ପ୍ରସବ ସମୟରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିଷରରେ ଉତ୍ତେଜନା ।

ବାଣପୁର, ୨୧/୦୫: ବୁଧବାର ସନ୍ଧ୍ୟାରେ ପ୍ରସବ ସମୟରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ମହିଳାଙ୍କର ମୃତ୍ୟୁ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ପ୍ରସବ ସମୟରେ ଫିଡ୍ସ ମାରିବାରୁ ମହିଳା ଜଣଙ୍କ ଗୁରୁତର ହୋଇପଡିଥିବାରୁ ତାଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ଭୁବନେଶ୍ୱର ରେଫର କରାଯାଇଥିବା ରାତ୍ରକାଳୀନ ଦାୟିତ୍ୱରେ ଥିବା ଡାକ୍ତର ପ୍ରକାଶ କରିଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ଲାଗି ରହିଛି ।
ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଆଜି ସକାଳୁ ବାଣପୁର ବଡ ହନ୍ତୁଆଡ଼ ହରିଜନ ସାହିର ପ୍ରସୂତୀ ପାୟଲ ନାୟକ (୨୩)ଙ୍କୁ ପ୍ରସବ ପାଇଁ ବାଣପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିବାର ଲୋକେ ଆଣିଥିଲେ । ଦିନ ତମାମ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯାଇଥିଲା । ସନ୍ଧ୍ୟାରେ ଅଧିକ ଯନ୍ତ୍ରଣା ହେବାରୁ ପ୍ରସବ ପାଇଁ କେନ୍ଦ୍ରର ଚିକିତ୍ସାଧିକାରୀ ଡା. ରମାକାନ୍ତ ନାୟକ ପ୍ରସବ ଗୃହକୁ ନେଇଥିଲେ । ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ପାୟଲ ସୁସ୍ଥ ଥିବା ବେଳେ ସାଢେ ୫ଟାରେ ପାୟଲଙ୍କୁ ଫିଡ୍ସ ମାରିବାରୁ ଡାକ୍ତରଙ୍କ ପରାର୍ମଶ କ୍ରମେ ନର୍ସ ଇଞ୍ଜେକ୍ସନ ଦେଇଥିଲେ । ମାତ୍ର ଏହାର କିଛି ସମୟ ପରେ ପରିବାର ଲୋକେ ପ୍ରସୂତୀକୁ ଦେଖିଲା ବେଳକୁ ତାଙ୍କର ଅବସ୍ଥା ସଂକଟାପର୍ଣ୍ଣ ହୋଇସାରିଥିଲା । ଡାକ୍ତର ରମାକାନ୍ତ ନାୟକ ସଂନ୍ଧ୍ୟା ପ୍ରାୟ ୬. ୪୦ ସମୟରେ ପ୍ରସୂତୀଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରିବାପାଇଁ ଡା. ଅନିରୁଦ୍ଧଙ୍କୁ ଦାୟୀତ୍ୱ ଦେଇ ଡାକ୍ତରଖାନା ଛାଡିଥିଲେ । ମାତ୍ର ସେତେ ବେଳକୁ ପାୟଲଙ୍କ ମୃତ୍ୟୁ ହୋଇ ଯାଇଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି । ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ପାୟଲଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ମୃତ ବ୍ୟକ୍ତିଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଡାକ୍ତର ରେଫର କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯିବା ସହ କ୍ଷତି ପୂରଣ ଦାବିରେ ମୃତ ପାୟଲଙ୍କ ପରିବାର ଓ ସର୍ମ୍ପକୀୟ ଡାକ୍ତରଖାନାରେ ଧାରଣାରେ ବସିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ଅନ୍ୟପକ୍ଷରେ ଡାକ୍ତର କହିଛନ୍ତି ପ୍ରସୂତିଙ୍କର ହଠାତ ଫିଟ୍ସ ମାରିବା ଯୋଗୁ ସେ ସଂକଟାପର୍ଣ୍ଣ ହୋଇପଡିଥିଲେ । ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନାନ୍ତର କରାଯିବା ପାଇଁ ରେଫର କରାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଖବର ପାଇ ବାଣପୁର ଥାନା ଅଧିକାରୀ ଜୟ ପ୍ରକାଶ ପରିଡା ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ôଚ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରୁଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି ।

Comments (0)
Add Comment