ପୁରୀ, ୧୯/୧୦(ପିପିଟି): ଆସନ୍ତା ୨୧ ତାରିଖ ବୁଧବାର ଶ୍ରୀମନ୍ଦିରରେ ବିଜୟାଦଶମୀ ତଥା ଦଶହରା ପର୍ବ ପାଳନ କରାଯିବ। ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଶ୍ରୀବିଗ୍ରହଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଦଶହରା ନୀତି ଅନୁଯାୟୀ, ଦୁର୍ଗାମାଧବ ରଥରେ ବିଜେ କରିବେ। ଏହାପରେ ଶ୍ରୀମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ବୀରବେଶ ଧାରଣ କରି ଦଶହରା ପଦାକୁ ବିଜେ କରିବେ। ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ଏହି ପବିତ୍ର ଅବସରରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ରାଜାଧିରାଜ ବେଶ ତଥା ସୁନାବେଶ ଦର୍ଶନ କରିବାର ସୁଯୋଗ ପାଇବେ। ସେହିପରି ଆସନ୍ତା ୨୨ ତାରିଖ ଗୁରୁବାର ଏକାଦଶୀ ତିଥିରୁ ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତି ଆରମ୍ଭ ହେବା ସହ ଶ୍ରୀବିଗ୍ରହଙ୍କ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ। ଏହି ସମୟରେ ମହାପ୍ରଭୁଙ୍କୁ ସ୍ୱତନ୍ତ୍ର ବାଳଭୋଗ ଅର୍ପଣ କରାଯିବ। ଧାର୍ମିକ ମାନ୍ୟତା ଅନୁଯାୟୀ, କାର୍ତ୍ତିକ ମାସକୁ ଅତ୍ୟନ୍ତ ପୁଣ୍ୟମୟ ମାସ ଭାବେ ବିବେଚନା କରାଯାଏ। ପଦ୍ମପୁରାଣରେ ଏହି ମାସରେ ଶ୍ରୀବିଷ୍ଣୁଙ୍କୁ ଦାମୋଦର ରୂପେ ଉପାସନା କରିବାର ମହତ୍ତ୍ୱ ବର୍ଣ୍ଣିତ ହୋଇଥିବାବେଳେ, ସ୍କନ୍ଦପୁରାଣରେ ମଧ୍ୟ କାର୍ତ୍ତିକ ମାସର ଧାର୍ମିକ ମହତ୍ତ୍ୱ ଉଲ୍ଲେଖ ରହିଛି। ରାଧାକୃଷ୍ଣଙ୍କ ଉପାସନା ସହ ଜଡ଼ିତ ରାଧାଦାମୋଦର ବେଶ ଶ୍ରୀମନ୍ଦିରର ଏକ ପ୍ରାଚୀନ ଧାର୍ମିକ ପରମ୍ପରା, ଯାହାକୁ ଦର୍ଶନ କରିବା ପାଇଁ କାର୍ତ୍ତିକ ମାସରେ ଭକ୍ତମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳେ।