ମାଲକାନଗିରି,୦୮/୧୨(ପିପିଟି):ବିଶ୍ୱ ସମାଜ ସେବା ଓ ଆଧ୍ୟାତ୍ମିକ ସଂଗଠନ “ଆନନ୍ଦମାର୍ଗ ୟୁନିଭର୍ସାଲ ରିଲିଫ ଟିମ୍” ତରଫରୁ ଆଜି ଆଦିବାସୀ ଅଧ୍ଯୁଷିତ ମାଲକାନଗିରି ଜିଲ୍ଲାର ଆଦିମ ଜନଜାତି,ଭିନ୍ନକ୍ଷମ, କିନ୍ନର, ଭିକ୍ଷା ବୃତ୍ତି କରୁଥିବା ଆର୍ଥିକ ଅନଗ୍ରସର ଶ୍ରେଣୀର ଦୁଇ ହଜାରରୁ ଉର୍ଦ୍ଧ୍ୱ ଅସହାୟ ପରିବାରଙ୍କ ପାଇଁ ଉଦ୍ଦିଷ୍ଟ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । କରୋନା ଜନିତ ପରିସ୍ଥିତିର ଚାପରେ ଲୋକମାନେ ଅତ୍ୟଧିକ ଅସହାୟ ହୋଇଥିବାରୁ “ତାଇଓ୍ବାନ୍”ର ଅଗ୍ରଣୀ ବୁଦ୍ଧିଷ୍ଟ ସାମାଜିକ ସଂସ୍ଥା ‘ସୂଚୀ ଫାଉଣ୍ଡେସନ୍’ ର ଆର୍ଥିକ ସହାୟତାରେ ‘ଆନନ୍ଦମାର୍ଗ ୟୁନିଭର୍ସାଲ ରିଲିଫ ଟିମ୍’ ପକ୍ଷରୁ ଓଡ଼ିଶାର ପାଞ୍ଚଟି ଜିଲ୍ଲାର ୧୧ ହଜାର ବିପନ୍ନ ପରିବାରଙ୍କୁ ଏ ପର୍ଯ୍ୟନ୍ତ ଏହି ରିଲିଫ ସହାୟତା ପ୍ରଦାନ କରାଯାଇଛି। ଆଜି ମାଲକାନଗିରି ସହରର ମୁନିସିପାଲିଟି କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାର ଦୁଇ ହଜାର ଅସହାୟ ପରିବାରଙ୍କ ପାଇଁ ଉଦ୍ଦିଷ୍ଟ ରିଲିଫ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ତାଙ୍କ କର କମଳରେ ଶୁଭାରମ୍ଭ କରାଯାଇଛି । ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ମାଲକାନଗିରି ସହରର ବିଭିନ୍ନ ବିପନ୍ନ ବର୍ଗ ଯଥା,କିନ୍ନର,ବିଧବା, ଅନାଥ ଶିଶୁଗୃହର ଅନ୍ତେବାସୀ, ଵୃଦ୍ଧାଶ୍ରମର ଅନ୍ତେବାସୀ, ଭିକ୍ଷା ବୃତ୍ତି କରି ବଞ୍ଚୁଥିବା ବହୁ ଅସହାୟ ଲୋକଙ୍କୁ ଚାଉଳ,ଡାଲି, ତେଲ,ଲୁଣ,ଚିନି, ଚୁଡା, ସୋୟା,ଆଳୁ, ମାଣ୍ଡିଆ ଛତୁଆ, ମସଲା ଥିବା ମାସକର ଶୁଖିଲା ଖାଦ୍ୟ, ରାସନକିଟ୍ ସହିତ ଶୀତ ବସ୍ତ୍ର କମ୍ବଳ ଓ ସାବୁନ,ଲୁଗା ସଫା ପାଉଡର, ମାସ୍କ ଆଦି ରିଲିଫ ପ୍ରଦାନ କରାଯାଇଛି । ଆସନ୍ତାକାଲି ଠାରୁ ଜିଲ୍ଲାର ଚାରୋଟି ବ୍ଲକ ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି, ପଡିଆ ବ୍ଲକର ଦୁର୍ଗମ ଅପହଞ୍ଚ ଅଞ୍ଚଳ ଏବଂ ମାଲକାନଗିରି ସଦର ଅଞ୍ଚଳରେ ବାସ କରୁଥିବା ଅତି ଗରିବ ଆଦିମ ଜନଜାତି ଓ ଅସହାୟ ହିତାଧିକାରୀଙ୍କୁ ଏହି ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଚାଲୁରହିବ । ହିତାଧିକାରୀଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବା, ରିଲିଫ ସାମଗ୍ରୀ ଗୁଡିକୁ ପ୍ୟାକେଟ ପ୍ରସ୍ତୁତ କରିବା, ରିଲିଫ ସାମଗ୍ରୀ ବିତରଣ ଭଳି ସମସ୍ତ କାର୍ଯ୍ୟରେ ମାଲକାନଗିରିର ୟୁଥ ରେଡକ୍ରସ ସମେତ ସବୁ ଅଗ୍ରଣୀ ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା ମାନେ ଏବଂ ସବୁ ବ୍ଲକ ପ୍ରଶାସନ ଅଧିକାରୀମାନେ ପୂର୍ଣ୍ଣପ୍ରାଣରେ ସହଯୋଗ ପ୍ରଦାନ କରୁଛନ୍ତି ।ସଂଗଠନର ବିଶ୍ୱ ସଂଯୋଜକ ଆଚାର୍ଯ୍ୟ ମର୍ମଦେବାନନ୍ଦଙ୍କ ନେତୃତ୍ୱ ରେ ସନ୍ୟାସୀ ଓ ଯୁବ ସ୍ୱେଚ୍ଛାସେବୀମାନେ ରିଲିଫ କାର୍ଯ୍ୟ ପରିଚାଳନା କରୁଛନ୍ତି ।ଅବସରପ୍ରାପ୍ତ ସହାୟକ ଯନ୍ତ୍ରୀ ଶରତ ଚନ୍ଦ୍ର ପରିଡା ରିଲିଫ ଶିବିରର ଦାୟୀତ୍ୱରେ ରହିଥିବା ଜଣା ପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି(