୮୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଲୋକାର୍ପିତ ଓ ଶିଳାନ୍ୟାସ ।

ମାଲକାନଗିରି,୦୫/୦୫(ପିପିଟି):ରାଜ୍ୟ ସରକାରଙ୍କ ବିକଶିତ ଗାଁ, ବିକଶିତ ଓଡ଼ିଶା ଅଭିଯାନ ମାଧ୍ୟମରେ ମାଲକାନଗିରି ଜିଲ୍ଲାରେ ଗ୍ରାମୀଣ ଭିତ୍ତିଭୂମିର କାୟାକଳ୍ପ ବଦଳିବାରେ ଲାଗିଛି। ଆଜି ସ୍ଥାନୀୟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଜିଲ୍ଲା ପାଇଁ ମୋଟ ୮୪୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ୩୧୮.୯୨ କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଥିବା ୩୧ଟି ପ୍ରକଳ୍ପକୁ ଲୋକାର୍ପିତ କରାଯାଇଥିବା ବେଳେ ୧୮୪.୬୩ କୋଟି ଟଙ୍କା ଅଟକଳ ମୂଲ୍ୟର ୩୦ଟି ନୂତନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।ଜିଲ୍ଲାରେ ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ୪୨୨ଟି ପ୍ରକଳ୍ପ ମଧ୍ୟରୁ ୩୯୨ଟି ସଫଳତାର ସହ ଶେଷ ହୋଇଥିବା ବେଳେ ଚଳିତ ୨୦୨୫-୨୬ ବର୍ଷରେ ୪୩.୯୬ କୋଟି ଟଙ୍କା ବ୍ୟୟରେ ୯୬୪ଟି ନୂତନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସୋଡ଼ି ଏବଂ ଉପାଧ୍ୟକ୍ଷା ସାବିତ୍ରୀ ପଡ଼ିଆମୀ ଉପସ୍ଥିତ ରହି ବିକାଶମୂଳକ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥୀ ସରାବୁ, ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଓ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ରତ୍ନାକର ସିଆଲ ମଧ୍ୟ ସାମିଲ ହୋଇଥିଲେ। ଏହି ସମସ୍ତ ପ୍ରକଳ୍ପ ଜିଲ୍ଲାର ଶିକ୍ଷା, ଯୋଗାଯୋଗ ଓ ସାମାଜିକ ସୁବିଧା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ସମସ୍ତଙ୍କ ସାଥୀରେ, ସମସ୍ତଙ୍କ ବିକାଶ ମନ୍ତ୍ରକୁ ଆଗରେ ରଖି ଗ୍ରାମୀଣ ସଂଯୋଗ, ପାନୀୟ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ କାମ ହେଉଛି।ସେ ଆହୁରି କହିଛନ୍ତି ଯେ, ପିଏମଜିଏସୱାଇ ଯୋଜନାରେ ୧୬୮ଟି ରାସ୍ତା ନିର୍ମାଣ ସହ ଦୁର୍ଗମ ଅଞ୍ଚଳକୁ ସଂଯୋଗ କରାଯିବ। ଏହା ସହିତ ଆୟୁର୍ବେଦିକ ମେଡିକାଲ କଲେଜ, ପାନୀୟ ଜଳ ପ୍ରକଳ୍ପ ଓ ରେଳ ସଂଯୋଗ ଭଳି ମୁଖ୍ୟ ପ୍ରକଳ୍ପ ମାଲକାନଗିରିର ଉନ୍ନତିକୁ ଆହୁରି ଗତି ଦେବ।

ପ୍ରଗତି ପଥେ ଯୁବ ମାଲକାନଗିରି କାର୍ଯ୍ଯକ୍ରମ ଆରମ୍ଭ ହେବ ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଯୁବ ସମାଜଙ୍କ ସମଗ୍ର ବିକାଶ ଓ ସଶକ୍ତିକରଣ ପାଇଁ ସ୍ପୋର୍ଟସ୍ ସାମଗ୍ରୀ, ଆଧୁନିକ ଜିମ୍ ଉପକରଣ ଓ ସମ୍ବାଦପତ୍ର ଇତ୍ୟାଦି ପ୍ରଦାନ କରାଯିବ, ଯାହା ତାଙ୍କର ଶାରୀରିକ ଓ ମାନସିକ ଉନ୍ନତିରେ ନିଶ୍ଚିତ ଭାବେ ସହାୟକ ହେବ। ଅନ୍ତୋଦୟ ଗୃହ ଯୋଜନାରେ ହିତାଧିକାରୀ ମାନଙ୍କୁ ସହାୟତା ରାଶି ସହ କାର୍ଯ୍ୟାଦେଶ ପତ୍ର ମଧ୍ଯ ପ୍ରଦାନ କରାଯାଇଥିଲା। ସେହିପରି ଜିଲ୍ଲାର ଶ୍ରେଷ୍ଠ ତିନିଟି ବିଦ୍ୟାଳୟକୁ ଚଳିତ ବର୍ଷ ଦଶମ ପରୀକ୍ଷାରେ ସଫଳତା ପାଇଁ ମଧ୍ଯ ସମ୍ଵର୍ଦ୍ଧିତ କରାଯାଇଛି। କାର୍ଯ୍ଯକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସରାବୁ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପ ଜିଲ୍ଲାପାଳ ଧନ୍ଯବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ କର୍ମଚାରୀ ସହଯୋଗ କରିଥିଲେ।

ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ

Comments (0)
Add Comment