ଉତ୍କଳ ସାମ୍ବାଦିକ ସଂଘ,ଭଞ୍ଜନଗର ଶାଖା ତରଫରୁ ଶୋକସଭା ଅନୁଷ୍ଠିତ ।

0 330

ଭଞ୍ଜନଗର,୨୪/୦୯(ପିପିଟି):ମୁଣ୍ଡୁଳୀ ଠାରେ ଅପରେସନ ଗଜରାଜ ର ଲାଇଭ ପ୍ରସାରଣ ନିମନ୍ତେ ଦୁଃସାହସିକ ପଦକ୍ଷେପ ଗ୍ରହଣ କରି ବୋଟ ବୁଡିଯିବା କାରଣରୁ ଓ ଟିଭି ର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ଅକାଳ ବିୟୋଗ ଘଟିଛି। ଯାହାକୁ ନେଇ ସାମ୍ବାଦିକ ମହଲ ପୁରା ସ୍ତବ୍ଧ ହୋଇଯାଇଛି। ଏହି ଖବର ପ୍ରଚାରିତ ହେବା ମାତ୍ରେ ଉତ୍କଳ ସାମ୍ବାଦିକ ସଂଘ ଭଞ୍ଜନଗର ଶାଖା ତରଫରୁ ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା। ଅମର ଆତ୍ମାର ସଦଗତି କାମନା କରି ସମସ୍ତ ସଦସ୍ୟ ୨ମିନିଟ ନୀରବ ପ୍ରାର୍ଥନା କରିଥିଲେ।ଅରିନ୍ଦମ ଜଣେ ଦକ୍ଷ, କର୍ମଠ ଓ ସାହସୀ ସାମ୍ବାଦିକ ଭାବେ ବେଶ ପରିଚିତ ଥିଲେ। ତେଣୁ ଯେକୌଣସି ପରିସ୍ଥିତିକୁ ସାମ୍ନା କରି ଖବର ପରିବେଷଣ କରୁଥିଲେ ବୋଲି ସଂଘର ଜିଲ୍ଲା ସଂଯୋଜକ ବିଶ୍ବମ୍ବର ଜେନା କହିଥିଲେ। ଖବର ସଂଗ୍ରହ କରିବାକୁ ଯାଇ ଅରିନ୍ଦମ ନିଜେ ଖବର ହୋଇଗଲେ। ସାମ୍ବାଦିକମାନେ କିଭଳି ବିପଦପୂର୍ଣ୍ଣ ପରିସ୍ଥିତିକୁ ସାମ୍ନା କରି ଖବର ସଂଗ୍ରହ କରୁଛନ୍ତି ତାହା ଆଜି ଦର୍ଶକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ସଂଘର ସଭାପତି ଜୟକୃଷ୍ଣ ପଟ୍ଟନାୟକ କହିଥିଲେ। ଅରିନ୍ଦମ ଜଣେ ଓ ଟିଭିର ପ୍ରତିଷ୍ଠିତ ସାମ୍ବାଦିକ ଭାବେ ନିଜକୁ ଗଢ଼ି ତୋଳିଥିଲେ। ଓଟିଭି ରେ କାର୍ଯ୍ୟ କରୁଥିବା ସମୟରେ ତାଙ୍କ ଠାରୁ ଅନେକ ସାହାଯ୍ୟ ପାଇଥିଲି। ବାସ୍ତବରେ ସେ ଜଣେ ମହାନ ବ୍ୟକ୍ତିତ୍ୱ ବୋଲି ସଂଘର ଉପ ସଭାପତି ପ୍ରଦୀପ ସ୍ଵାଇଁ କହିଥିଲେ। ବାସ୍ତବରେ ଅରିନ୍ଦମଙ୍କ କାର୍ଯ୍ୟଶୈଳୀ ଉଚ୍ଚ କୋଟିର ଥିଲା।ତାଙ୍କଠାରୁ ବହୁତ କିଛି ଶିଖିବାକୁ ମିଳୁଥିଲା ବୋଲି ସଂଘର ସମ୍ପାଦକ ରବୀନ୍ଦ୍ର ଗୌଡ଼ କହିଥିଲେ। ତାଙ୍କର ଅକାଳ ବିୟୋଗରେ ଓ ଟିଭିର ଅପୁରଣୀୟ କ୍ଷତି ଘଟିଲା ତେଣୁ ତାଙ୍କର ପରିବାରକୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି ସଂଘର ସଦସ୍ୟ ତଥା ଓ ଟିଭି ପ୍ରତିନିଧି ରାଜେଶ କୁମାର ପଣ୍ଡା କହିଥିଲେ। ଓଟିଭି କାର୍ଯ୍ୟାଳୟ ଓ ସରକାରଙ୍କ ତରଫରୁ ମୃତ ଅରିନ୍ଦମଙ୍କ ପରିବାରକୁ ସମସ୍ତ ପ୍ରକାର ସାହାଯ୍ୟ,ସହଯୋଗ ଓ କ୍ଷତିପୂରଣ ଯୋଗାଇ ଦେବାକୁ ସଂଘ ଦାବୀ କରିଛି।ଏହି କାର୍ଯ୍ୟକ୍ରମ ରେ ସଂଘର ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ସଦସ୍ୟ ଉପସ୍ଥିତ ଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.