କାଶୀପୁର,୨୧/୧୨(ପିପିଟି); ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ଅନ୍ତର୍ଗତ କଳାହାଣ୍ଡି ସୀମାନ୍ତବର୍ତୀ ଅଞ୍ଚଳରେ ଥିବା କୁକୁଡ଼ାଗାଡ଼ ଗ୍ରାମରେ ଆଦିବାସୀ ଙ୍କର ମୁଖ୍ୟ ପର୍ବ ଟୁକିମରାର ପୂର୍ବ ପ୍ରସ୍ତୁତି ନିମନ୍ତେ ଆଜି ଗୁଡିଚଗା ଉତ୍ସବ ଧୁମଧାମରେ ପାଳିତ ହେଇଯାଇଛି । ଆଜିର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପାରମ୍ପରିକ ପୂଜକ ଭାବେ ନରସିଂହ ମାଝି “ଦିସାରି” ଲାକିଆ ମାଝି “ଯାନୀ” ଗୋପାଳ ମାଝି ସମେତ ଅଞ୍ଚଳର କିଛି ବେଜୁଣି ଓ ଗୁରମାଇମାନଙ୍କ ପୌରହିତ୍ୟରେ ଗୁଡିଚଗା (ଗୁଡିଘର ପ୍ରତିଷ୍ଠା) ଭୋର ସକାଳୁ ପୂଜାର୍ଚ୍ଚନା ପରେ ଏଥିରେ ବିଭିନ୍ନ ଫୁଲ ଓ ଫଳ ସହ ପୋଢ଼,ଘୁଷୁରୀ,ଛେଳି ବୋଦା ,କୁକୁଡ଼ା, ପାରା ଓ ଚିଙ୍ଗୁଡ଼ି ବଳି ଉତ୍ସର୍ଗ କରାଯାଇଥିଲା । ଆଜି ସକାଳୁ ଅଞ୍ଚଳରେ ଥିବା ବିଭିନ୍ନ ଗ୍ରାମର ଲୋକମାନେ ଏହି ଉତ୍ସବ ନିମନ୍ତେ ପୂଜା ସ୍ଥଳରେ ଏକତ୍ରୀତ ହୋଇ ସଲପ କାଠରେ ନିର୍ମିତ ବାଦ୍ୟ “ନିଶାନ” ବଜାଇ ଗାଁ ପରିକ୍ରମା କରି ପରବର୍ତ୍ତୀ ସମୟରେ ଦିନତମାମ ଗୁଡିଘର କୁ ପରିକ୍ରମା କରୁଥିବା ଦେଖିବାକୁ ମିଳିଥିଲା । ଗୁଡିଚାଗା କାର୍ଯ୍ୟକ୍ରମର ଦିନ ୧୨ ଟା ଧାର୍ଯ୍ୟ ସମୟ ରହିଥିଲା। କଂଗ୍ରେସ ବିଧାୟକ ପ୍ରାର୍ଥୀ ଆପଲସ୍ୱାମୀ କାଡ୍ରକା , ବ୍ଳକ ଅଧ୍ୟକ୍ଷା ରୁଆଇ ମାଝି,ପୂର୍ବତନ ଅଧ୍ୟକ୍ଷା ଉଜଳଦେଈ ମାଝି ଓ ନରେନ୍ଦ୍ର ନାଏକ ଙ୍କର ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମକୁ ମୁନୁଷଗାଁ ସରପଞ୍ଚ ଜୟମାଝୀ, ପୂର୍ବତନ ସରପଞ୍ଚ ଜଗେନ୍ଦ୍ର ନାଏକଙ୍କର କର କମଳ ରେ ପ୍ରତିଷ୍ଠା କରାଯାଇଥିଲା । ପ୍ରକାଶ ଥାଉ କି କାଶୀପୁର ଅଞ୍ଚଳରେ ବସବାସ କରୁଥିବା ଆଦିମ ଅଧିବାସୀ “ପେଙ୍ଗ” ସମ୍ପ୍ରଦାୟ ମଧ୍ୟରେ ବିଭିନ୍ନ ପାର୍ବଣ ମଧ୍ୟରେ ଟୁକିମରା ପର୍ବ ପ୍ରମୁଖ ପର୍ବ ଅଟେ । ୨୫ ରୁ ୩୦ ବର୍ଷକୁ ଥରେ କ୍ରମ ଅନୁଯାୟୀ ଏହି ପର୍ବ ପାଳନ କରାଯାଇଥାଏ । ପ୍ରତିବର୍ଷ ଦଶହରା ଉତ୍ସବ ପରେ ପରେ ପାଳି ଅନୁଯାୟୀ ବ୍ଲକରେ ଥିବା ଉକ୍ତ ସମ୍ପ୍ରଦାୟର ୩ଟି ଗାଁ ମାନଙ୍କରେ ଟୁକିମରା ପର୍ବ ଉପଲକ୍ଷେ କାଶୀପୁର ରାଜା ଚୟନ କରିଥାନ୍ତି ।ଏହି କାର୍ଯ୍ୟକ୍ରମ କୁ ଡିସେମ୍ବର ମାସର ପ୍ରଥମ ସପ୍ତାହ ରୁ ଧୁମଧାମରେ ଅଞ୍ଚଳର ଯୁବାଯୁବତୀ ରାତି ତମାମ ବାଦ୍ୟ ବଜାଇ ନାଚ ଗୀତ ଆରମ୍ବ କରି ଚଳିତ ବର୍ଷ ଡିସେମ୍ବର ୨୪ ପର୍ଯ୍ୟନ୍ତ ଜାରି ରଖିଥାନ୍ତି । ସେହିପରି ଡିସେମ୍ବର ୨୪ ପର୍ବ ଉପଲକ୍ଷେ ପ୍ରତି ଗାଁ ରେ ଗ୍ରାମବାସୀମାନେ ନିଜର ସମର୍ଥ ପ୍ରକାରେ କୁକୁଡା, ବୋଦା ପ୍ରସ୍ତୁତ କରି ଟୁକିମରା ସ୍ଥଳରେ ପୂଜାଭେଟି ନେଇଥାନ୍ତି । ଟୁକିମରା ପର୍ବ ଉଦ ଯାପନ ଦିବସରେ ଉକ୍ତ ଗ୍ରାମର ଧରଣୀ ଠାରେ ଟୁକିମରା ଅର୍ଥ ପୂର୍ବରୁ କୁଆଁରୀ ଝିଅକୁ ବଳି ହେଉଥିଲା ବର୍ତ୍ତମାନ ଉକ୍ତ ସ୍ଥାନରେ “ମେଶଶାବକ” ବଳି ଉତ୍ସର୍ଗ କରାଯାଇଥାଏ । ପରବର୍ତ୍ତୀ ସମୟରେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଗ୍ରାମ ବାସୀ “ତୁବକା” ମେଶ ଶାବକର ମାଂସ ଖଣ୍ଡ ଆଣିଥାନ୍ତି । ଏହି ସମ୍ପ୍ରଦାୟ ମଧ୍ୟରେ ବିଶ୍ୱାସ ରହିଛି ଏହାଦ୍ୱାରା ମାଟିକୁ ଶାନ୍ତି ଓ ଗାଁରେ ବିପଦ ହେବ ନାହିଁ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପାଇଲ ମାଝି, ଅଙ୍ଗଦ ନାଏକ, ଓ କମିଟିର ରାମ, ଶ୍ୟାମ, ବଳରାମ ନାଏକ, ଫଗୁଣ ମାଝୀ, ବୃନ୍ଦାବନ ନାଏକ, ଉଦୟ ମାଝି , ପ୍ରମୁଖ ଉପସ୍ଥିତ ଥିଲେ।
(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )