳାଚଳ, ଛକ ବଜାର ଓ ସ୍କୁଲ କଲେଜ ଆଦି ବନ୍ଦ ରଖିଛନ୍ତି । ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ପ୍ରଦାନ କରିବା ସହ ମାସ୍କ ପରିଧାନକୁ ବାଧ୍ୟତାମୁଳକ କରାଯାଇଛି । ବିଭିନ୍ନ ସ୍ଥାନକୁ ସାନିଟାଇଜ ମଧ୍ୟ କରାଯାଉଛି । ହେଲେ ଏହାର ପ୍ରଭାବ କମିବା ପରିବର୍ତେ ବଢିବାରେ ଲାଗିଛି । ଯାହା ଫଳରେ ଏବେ କରୋନା ସରକାରଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି । ଭାରତ ଭଳି ଜନବହୁଳ ଦେଶରେ ଦୁଇ ମାସରୁ ଉର୍ଦ୍ଧ୍ୱ କାଳ ଲକଡାଉନ ଜାରି ରହିବା ଫଳରେ ବିଭିନ୍ନ ସମସ୍ୟା ସାମନାକୁ ଆସିଛି । ସେଥିପାଇଁ ଏବେ କେନ୍ଦ୍ର ସରକାର ଲକଡାଉନକୁ ୫୦ପ୍ରତିଶତ କୋହଳ କରି ଏକମାସ ପର୍ଯ୍ୟନ୍ତ ଜାରି କରିଛନ୍ତି । ହେଲେ ଏହାଦ୍ୱାରା ସାଧାରଣତଃ ଗରିବ, ଆଦିବାସୀ, ଦଳିତ, ପଛୁଆବର୍ଗ, ଅସହାୟ ଓ ଦିନ ମଜୁରିଆମାନେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳୁଛି । ସେହିପରି କୈାଳିକ ବୃତିକୁ ଆଦରି ଜୀବନ ଜୀଉ ଥିବା ପରିବାରଗୁଡିକ ମଧ୍ୟ ଏଥିରୁ ବାଦ ପଡିନାହାନ୍ତି କାଇଁଚ କାରିଗର । ଲକଡାଉନରେ ଏମାନେ ବିଶେଷ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳୁଛି । ଏଭଳି ଅବସ୍ଥା ଦେଖିବାକୁ ମିଳେ ଧର୍ମଶାଳା ବ୍ଲକ ଅନ୍ତର୍ଗତ କମାଗଡ ଗ୍ରାମରେ । ଗ୍ରାମର ଶୁଭଶ୍ରୀ ଗ୍ରାମ୍ୟ ମହିଳା ସ୍ୱୟଂ ସହାୟକ ମହାସଂଘରେ ୪୫ଗୋଟି ଗୋଷ୍ଠୀ କାର୍ଯ୍ୟ କରୁଥିବା ଜଣାଯାଏ । ସେଥିରେ ୫ଶହ ୫୦ରୁ ଉର୍ଦ୍ଧ୍ୱ ମହିଳା କାରିଗର କାର୍ଯ୍ୟ କରୁଛନ୍ତି । ୧୯୫୬ ମସିହାରେ ସ୍ୱର୍ଗତ ପ୍ରଣାକୃଷ୍ଣ ମହାନ୍ତିଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିବା ଏହି କାଇଁଚ କାରିଗରି ସଂସ୍ଥାକୁ ତାଙ୍କ ପୁଅ ଆଲୋକ କୁମାର ମହାନ୍ତି ପରିଚାଳନା କରୁଛନ୍ତି । ଏଥିରେ କମାଗଡ ସମେତ, ଅଂଟିଆ, ଭରତପୁର, ଗେଙ୍ଗୁଟିଆ, ଖରିଲୋ, ଶ୍ରୀଚନ୍ଦନପୁର, ବାଉଁଶଅଂଟା, କୁସ୍ତିରା, ପୁରୁଣାବଉଳମାଳ, ଜେନାପୁର, ବରହମପୁର, ଘାସିବର, ଖଜୁରିବାଟି, ଚାରଗୋଠ, ଇଛାପୁର, ଦକ୍ଷିଣପଶି ଓ ସାତମାଣ ଆଦି ସ୍ଥାନ ମାନଙ୍କରେ ମହିଳାମାନେ କାର୍ଯ୍ୟ କରିଥାନ୍ତି । ସେମାନେ ସକାଳୁ ନିଜ ଘର କାର୍ଯ୍ୟ ସାରି କାଇଁଚ (ଗୋଲଡେନ୍ ଗ୍ରାସ)କୁ ନେଇ ବିଭିନ୍ନ ସାମଗ୍ରୀ ତିଆରି କରିଥାନ୍ତି । ସେହି ସାମଗ୍ରୀ ମଧ୍ୟରେ  ଡାଇନିଙ୍ଗ ମ୍ୟାଟ,ଫାଇଲ କଭର, ବ୍ୟାଗ,ଫୁଲଦାନି,ଟୋପି, ବିଂଚଣା, ଖେଳଣା,ପେଡି,ଫୁଲ ଚାଙ୍ଗୁଡି, ଫଟୋ କଭର,ଇଲେକଟ୍ରି ବଲ ଷ୍ଟାଣ୍ଡ ଅଦି ବିଭିନ୍ନ ଘର କରଣା ଉପକରଣମାନ ତିଆରି କରିଥାନ୍ତି । ସେହି ସବୁ ସାମଗ୍ରୀ ଗୁଡିକୁ ଆମ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବିକ୍ରି କରିବା ସହିତ ଦେଶ ବିଦେଶରେ ମଧ୍ୟ ବିକ୍ରୟ ହୋଇଥାଏ । ଏପରିକି ଅଂଚଳିକ ଶିଳ୍ପକେନ୍ଦ୍ର ଦ୍ୱାରା ବିଭିନ୍ନ ମେଳା ମହୋତ୍ସବ ଓ ପର୍ବ ପର୍ବାଣୀରେ ଷ୍ଟଲ ଲଗାଇ ବିକ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଇଥାଏ । ଏହି କାରିଗରମାନଙ୍କ ପାଇଁ ଭାରତ ସରକାର ବିମା ଯୋଜନା କରିବା ସହିତ ୬ ମାସିଆ ଟ୍ରେନିଂ ପ୍ରୋଗ୍ରାମ ମଧ୍ୟ କରିଥାନ୍ତି । ବର୍ତମାନ ଲକଡାଉନ ପାଇଁ ତିଆରି ସାମଗ୍ରୀ ଗୁଡିକ ଘରେ ଗଦା ହୋଇ ପଡିରହିଛି । ସେ ସାମଗ୍ରୀ ଗୁଡିକ ବିକ୍ରି ହୋଇପାରୁ ନାହିଁ । ସେହିପରି ବିଭିନ୍ନ ଜିଲ୍ଲାରୁ ଆସୁଥିବା କଂଚାମାଲ ଲକଡାଉନ ଫଳରେ ଆସିବା ସମ୍ଭବ ହୋଇପାରୁ ନାହିଁ । ଏହି କାରିଗରମାନେ ବର୍ତମାନ ସ୍ଥାନୀୟ ଅଂଚଳରେ ମିଳୁଥିବା କଂଚାମାଲରେ ସାମଗ୍ରୀ ତିଆରି କରୁଛନ୍ତି । କିନ୍ତୁ ପଡୋଶୀ ଜିଲ୍ଲା କେନ୍ଦ୍ରାପଡା,ପୁରୀ, ସମ୍ବଲପୁର ସମେତ ଏସଏଲବି ଚିପଲିମା,ସାତକାବାଦ ଓ ପଂଚୁପାଣ୍ଡବ ଅଂଚଳରୁ କଂଚାମାଲ ଆସୁପାରୁ ନାହିଁ । ଯାହାଫଳରେ କାରିଗର ମାନେ କାର୍ଯ୍ୟ  ନପାଇ ଘରେ ବସିରହିଛନ୍ତି । ଅନ୍ୟପଟେ ତିଆରି ସାମଗ୍ରୀ ବିକ୍ରି ନହେବା ଫଳରେ କାରିଗାରମାନେ ତାଙ୍କର ପାରିଶ୍ରମିକ ପାଇବାରୁ ବଂଚିତ ହେଉଛନ୍ତି । ଏହା ଦ୍ୱାରା ସେମାନଙ୍କ ପରିବାର ଅର୍ଥିକ ଅନାଟନ ଦେଇ ଗତି କରୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି କାଇଁଚ କାରିଗର ମାନଙ୍କୁ ଅର୍ଥିକ ସହାୟତା ଯୋଗଇଦେବାକୁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.