ଭଦ୍ରକ, ୧୮/୧୦: ଭଦ୍ରକ ରେଳ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଜିଆରପି ପୁଲିସର ସୂଚନା ଅନୁଯାୟୀ, ଯୁବକ ଜଣକ ପ୍ଲାଟଫର୍ମରେ ଠିଆ ହୋଇଥିବା ସମୟରେ ଡାଉନ୍ ଲାଇନ୍ରେ କୋଲକାତା ଅଭିମୁଖେ ଯାଉଥିବା ୦୩୧୦୪ ନମ୍ବର ପୂଜା ସ୍ପେଶାଲ୍ ଟ୍ରେନ୍ ସାମ୍ନାକୁ ଡେଇଁ ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଯୁବକଙ୍କ ନିକଟରୁ କୌଣସି ପରିଚୟପତ୍ର କିମ୍ବା ଅନ୍ୟ କାଗଜପତ୍ର ମିଳି ନଥିବାରୁ ଏଯାଏଁ ତାଙ୍କ ପରିଚୟ ଜଣାପଡ଼ିନାହିଁ। ସେ କେଉଁ କାରଣରୁ ଏପରି ପଦକ୍ଷେପ ନେଲେ, ସେନେଇ ମଧ୍ୟ ପୁଲିସକୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଜିଆରପି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଆବଶ୍ୟକ ପଡ଼ିଲେ ସାଇଣ୍ଟିଫିକ୍ ଟିମ୍ର ସହାୟତା ନିଆଯାଇପାରେ। ଶବ ବ୍ୟବଚ୍ଛେଦ ଓ ତଦନ୍ତ ପରେ ମୃତ୍ୟୁ ସମ୍ପର୍କିତ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ପୁଲିସ ଆଶା କରୁଛି।