ଆଦିବାସୀଙ୍କ ଭରସା ଟୋଲରୁ ପ୍ରସ୍ତୁତ ଖାଇବା ତେଲ ।

0 422

ମାଲକାନଗିରି,୩୦/୦୬(ପିପିଟି); ମାଲକାନଗିରି ଜିଲ୍ଲା ଆଦିବାସୀମାନେ କେଉଁ ପ୍ରାଚୀନ କାଳରୁ ମହୁଲ ଗଛର ଫଳ ଯାହାକି ଟୋଲ କୁହାଯାଏ,ସେଥିରୁ ପ୍ରସ୍ତୁତ ତୈଳକୁ ଭଜା ଏବଂ ତରକାରୀରେ ବ୍ଯବହାର କରି ଖାଇଥାନ୍ତି । କିଛି ଟୋଲକୁ ଆଦିବାସୀମାନେ ସ୍ଥାନୀୟ ବ୍ଯବସାୟୀ ମାନଙ୍କୁ ବିକ୍ରୟ କଲା ପରେ ବର୍ଷକ ପାଇଁ ବଳକା ଟୋଲକୁ ସାଇତି ରଖି ଥାଆନ୍ତି । ଆବଶ୍ଯକ ହେଲେ ଟୋଲକୁ କୁଟୁଣୀରେ କୁଟି କପଡାରେ ବାନ୍ଧି, କୌଣସି ଭାରି ପଥରରେ ଚାପି ତେଲକୁ ବାହାର କରନ୍ତି । ଏହି ଧରଣର ଟୋଲରୁ ତୈଳ ବାହାର କରିବା ଜନଜାତିଙ୍କ ପାରମ୍ପାରିକ ଶୈଳୀ,ଯାହାକି ପ୍ରତ୍ଯେକ ଆଦିବାସୀ ଗାଁରେ ଦେଖିବାକୁ ମିଳି ଥାଏ । ବର୍ତ୍ତମାନ ବଜାରରେ ଖାଇବା ତେଲ ଅର୍ଥାତ ପାମ ଅଏଲ,ସୂର୍ଯ୍ଯମୁଖୀ, ବାଦାମ,ସୋୟାବିନ୍ ଏବଂ ସୋରିଷ ତୈଳ ଆଦି ଲିଟର ପିଛା ୧୫୦ ରୁ ୨୦୦ ଟଙ୍କା ମଧ୍ଯରେ ବଜାର ଦର ରହିଥିବା ବେଳେ ଏହାକୁ ସାଧାରଣ ଗରିବ ଲୋକ କ୍ରୟ କରି ବ୍ଯବହାର କରିବା କଷ୍ଟ ସାଧ୍ଯ । ଏଭଳି ମହଙ୍ଗା ପରିସ୍ଥିତିରେ ମାଲକାନଗିରି ଜିଲ୍ଲାର ଅନେକ ଆଦିବାସୀ ଗ୍ରାମର ଲୋକମାନେ ଖାଇବା ତେଲର ବିକଳ୍ପ ଭାବେ ଟୋଲ ତେଲକୁ ବହୁଳ ପରିମାଣରେ ଅପଣେଇବା ଦେଖିବାକୁ ମିଳିଛି । ଜଙ୍ଗଲ ଜାତ ମହୁଲ ଗଛରେ ଫଳେ ଟୋଲ ଫଳ । ତାହା ପରିପକ୍ବ ହେଲେ ଟୋଲ ଫଳର ଶସରୁ ପ୍ରସ୍ତୁତ ହୁଏ ଟୋଲ ତେଲ । ଏହା କମ୍ ଦରରେ ମିଳେ । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ ବୋଲି ମତ ବ୍ଯକ୍ତ କରନ୍ତି ଏହାକୁ ଦୀର୍ଘ ବର୍ଷ ଧରି ବ୍ୟବହାର କରୁଥିବା ଜନଜାତି ଲୋକମାନେ । ଅନ୍ଯାନ୍ଯ ତୈଳବୀଜରୁ ପ୍ରସ୍ତୁତ ଖାଇବା ତେଲର ଦର ଆକାଶ ଛୁଆଁ ହୋଇଥିବା ବେଳେ ଏହା ଏବେ ଫଳପ୍ରଦ ହୋଇଛି ପାରିଛି ଅନେକ ଗରିବ ତଥା ନିମ୍ନ ମଧ୍ୟମ ଶ୍ରେଣୀର ଆଦିବାସୀମାନଙ୍କ ପାଇଁ ।ଯେଉଁମାନଙ୍କର ବଜାରରୁ ଲିଟର ପିଛା ୧୫୦ ରୁ ୨୦୦ ଟଙ୍କାରେ ମଧ୍ଯରେ ତୈଳ କ୍ରୟ କରି ଖାଇବାର କ୍ଷମତା ରହିଛି ।ଗୋଟା ଟୋଲ କିଲୋ ପ୍ରତି ୩୦ ଟଙ୍କା ମୂଲ୍ଯରେ ବିକ୍ରୟ ହେଉଛି । ତାକୁ ପେଡିଲେ ସେଥିରୁ ମିଳୁଛି ପ୍ରାୟ ୩୫୦ଗ୍ରାମ ଟୋଲ ତେଲ । ୯୦ ଟଙ୍କାର ଟୋଲ କିଣି ପେଡିଲେ ୧୦୫୦ଗ୍ରାମ ତେଲ ମିଳିବ । ତେଣୁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଲୋକେ ବର୍ତ୍ତମାନ ନିଜ ପାରମ୍ପାରିକ ତେଲ ବ୍ୟବହାର କରି ବ୍ୟୟବହୁଳ ଖର୍ଚ୍ଚରୁ ରକ୍ଷା ପାଇଥିବା ପ୍ରକାଶ କରିଛନ୍ତି । ଆଦିବାସୀ ମାନେ ଗ୍ରୀଷ୍ମ ଋତୁରେ ମହୁଲ ଗଛରୁ ପ୍ରଥମେ ମହୁଲ ଫୁଲ ଏବଂ ପରେ ଟୋଲ ସଂଗ୍ରହ କରିଥାନ୍ତି । ମହୁଲ ଫଳକୁ ଛୋଟ ପଥରରେ ଫଟାଇ ଉପର ଚୋପାକୁ ବାହାର କରିଥାନ୍ତି I ଭିତରେ ଥିବା ଶସକୁ ଟାଣ ଖରାରେ ଶୁଖେଇ ଦେଇଥାନ୍ତି । ଏବଂ ସେହି ଶସକୁ ପେଡି ତୈଳ ସଂଗ୍ରହ କରିଥାନ୍ତି । ଏହି ତୈଳ ଖାଇବା ସହ ଦେହରେ ମଧ୍ଯ ଆଦିବାସୀମାନେ ଲଗାଇଥାନ୍ତି । ଟୋଲ ତୈଳ ଚର୍ମରୋଗ ଭଲ କରିଥାଏ । ମୁଣ୍ଡରେ ଲଗାଇଲେ କେଶ ବୃଦ୍ଧି ପାଇବା ସହ କେଶ ଝଡିବା ବନ୍ଦ କରିଥାଏ । ଏହି ତେଲର ଔଷଧ ଗୁଣ ମଧ୍ୟ ରହିଛି ।ଆଦିବାସୀମାନେ କେଉଁ ପ୍ରାଚୀନ କାଳରେୁ ଏହି ଟୋଲ ଫଳରୁ ଉତ୍ପାଦିତ ତୈଳ ବ୍ଯବହାର କରି ଆସୁଥିଲେ ମଧ୍ଯ ଅନ୍ଯାନ୍ଯ ବର୍ଗର ଲୋକମାନେ ଏହି ତୈଳକୁ କୌଣସି ସମୟରେ ବ୍ଯବହୃତ କରୁନଥିବା ମାଲକାନଗିରି ଜିଲ୍ଲାରେ ପରିଲିଖିତ ହେଉଛି । ତେବେ ଛତିଶଗଡ ଏବଂ ମହାରାଷ୍ଟ୍ରର ଆଦିବାସୀମାନେ ମଧ୍ଯ ଟୋଲ ତୈଳ ଖାଇଥାନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ ନାୟକ,ମାଲକାନଗିରି)

Leave A Reply

Your email address will not be published.