ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି, କିଚକେଶ୍ୱରୀଙ୍କୁ କରିବେ ଦର୍ଶନ ।

ଭୁବନେଶ୍ୱର, ୧୭/୧୦(ପିପିଟି ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅକ୍ଟୋବର ୨୮ ଓ ୨୯ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ ମୟୂରଭଞ୍ଜ ଜିଲ୍ଲାରେ ଆୟୋଜିତ ଏକ ମେଗା ଚକ୍ଷୁ ଚିକିତ୍ସା ଶିବିରରେ ଯୋଗଦେବା ସହ ପାହାଡ଼ପୁର ଗସ୍ତ କରିବେ। ଏହା ସହିତ ସେ ମୟୂରଭଞ୍ଜର ପ୍ରସିଦ୍ଧ ମା’ କିଚକେଶ୍ୱରୀ ମନ୍ଦିରକୁ ଯାଇ ଦେବୀଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ସୂଚନା ଦେଇଛନ୍ତି।

ରାଷ୍ଟ୍ରପତିଙ୍କ ଗସ୍ତକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଶନିବାର ସକାଳ ୧୦ଟାରେ ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା, ଯାତାୟାତ ନିୟନ୍ତ୍ରଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯିବ। ଏଥିରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ।

Comments (0)
Add Comment