ରାଉରକେଲା,୨୦/୧୦(ପିପିଟି): ଜମିଜମା ବିବାଦକୁ କେନ୍ଦ୍ର କରି ଦାଦାଙ୍କ ତୀରମାଡ଼ରେ ଜଣେ ବିବାହିତ ଝିଆରୀ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ରାଉରକେଲାର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଦଳପୋଷ ଗାଁରେ ଘଟିଛି। ଆହତ ମହିଳା ହେଉଛନ୍ତି ରଜନୀ ଟପ୍ପୋ। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଦାଦା ଲକ୍ଷ୍ମଣ ଓରାମଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ରଜନୀ କିଛି ଦିନ ହେଲା ନିଜ ବାପଘର ଦଳପୋଷ ଗାଁକୁ ଆସିଥିଲେ। ମଙ୍ଗଳବାର ଜମିଜମା ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ଉତ୍ତ୍ୟକ୍ତ ହୋଇ ଲକ୍ଷ୍ମଣ ଓରାମ ରଜନୀଙ୍କୁ ଲକ୍ଷ୍ୟ କରି ତୀରମାଡ଼ କରିଥିବା ଅଭିଯୋଗ ହୋଇଛି। ତୀରଟି ତାଙ୍କ ପେଟରେ ବାଜିବାରୁ ସେ ଗୁରୁତର ଆହତ ହୋଇଥିଲେ।
ପରିବାର ଲୋକେ ତୁରନ୍ତ ରଜନୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଥିଲେ। ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ବନ୍ଧମୁଣ୍ଡା ପୁଲିସ ଅଭିଯୁକ୍ତ ଲକ୍ଷ୍ମଣ ଓରାମଙ୍କୁ ଅଟକ ରଖି ଘଟଣାର କାରଣ ଓ ପରିସ୍ଥିତି ସମ୍ପର୍କରେ ତଦନ୍ତ ଚଳାଇଛି।