ମାଲକାନଗିରି, ୦୨/୧୧(ପିପିଟି): ପାପିକୋଣ୍ଡା ଅଞ୍ଚଳରୁ ଆସିଥିବା ରେଡିଓ କଲାର୍ ଲାଗିଥିବା ଏକ ବାଘ ବର୍ତ୍ତମାନ ମାଲକାନଗିରି ବନଖଣ୍ଡ ଅନ୍ତର୍ଗତ ମୋଟୁ ରେଞ୍ଜରେ ଚଳପ୍ରଚଳ କରୁଥିବା ମାଲକାନଗିରି ବନଖଣ୍ଡ ଅଧିକାରୀ ସାଇ କିରଣ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି । ବାଘର ଗତିବିଧି ଉପରେ ବନ ବିଭାଗ ନଜର ରଖିବା ସହ ସ୍ଥାନୀୟ ଲୋକଙ୍କ ସୁରକ୍ଷା ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ନିର୍ଦ୍ଦେଶାବଳୀ ଅନୁସାରେ ବାଘର ଗତିବିଧି ଉପରେ ନିରନ୍ତର ନଜର ରଖାଯିବାସହ ଆଖପାଖ ଗ୍ରାମଗୁଡ଼ିକରେ ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ସଚେତନତା କରାଯାଉଛି। ଗ୍ରାମବାସୀଙ୍କୁ ସତର୍କ ରହିବା, ବିପଦପୂର୍ଣ୍ଣ ଅଞ୍ଚଳକୁ ନଯିବା ଏବଂ ବାଘକୁ ଦେଖିଲେ ତାହାର ନିକଟକୁ ନଯିବା କିମ୍ବା ତାକୁ ଉତ୍ତେଜିତ ନକରିବା ପାଇଁ ପରାମର୍ଶ ଦିଆଯାଇଛି। ବାଘର ଗତିବିଧି ଉପରେ ନିରନ୍ତର ନଜର ରଖିବା ପାଇଁ ରାପିଡ୍ ରେସପନ୍ସ ଟିମ୍ ଏବଂ ବନ ବିଭାଗର କ୍ଷେତ୍ର କର୍ମଚାରୀ ନିୟୋଜିତ ହୋଇଛନ୍ତି ।ବନ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କୁ ବିଭାଗର ସମସ୍ତ ପରାମର୍ଶ ପାଳନ କରିବା ସହ ବାଘକୁ ଦେଖିବା, ନୂଆ ପାଦଚିହ୍ନ କିମ୍ବା ଅସ୍ୱାଭାବିକ ଗତିବିଧି ଦେଖିଲେ ତୁରନ୍ତ ନିକଟସ୍ଥ ବନ ବିଭାଗ କର୍ମଚାରୀଙ୍କୁ ଜଣାଇବାକୁ ଅନୁରୋଧ କରାଯାଇଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)