କରୋନାରେ ଆତଙ୍କିତ ନ ହେବାପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳଙ୍କ ଆଶ୍ବାସନା ।

0 627

ଛତ୍ରପୁର, ତା.୨୯/୦୭(ପିପିଟି); ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେଉଥିବା ଖବର ଶୁଣି ଆତଙ୍କିତ ନ ହେବାପାଇଁ ଏକ ଭିଡିଓ ବାର୍ତ୍ତାରେ ଜିଲ୍ଲାବାସୀଙ୍କୁ ଜଣାଇଛନ୍ତି । ସପ୍ତାହ ପୂର୍ବରୁ ଗୁରୁତର ଥିବା ତିନିଜଣ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିଲା । ଆଜି ସେମାନେ ସୁସ୍ଥ ହୋଇଛନ୍ତି । ଏହା ଗଞ୍ଜାମ ଜିଲ୍ଲାପାଇଁ ଏକ ଭଲ ଖବର । ଟାଟା ହସ୍ପିଟାଲ୍ ରେ ପ୍ଲାଜମା ଥେରାପି ଆରମ୍ଭ ହୋଇସାରିଛି । ଖୁବ୍ ଶୀଘ୍ର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ପ୍ଲାଜମା ଥେରାପି ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଯେଉଁ ସଂକ୍ରମିତ ବ୍ୟକ୍ତି ଗୁରୁତର ଅବସ୍ଥାରେ ଅଛନ୍ତି ସେମାନେ ଚିକିତ୍ସିତ ହୋଇପାରିବେ । ବର୍ତ୍ତମାନ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ଚାଲିଛି, ଏଣୁ ଅଧିକ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଉଛନ୍ତି । ଗତ ସପ୍ତାହର ରିପୋର୍ଟକୁ ଆଧାର କରି ଜଣାଯାଉଛି ଯେ ସଂକ୍ରମଣ ବ୍ୟକ୍ତିଙ୍କ ସଂଖ୍ୟା ଦିନକୁ ଦିନ କମ୍ ହେବାରେ ଲାଗିଛି । ଚଳିତ ମାସ ୨୦ ତାରିଖଦିନ ୨୨୫ ଜଣ, ୨୧ ତାରିଖ ଦିନ ୩୭୧ ଜଣ, ୨୨ ତାରିଖ ଦିନ ୫୪୦ ଜଣ, ୨୩ ତାରିଖ ଦିନ ୭୩୨ ଜଣ ଏବଂ ପରବର୍ତ୍ତୀ ପର୍ଯ୍ୟାୟ ଅର୍ଥାତ୍ ୨୪ ତାରିଖ ରେ ୫୬୦, ୨୫ ତାରିଖରେ ୪୮୪, ୨୬ ତାରିଖରେ ୪୯୧, ୨୭ ତାରିଖରେ ୩୩୨ ଏହି ପ୍ରକାରରେ କମି କମି ଆସୁଅଛି । ଘରକୁ ଘର ସର୍ଭେ ରେ ଯେତେ ଲକ୍ଷଣ ଦେଖାଯାଉଛି ସେହି ଅନୁସାରେ ପରୀକ୍ଷା ସଂଖ୍ୟା ବି କମୁଛି । ୨୦ ଦିନ ପୂର୍ବରୁ ଶତକଡା ୭୦ ପ୍ରତିଶତ ଥିଲା ତାହା କମିକମି ଶତକଡା ୨୫ ପ୍ରତିଶତ ଭିତରେ ରହୁଛି । ସଂକ୍ରମଣ ସଂଖ୍ୟା ବି କମୁଛି । ମୃତ୍ୟୁକୁ ରୋକିବା ସକାଶେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଙ୍କର ଉପଯୁକ୍ତ ଚିକିତ୍ସା କରାଇ ତାଙ୍କୁ ସୁସ୍ଥ ଅବସ୍ଥାକୁ ଫେରାଇ ଆଣିବା । ସଂକ୍ରମିତ ହେବାପରେ ତାଙ୍କୁ ଚିହ୍ନଟ କରିବା ବିଳମ୍ବ ଯୋଗୁଁ କିମ୍ବା ସଂକ୍ରମିତ ବ୍ୟକ୍ତି ଲକ୍ଷଣ ଲୁଚାଇବା ହେତୁ ସମସ୍ୟା ଦେଖାଯାଉଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେଲେ ସେ ଚିକିତ୍ସା ପାଇଁ ଆସୁଛନ୍ତି ତେଣୁ ତାଙ୍କ ଅମୂଲ୍ୟ ଜୀବନ ରକ୍ଷାକରିବା କଷ୍ଟସାଧ୍ୟ ହେଉଛି । ଏଣୁ ଥଣ୍ଡା, କାଶ, ଜ୍ବର ସମ୍ପର୍କରେ ତଥ୍ୟ ଦିଅନ୍ତୁ ଓ ପ୍ରାରମ୍ଭରୁ ଚିକିତ୍ସିତ ହୁଅନ୍ତୁ । ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ବି କମ୍ ହେଉଛି । ୨୦ ଦିନ ତଳେ ଶତକଡା ୧ ପ୍ରତିଶତ ଥିଲା ବର୍ତ୍ତମାନ ଶତକଡା ୦.୮ ପ୍ରତିଶତ ଅଛି ।
ଆରୋଗ୍ୟ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି, ଶତକଡା ୫୮ ପ୍ରତିଶତ ରୁ ଶତକଡା ୬୪ ପ୍ରତିଶତ ପର୍ଯ୍ୟନ୍ତ ରହିଛି ଏହା ଭଲକଥା । ଗ୍ରାମଞ୍ଚଳର ପଞ୍ଚାୟତ ସ୍ତରରୁ ଆମ୍ବୁଲାନସ୍ ପରିଚାଳନା କୁ ସୁଦୃଢ କରିବା ଦିଗରେ ପ୍ରୟାସ ଜାରି ରହିଛି । ସବୁ ଆମ୍ବୁଲାନସ୍ ରେ ଯେପରି ଅକ୍ସିଜେନ୍ ରହିବ ସେଥିପ୍ରତି ପଦକ୍ଷେପ ଗ୍ରହଣ କରାଯାଉଛି । ଅଶ୍ବିନୀ ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ କୋଭିଡ୍ କେୟାର ହସ୍ପିଟାଲ ଦୁଇଟି ରେ ପାଖାପାଖି ୩୦୦ ଶଯ୍ୟା ରେ ଅକ୍ସିଜେନ୍ ସହ ସୁବିଧା ମିଳିବ । ଜିଲ୍ଲାରେ ଭିତ୍ତିଭୂମି ସୁଦୃଢ ଅଛି । ଗୁରୁତର ରୋଗୀଙ୍କୁ ମଧ୍ୟ ଚିକିତ୍ସା କରିବା ଦିଗରେ ଗଞ୍ଜାମ ଜିଲ୍ଲା ସକ୍ଷମ ଅଛି ଏଣୁ ଭୟଭୀତ ନ ହୋଇ ସଂକ୍ରମିତ ବ୍ୟକ୍ତି ଲକ୍ଷଣ ଗୁଡିକ ପ୍ରକାଶ କରନ୍ତୁ ଏବଂ ଚିକିତ୍ସିତ ହୋଇ ସୁସ୍ଥ ହୁଅନ୍ତୁ । ସଂକ୍ରମଣକୁ ରୋକିବା ଦିଗରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାପାଇଁ ଜିଲ୍ଲାପାଳ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.