ପୁଷ୍ପଗିରିରୁ ଲୁମ୍ବିନୀ ।

ବୋଧଗୟା/ନାଳନ୍ଦା ,୩୦/୦୪:ଓଡିଶାର ପ୍ରାଚୀନ ବୌଦ୍ଧ ମହାବିହାର ପୁଷ୍ପଗିରିର ରତ୍ନଗିରି-ଉଦୟଗିରି-ଲଳିତଗିରି-ଲାଙ୍ଗୁଡିରୁ ସଂସ୍କତି-ଐତିହ୍ୟପ୍ରେମୀ ପ୍ରତିନିଧିଦଳ ଗୌତମବୁଦ୍ଧଙ୍କ ଜୀବନୀପଥକୁ ଅନୁସରଣ କରି ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ-ସାଂସ୍କୃତିକ ଯାତ୍ରା ଆରମ୍ଭ କରିଛନ୍ତି ପ୍ରଜ୍ଞାପୀଠ ପୁଷ୍ପଗିରିରୁ ବୁଦ୍ଧଙ୍କ ଜନ୍ମପୀଠ ନେପାଳର ଲୁମ୍ବିନୀ ପର୍ଯ୍ୟନ୍ତ। ଏହି ଯାତ୍ରା ପୁଷ୍ପଗିରିକୁ ଏକ ପ୍ରାଚୀନ ବିଶ୍ୱବିଦ୍ୟାଳୟ ଓ ଜ୍ଞାନକେନ୍ଦ୍ର ଭାବେ ପୁନଃଆବିଷ୍କାର କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି। ସାଂସ୍କୃତିକ ବିଶେଷଜ୍ଞ ପ୍ରକାଶ ଚନ୍ଦ୍ର ନାୟକ, ଇନଟାକ୍ ସଦସ୍ୟ ବିପିନ ବିହାରୀ ମହାନ୍ତି, ଐତିହ୍ୟ ଏବଂ ସଂସ୍କୃତି ଗବେଷକ ଶୁଭେନ୍ଦୁ କୁମାର ଭୂୟାଁ, ବରିଷ୍ଠ ସାମ୍ବାଦିକ ଆଶିଷ ସେନାପତି ଓ ରତ୍ନଗିରିର ଐତିହ୍ୟ ସଂରକ୍ଷକ ଚୌଧୁରୀ ଅତୁଲ କୁମାର ମଙ୍ଗରାଜ ମହାପାତ୍ର ଏହି ପ୍ରତିନିଧିଦଳରେ ଯୋଗଦେଇଛନ୍ତି । ପ୍ରାଚୀନ ଉଡ୍ରଦେଶର ପୁଷ୍ପଗିରି ବୌଦ୍ଧମହାବିହାରର ଐତିହ୍ୟକୁ ପ୍ରଚାର ଓ ପୁନରୁଜ୍ଜୀବିତ କରିବାକୁ ପ୍ରାରମ୍ଭିକ ପ୍ରୟାସ ଆରମ୍ଭ କରିଥିବା ସେମାନେ କହିଛନ୍ତି ।

ଯାତ୍ରାପଥରେ ଏହି ଐତିହ୍ୟ ସଂଗୋଷ୍ଠୀ ଦଳ ବିଶ୍ୱ ଐତିହ୍ୟ ମାନ୍ୟତାପ୍ରାପ୍ତ ବିହାରର ବୋଧଗୟାଠାରେ ପହଞ୍ଚିଥିଲେ—ଯେଉଁଠାରେ ବୁଦ୍ଧ ପ୍ରଥମ ଜ୍ଞାନଲାଭ କରିଥିଲେ। ମହାବୋଧି ମନ୍ଦିର, ବୋଧିବୃକ୍ଷ ଓ ବିଭିନ୍ନ ଦେଶର ବୌଦ୍ଧ ମଠମନ୍ଦିର ଏଠାରେ ବିଶ୍ୱ ବୌଦ୍ଧ ସଂସ୍କୃତିର ଏକ ଜୀବନ୍ତ ଚିତ୍ର ପ୍ରଦର୍ଶନ କରୁଛି। ଏହି ପବିତ୍ର ସ୍ଥାନରେ ‘ବୁଦ୍ଧଂ ଶରଣଂ ଗଚ୍ଛାମି, ଧର୍ମଂ ଶରଣଂ ଗଚ୍ଛାମି, ସଂଘଂ ଶରଣଂ ଗଚ୍ଛାମି’ର ଅର୍ଥକୁ ନିକଟରୁ ଅନୁଭବ କରିବାର ସୁଯୋଗ ମିଳିଥିଲା।

ଏହି ପ୍ରତିନିଧିଦଳ ରାଜଗିରି, ଗୃଧ୍ରକୂଟ ପରିଦର୍ଶନ ସହିତ ଭାରତର ପ୍ରାଚୀନତମ ବୌଦ୍ଧଯୁଗୀୟ ନାଳନ୍ଦା ମହାବିହାରଠାରେ ପହଞ୍ଚିଥିଲେ।ବୋଧଗୟାରୁ ନାଳନ୍ଦା ଯାତ୍ରା ପଥରେ ଓଡ଼ିଶାରେ ଥିବା ଉଦୟଗିରି ଏବଂ ରତ୍ନଗିରି ନାମରେ ନାମିତଥିବା ଦୁଇଟି ବୌଦ୍ଧପୀଠର ଗିରିଶୃଙ୍ଗ ରହିଥିବା ଦେଖିବାକୁ ପାଇଥିଲେ ।

ନାଳନ୍ଦାଠାରେ ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରୁ ଆରମ୍ଭ ହୋଇଥିବା ଏହି ପ୍ରାଚୀନ ବିଶ୍ୱବିଦ୍ୟାଳୟର ମଠ, ସ୍ତୂପ ଓ ଭୋଟିଭ୍ ସ୍ତୂପଗୁଡ଼ିକ ପ୍ରାଚୀନ ଭାରତର ଜ୍ଞାନ ଓ ଆଧ୍ୟାତ୍ମିକ ଐଶ୍ୱର୍ଯ୍ୟକୁ ଉଜାଗର କରୁଛି। ନାଳନ୍ଦା ଥିଲା ପ୍ରାଚୀନ ଭାରତର ଏକ ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ଯେଉଁଠାରେ ଦେଶବିଦେଶର ହଜାର ହଜାର ବିଦ୍ୟାର୍ଥୀ ବୁଦ୍ଧ ଧର୍ମର ମହାଯାନ ଏବଂ ହୀନଯାନ ତତ୍ତ୍ୱ ସହିତ ବୈଦିକ ଶାସ୍ତ୍ର, ଦର୍ଶନ,ତର୍କଶାସ୍ତ୍ର, ଧର୍ମଶାସ୍ତ୍ର,ତତ୍ତ୍ୱମୀମାଂସାତତ୍ତ୍ୱଶାସ୍ତ୍ର, ବ୍ୟାକରଣ, ଜ୍ୟୋତିଷଶାସ୍ତ୍ର, ଗଣିତ ଓ ଭେଷଜ ବିଦ୍ୟାଧ୍ୟାୟନ କରୁଥିଲେ ।

ଅଗ୍ନିଦଗ୍ଧ କରାଯାଇ ଧ୍ଵଂସ ହେବା ସତ୍ତ୍ୱେ ଆଜିର ନାଳନ୍ଦାକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ସଂରକ୍ଷିତ ସହିତ ବିକଶିତ କରିଛି । ଏହାସହିତ ଏହାର ପୁନରୁତ୍ଥାନ ମଧ୍ୟ ହେଉଛି । ଆଧୁନିକ ପାଠାଗାର ଓ ପୂର୍ବାଧାର ସହିତ ଏହା ଆଉଥରେ ଜ୍ଞାନର କେନ୍ଦ୍ର ହେବାକୁ ଯାଉଛି। ଓଡ଼ିଶାର ପ୍ରାଚୀନ ବୁଦ୍ଧଭୂମିରୁ ଯାଇଥିବା ବୌଦ୍ଧ ଐତିହ୍ୟ ସଂଗୋଷ୍ଠୀ ନାଳନ୍ଦା ବିଶ୍ୱବିଦ୍ୟାଳୟ, ହୁଏନଂସା ସ୍ମାରକୀ କେନ୍ଦ୍ର ମଧ୍ୟ ପରିଦର୍ଶନ କରିବା ସହିତ ବିଭିନ୍ନ ସ୍ଥାନରେ ଥିବା ବୌଦ୍ଧ ମଠର ଭିକ୍ଷୁ, ନାଳନ୍ଦା ବିଶ୍ୱବିଦ୍ୟାଳୟର ଗବେଷକ ବିଦ୍ୟାର୍ଥୀ, ପ୍ରତ୍ନତତ୍ତ୍ୱ ବିଶେଷଜ୍ଞ, ସ୍ଥାନୀୟ ଅଧିବାସୀମାନଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ। ଏହି ଦଳରେ ବୌଦ୍ଧଐତିହ୍ୟର ଗାଇଡ ଭାବେ ଲବାରସିଂହ ବୌଦ୍ଧମହାବିହାର ଦାୱା ତାମାଙ୍ଗ ମଧ୍ୟ ସାମିଲ ହୋଇଛନ୍ତି ।

ଏହି ଯାତ୍ରା କେବଳ ଏକ ଧାର୍ମିକ ପର୍ଯ୍ୟଟନ ନୁହେଁ ବରଂ ପ୍ରାଚୀନ ପୁଷ୍ପଗିରି ବୌଦ୍ଧମହାବିହାର

ଐତିହ୍ୟର ସଂରକ୍ଷଣ ଓ ମାନବ ସମାଜର କଳ୍ୟାଣ ପାଇଁ ବୁଦ୍ଧଙ୍କ ଶାଶ୍ୱତବାଣୀକୁ ପ୍ରଚାର କରିବାର ଏକ ସଂଘବଦ୍ଧ ପ୍ରୟାସ ବୋଲି ପ୍ରତିନିଧିମାନେ କହିଛନ୍ତି ।

Comments (0)
Add Comment