ଅଧ୍ୟକ୍ଷଙ୍କ ଶ୍ରାଦ୍ଧ ବାର୍ଷିକୀରେ ଇତିହାସ ବିଭାଗ ଅଧ୍ୟାପକଙ୍କ ଅକାଳ ବିୟୋଗରେ ଛାତ୍ରଛାତ୍ରୀ ସ୍ତବ୍ଧ, ଅଞ୍ଚଳରେ ଶୋକର ଛାୟା ।

0 207

ଗାଙ୍ଗପୁର/ବେଲଗୁଣ୍ଠା, ୨୭/୦୭(ପିପିଟି); ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ଵନକ୍ଷତ୍ର ଦିବସ ଏକ ବର୍ଷ ଅନ୍ତରରେ ପୁଣି ଥରେ ଏକ ଦୁଃସମ୍ବାଦ ଆଣିଦେଇଛି । ସୂଚନା ପ୍ରକାରେ ଗତ ବର୍ଷ ଜୁଲାଇ ୨୬ ତାରିଖରେ ବିଦ୍ୟାଳୟର ୩୬ ତମ ସ୍ଵନକ୍ଷତ୍ର ଦିବସ ପାଳନର ଅନ୍ତିମ ପର୍ଯ୍ୟାୟରେ ବିଦ୍ୟାଳୟର ତତ୍କାଳୀନ ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ଅକାଳ ବିୟୋଗ ଘଟିଥିଲା । ପୁଣି ଚଳିତ ବର୍ଷ ସେହି ଜୁଲାଇ ୨୬ ତାରିଖରେ ଦିବଂଗତ ଅଧ୍ୟକ୍ଷଙ୍କ ଶ୍ରାଦ୍ଧ ବାର୍ଷିକୀରେ ବିଦ୍ୟାଳୟର ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ତ୍ରିପାଠୀ ଅବିଶ୍ଵସନୀୟ ଭାବେ ପୃଥିବୀ ପୃଷ୍ଠରୁ ବିଦାୟ ନେଇଛନ୍ତି । ଖବର ଅନୁଯାୟୀ ଅଧ୍ୟାପକ ଡକ୍ଟର ତ୍ରିପାଠୀ କିଛିଦିନ ହେବ ଜ୍ଵରରେ ଆକ୍ରାନ୍ତ ଥିଲେ । କିନ୍ତୁ କରୋନା ଭୟାବହତା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ମେଡିକାଲ୍ ରେ ଓପିଡି ବନ୍ଦ ଥିବା ଯୋଗୁଁ ସ୍ଵର୍ଗତ ଅଧ୍ୟାପକଙ୍କର ଉଚ୍ଚ ମାନର ଚିକିତ୍ସା ହୋଇ ପାରିନଥିଲାବେଳେ ସେ ସ୍ଥାନୀୟ ବିଭିନ୍ନ ଔଷଧ ଦୋକାନରୁ ଔଷଧ କିଣି ଖାଉଥିଲେ କିନ୍ତୁ ୨୬ ତାରିଖ ସନ୍ଧ୍ୟାରେ ଡକ୍ଟର ତ୍ରିପାଠୀଙ୍କ ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡକ୍ଟର ତ୍ରିପାଠୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ୨୭ ତାରିଖ ସକାଳେ ସ୍ଵର୍ଗତ ତ୍ରିପାଠୀଙ୍କ ଶବ ବ୍ୟବଚ୍ଛେଦ କରାଯାଇ ମେଡିକାଲ୍ ତରଫରୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଏକ ମହାପ୍ରୟାଣ ଗାଡ଼ିରେ ଶବ ନିଜର ଜନ୍ମଭୂମି ତଥା କର୍ମଭୂମି କ୍ଷତ୍ରିୟବରପୁରରେ ପହଞ୍ଚିବା ପରେ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସହକର୍ମୀ, ପୁରାତନ ଛାତ୍ର ସଂଗଠନ, ଅଞ୍ଚଳର ବୁଦ୍ଧିଜୀବୀମାନେ କୋଭିଡ-୧୯ ମାର୍ଗଦର୍ଶିକାକୁ ସମ୍ମାନ ଜଣାଇ କ୍ଷତ୍ରିୟବରପୁର ମୁଖ୍ୟ ସଡକ ଉଭୟ ପାର୍ଶ୍ୱ ରେ ଛିଡା ହୋଇ ନିଜର ପ୍ରିୟ ଅଧ୍ୟାପକଙ୍କୁ ଅଶ୍ରୁଭରା ଆଖିରେ ଅନ୍ତିମ ବିଦାୟ ଜଣାଇଥିଲେ । କେବଳ ପରିବାର ଏବଂ ନିକଟ ସମ୍ପର୍କୀୟ ଅଳ୍ପ ସଂଖ୍ୟକ ଲୋକ ଶବକୁ ଶ୍ମଶାନକୁ ନେଇ ଅନ୍ତିମ ସତ୍କାର କରିଥିଲେ । ମହାବିଦ୍ୟାଳୟରେ ଅଧ୍ୟକ୍ଷ, ସହକର୍ମୀ, କର୍ମଚାରୀ ଏବଂ ପୁରାତନ ଛାତ୍ର ସଂଗଠନ ଏକ ନୀରବ ପ୍ରାର୍ଥନା କରି ସ୍ଵର୍ଗତ ତ୍ରିପାଠୀଙ୍କ ଆତ୍ମାର ସଦ୍‌ଗତି କାମନା କରିଥିଲେ । ସ୍ଵର୍ଗତ ତ୍ରିପାଠୀ ବିଦ୍ୟାଳୟର ଜଣେ ମିଷ୍ଟଭାଷୀ ଛାତ୍ର ବତ୍ସଳ ଅଧ୍ୟାପକ ଥିବାବେଳେ ନିଜ ଅଞ୍ଚଳରେ ଏକ ଉତ୍ତମ ବ୍ୟକ୍ତିତ୍ଵ ଥିଲେ । ନିଜର ପ୍ରିୟ ଅଧ୍ୟକ୍ଷଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ପୁଣି ଥରେ ପ୍ରିୟ ଅଧ୍ୟାପକଙ୍କ ଅକାଳ ବିୟୋଗକୁ ଛାତ୍ରଛାତ୍ରୀ ସହଜରେ ଗ୍ରହଣ କରିପାରୁନାହାନ୍ତି । ଜୁଲାଇ ୨୬ ଆମ ବିଦ୍ୟାଳୟର ସ୍ଵନକ୍ଷତ୍ର ଦିବସ ନୁହେଁ, ଏହା ଆମ ପାଇଁ କଳା ଦିବସ ବୋଲି ବହୁ ଛାତ୍ରଛାତ୍ରୀ କାନ୍ଦି କାନ୍ଦି ପ୍ରକାଶ କରିଛନ୍ତି ।

ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.