ଅବହେଳିତ କୃଷ୍ଣପ୍ରସାଦ ଗାଁ ରେ ବିକାଶର ପାଦଚିହ୍ନ ପଡିବ କେବେ !

0 792

ବୋଲଗଡ,୧୭/୦୭(ପିପିଟି); କୃଷ୍ଣପ୍ରସାଦ ବଣ ଜଙ୍ଗଲ ଘେରା ଆଦିବାସୀ ଗାଁ । ପ୍ରକୃତିର ଅନୁପମ ରୂପରେ ଗାଁ ଟି ଚିତ୍ରିତ। ପାହାଡ଼ଗୁଡିକ ସବୁ ବଉଦକୁ ଛୁଇଁବା ଛୁଇଁବା ସହ ପକ୍ଷୀଙ୍କର କାକଳିରେ ଗାଁ’ଟି ସତେ ଯେପରି ସ୍ୱର୍ଗପୁରୀ ପରି ମନେ ହୁଏ । ସରଳ, ନିରୀହ ଦ୍ରାରିଦ୍ର୍ୟ ସୀମାରେଖା ତଳେ ବାସ କରୁଛନ୍ତି  ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୩୦ ଟି ପରିବାର । ସେମାନେ ମୁର୍ଖ ହୋଇପାରନ୍ତି  କିନ୍ତୁ ମାନବିକତା ହଜାଇନାହାନ୍ତି । ପେଟ ପାଟଣା ପାଇଁ ସମ୍ପୂର୍ଣ୍ଣ ରୂପେ ଚାଷ କାର୍ଯ୍ୟ ସହିତ  କୁକୁଡ଼ା, ଛେଳି ପାଳି  ଗୁଜୁରାଣ ମେଣ୍ଟା୍ଇଥାନ୍ତି । ଏହା ତ ଥିଲା ପ୍ରକୃତ୍ତିର ବରଦାନ କିନ୍ତୁ ଏହି ଅଧ୍ୟୁଷିତ ଆଦିବାସୀ ଅଞ୍ଚଳରେ ସରକାରଙ୍କ ବିକାଶର ଅସଲ ଚେହେରା ପଦାରେ ପଡିଛି । ୩୦ ଟି ପରିବାର ସରକାରଙ୍କ ମୌଳିକ ସୁବିଧାକୁ ଜାଣିନାହାଁନ୍ତି  ଆଦିବାସୀଙ୍କ ବିକାଶ ପାଇଁ ସରକାର ଯୋଜନା ପରେ ଯୋଜନା କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି.ବୋଲି ଡିଣ୍ଡିମ ପିଟୁଛନ୍ତି ହେଲେ ସରକାରଙ୍କ ଏହି ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ଅପହଞ୍ଚ ହୋଇ ରହିଛି । ଫଳରେ ଆଦିବାସୀଙ୍କ  ବିକାଶର ଫାଇଲ୍ ନାଲିଫିତା ତଳେ ଚାପି ହୋଇ ରହୁଛି  ଆମେ କହୁଛୁ କେଉଁ ଉପାନ୍ତ ଅଞ୍ଚଳ ନୁହେଁ ଖୋର୍ଦ୍ଧା ଜିଲ୍ଲା   ବୋଲଗଡ ବ୍ଲକର ସାଗର ଗାଁ  ପଞ୍ଚାୟତର କୃଷ୍ଣପ୍ରସାଦ ଗାଁ । ଏହି ଗାଁ ରେ ଅନେକଗୁଡିଏ ସମସ୍ୟା ଦେଖା ଦେଇଥିବା ବେଳେ ମୁଖ୍ୟ ସମସ୍ୟା ହେଉଛି ଗମନା ଗମନ। ଆଜି ପର୍ଯ୍ୟନ୍ତ ଗାଁ ପାଇଁ ରାସ୍ତାଟିଏ ନାହିଁ ଆବୁଡା ଖାବୁଡା ଅଙ୍କା ବଙ୍କା ପାହାଡିଆ  ରାସ୍ତା ଦେଇ ପ୍ରତିଦିନ  ଗ୍ରାମବାସୀ ଯାତାୟତ କରନ୍ତି । ଯେ କୈାଣସି ରୋଗ ହେଲେ କିମ୍ବା ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ୩କି.ମି ପାଦରେ ଚାଲି ଚାଲି ମୁଖ୍ୟ ରାସ୍ତାକୁ ଅଣା ଯାଇଥାଏ । ଗାଁରେ ରାସ୍ତା ଅଭାବରୁ ଏଠିକାର ଲୋକେ ଇଟା, ବାଲି, ସିମେଣ୍ଟ ଆଣି ନପାରି ପ୍ରଧାନମନ୍ତ୍ରୀ ଆବାସ ସବୁ ନିର୍ମାଣ କରି ପାରୁନାହାନ୍ତି ଯାହା ଫଳରେ ଆଜିମଧ୍ୟ ମାଟିଚାଳଛପର ଘର ଦେଖିବାକୁ ମିଳୁଛି ଏଠାର  ଅନ୍ୟତମ ସମସ୍ୟା ହେଉଛି ପିଇବା ପାଣି । ଗାଁରେ ନଳକୂଅ ନଥିବାରୁ ଡ୍ୟାମ ପାଣି  ଉପରେ ଭରସା କରୁଛନ୍ତି ଏଠାକାର ଅଧିବାସୀ। ପ୍ରାୟ ୨ କି.ମି ଚାଲି ଚାଲି ଡ୍ୟାମରୁ ମୁଣ୍ଡ ରେ ବୋହି ପିଇବା ପାଣି ଆଣୁଛନ୍ତି  ଏହି ପାଣି ବ୍ୟବହାର କରିବା ଦ୍ୱାରା ଅନେକସମୟ ରେ ଲୋକମାନଙ୍କୁ ବିଭିନ୍ନ ରୋଗର ଶିକାର ହେବାକୁ ପଡେ ବର୍ଷା ଦିନରେ ଏହି ରାସ୍ତା ରେ ମୁଣ୍ଡ ରେ ପାଣି ଧରି ଯିବାରେ କେତେ କଷ୍ଟ ତାହା କେବଳ ସେମାନେ ହିଁ ଜାଣନ୍ତି ଅନେକ ସରକାରୀ ଯୋଜନା ଥିଲେ ବି ସବୁ ଅପହଞ୍ଚ ହୋଇପଡିଛି ଏଠାକାର ଅଧିବାସୀଙ୍କ ପାଇଁ । ଏହି ଗାଁରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ର ସମ୍ପୂର୍ଣ୍ଣ ଫେଲ୍ । ଗାଁରେ ଗୋଟିଏ ହେଲେ ପାଇଖାନା ନାହିଁ । ଗାଁର ଲୋକେ ବାହାରେ ମଳତ୍ୟାଗ କରି ଅନେକ ସଂକ୍ରାମକ ରୋଗରେ ପୀଡ଼ିତ ହେଉଛନ୍ତି । ଅଙ୍ଗନୱାଡି କେନ୍ଦ୍ର ନଥିବାରୁ ଅନେକ ଶିଶୁ ଅପପୃଷ୍ଟିର ଶିକାର ହେଉଛନ୍ତି । ଏମିତି ବିଭିନ୍ନ ସମସ୍ୟା ଦେଇ ଘାଣ୍ଟି ଚକଟି ହେଉଛନ୍ତି କୃଷ୍ଣପ୍ରସାଦ ଗ୍ରାମବାସୀ। ଗାଁ ବିଭିନ୍ନ ସମସ୍ୟାକୁ ନେଇ ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟଠାରୁ ଜିଲ୍ଲାପାଳ କାର୍ୟ୍ୟାଳୟ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିଛନ୍ତି  ନିର୍ବାଚନ ଆସିଲେ ଗାଁ ରେ ପଶି ଭୋଟ ପାଇଁ ନିବେଦନ କରିଥାନ୍ତି ଭୋଟ ସରିଗଲେ ଏମାନେ ଯେମିତି ଅଲୋଡା ହୋଇଯାଆନ୍ତି ବୋଲି ଆଦିବାସୀ ମାନେ କହିଛନ୍ତି । ତେଣୁ ଏହି ଆଦିବାସୀ ପଲ୍ଲୀ ଉପରେ ପ୍ରଶାସନର ଶୁଭ ଦୃଷ୍ଟି କେବେ ପଡିବ ବୋଲି ବୁଦ୍ଧିଜିବୀ ମହଲରୁ ମତ ପ୍ରକାଶ ପାଇଛି ।
ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।

Leave A Reply

Your email address will not be published.