କୋଦଳା,୧୨/୦୮(ପିପିଟି); “ରକ୍ତ ଦାନ ମହାପୂଣ୍ୟ” ଓଡ଼ିଶା ସରକାର ପକ୍ଷରୁ “ମୋ ପରିବାର “କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର କୋଦଳା ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତ ଦାନ ଶିବିରକୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ଆସିକା ସଂସଦୀୟ କ୍ଷେତ୍ର ମୋ ପରିବାର ସଂଯୋଜକ ନିର୍ମଳ ସାହୁ , କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା , ଥାନା ଅଧିକାରୀ ଦେବାଶିଷ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମସ୍ତ ଆନୁସଙ୍ଗିକ ବ୍ଯବସ୍ଥା ଥିବା ଏକ ଭ୍ରାମ୍ୟମାଣ ଗାଡିରେ ବ୍ରହ୍ମପୁର ଏମକେସିଜି ମେଡିକାଲ ରକ୍ତଭଣ୍ଡାର କର୍ମଚାରି ଆସି ୩୦ ୟୁନିଟ ରକ୍ତ ସଂଗ୍ରହ କରିଥିବା ବେଳେ ଉପସ୍ଥିତ ଥିବା ଅତିଥି ମାନେ ସେମାନଙ୍କୁ ଉତ୍ସାହିତ କରିବା ସହିତ ଦୁଇଗୋଟି ଲେଖାଏଁ ମାନପତ୍ର ପ୍ରଦାନ କରିଥିଲେ । ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜେଡିର ସଭାପତି ସମେତ ବହୁ ସ୍ଥାନୀୟ ନେତୃତ୍ୱ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି । ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ସମେତ ବହୁ ସଂଖ୍ୟକ ସାଧାରଣ ଲୋକ ସ୍ବେଛାକୃତ ଭାବରେ ରକ୍ତ ଦାନ କରିଛନ୍ତି। କରୋନା ଭଳି ମହାମାରୀ ସମୟରେ ସାଧାରଣ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ରକ୍ତର ଅଭାବକୁ ଦୁର କରିବା ସକାଶେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ରାଜ୍ୟର ସମସ୍ତ ଅଞ୍ଚଳରେ ଜାରି ରହିଛି ଏହି କାର୍ଯ୍ୟକ୍ରମ । ରକ୍ତ ଦାନ ମହା ପୁଣ୍ୟ ହୋଇଥିବା ବେଳେ ଏଥିଦ୍ବାରା ଅନେକଙ୍କ ଜୀବନ ବଞ୍ଚି ଯାଇଥାଏ। ତେବେ କରୋନାକୁ ନେଇ ଏକ ସଙ୍କଟ ସମୟରେ ଚିକିତ୍ସାରେ ରକ୍ତାଭାବ ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ଏହା ପ୍ରାୟୋଜିତ କାର୍ଯକ୍ରମ ।