ବୋଲଗଡ଼ ମାଟିର ଗର୍ବ ରାଜ୍ୟସ୍ତରରେ ସମ୍ମାନିତ ହେଲେ ସାନନ୍ଦ ସାର ।

ବୋଲଗଡ଼, ୦୮/୧୧ (ପିପିଟି): ପୁଣି ଥରେ ବୋଲଗଡ଼ ମାଟିର ନାଁ ରାଜ୍ୟସ୍ତରରେ ଉଜ୍ଜ୍ୱଳ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ସାନନ୍ଦ କୁମାର ସାହୁ। ଗତ ୭ ନଭେମ୍ବର ୨୦୨୬ରେ ଜୟଦେବ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ଶିଶୁ ବିକାଶ ଓ ସମାଜ ଉନ୍ନୟନ କେନ୍ଦ୍ର, ଓଡ଼ିଶାର ୨୭ତମ ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବରେ ସାହୁ ସାରଙ୍କୁ ‘ଶିକ୍ଷା ସେବା ସମ୍ମାନ-୨୦୨୬’ ରେ ସମ୍ମାନିତ କରାଯାଇଛି।

ଏହି ଭବ୍ୟ ସମାରୋହରେ ରାଜ୍ୟର ୨୨୦ ଜଣ ମେଧାବୀ ଛାତ୍ରଛାତ୍ରୀ, ୫ଟି ଶ୍ରେଷ୍ଠ ବିଦ୍ୟାଳୟ ଏବଂ ୨ ଜଣ ସଂଯୋଜକଙ୍କୁ ମାନପତ୍ର, ଉତ୍ତରୀୟ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସେଥି ମଧ୍ୟରୁ ଆମ ବୋଲଗଡ଼ ବ୍ଲକର ୪ ଜଣ ଛାତ୍ରଛାତ୍ରୀ ମଧ୍ୟ ସମ୍ମାନିତ ହୋଇଛନ୍ତି, ଯାହା ବୋଲଗଡ଼ ପାଇଁ ଗର୍ବର ବିଷୟ।

ସାନନ୍ଦ ସାର୍ କେବଳ ଜଣେ ଶିକ୍ଷକ ନୁହଁନ୍ତି, ସେ ଏକ ଅନୁଷ୍ଠାନ। ଦୀର୍ଘ ୧୦ ବର୍ଷ ଧରି ସେ ଏହି ଅନୁଷ୍ଠାନ ସହ ଜଡିତ ରହି ନିଃସ୍ୱାର୍ଥ ଭାବେ ସେବା କରି ଆସୁଛନ୍ତି। ତାଙ୍କର ଗୋଟିଏ ନିଶା ଗ୍ରାମାଞ୍ଚଳରେ ଲୁଚି ରହିଥିବା ପ୍ରତିଭାକୁ ଖୋଜି ବାହାର କରିବା। ପରୀକ୍ଷା ମାଧ୍ୟମରେ ମେଧାବୀ ପିଲାଙ୍କୁ ଚୟନ କରି ରାଜ୍ୟସ୍ତରରେ ପରିଚୟ ଦେବା ତାଙ୍କର ବ୍ରତ। ସେ ବିଶ୍ୱାସ କରନ୍ତି “ବଣମଲ୍ଲୀ ବନରେ ମଉଳିବା ଉଚିତ୍ ନୁହେଁ”। ଏହି ବ୍ରତ ନେଇ ସେ ବହୁ ଦିନରୁ ସଂଗ୍ରାମ ଜାରି ରଖିଛନ୍ତି। ତାଙ୍କ ମାର୍ଗଦର୍ଶନରେ ପ୍ରାୟ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ରାଜ୍ୟ ତଥା ରାଜ୍ୟ ବାହାରେ ଉଚ୍ଚ ଶିକ୍ଷା ଗ୍ରହଣ କରି ସୁନାମ ଅର୍ଜନ କରିଛନ୍ତି। ସେଥିପାଇଁ ବ୍ଲକ ସ୍ତରରୁ ଆରମ୍ଭ କରି ଜିଲ୍ଲା, ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତର ଯାଏଁ ସେ ସମ୍ମାନିତ ହୋଇଛନ୍ତି। ସେ ପ୍ରକୃତରେ ଆମ ବୋଲଗଡ଼ ମାଟିର ସୁଯୋଗ୍ୟ ସନ୍ତାନ। ତାଙ୍କର ଏହି ସେବା ଓ ସଂଗ୍ରାମ ଜାରି ରହୁ ଏହା ହିଁ ସମସ୍ତଙ୍କ କାମନା।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment