୧୨ ଘଣ୍ଟିଆ ଓଡ଼ିଶା ବନ୍ଦରେ ଜନଜୀବନ ପ୍ରଭାବିତ ।

ଭୁବନେଶ୍ୱର, ୦୮/୧୦(ପିପିଟି):ବିଭିନ୍ନ ଦାବି ନେଇ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ଓ ବାମ ଦଳଗୁଡ଼ିକ ପକ୍ଷରୁ ଗୁରୁବାର ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦର ପ୍ରଭାବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପଡ଼ିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ଏମ୍ଏମ୍ଡିଆର ବିଲ୍ ପ୍ରତ୍ୟାହାର ଏବଂ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି।

ବନ୍ଦକୁ ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍ଏଲ୍), ଏନ୍ସିପି, ଫରୱାର୍ଡ ବ୍ଲକ୍, ସମାଜବାଦୀ ପାର୍ଟି, ଆରଜେଡି ଓ ଜେଏମ୍ଏମ୍ ସମର୍ଥନ କରିଛନ୍ତି। ଏହି ଅବସରରେ ଭୁବନେଶ୍ୱରରେ ପଦଯାତ୍ରା ଓ ବାଇକ୍ ରାଲି କରାଯାଇଥିଲା। ବନ୍ଦ ଯୋଗୁଁ ବିଭିନ୍ନ ସ୍ଥାନରେ ଗାଡ଼ିମୋଟର ଓ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ସକାଳ ୬ଟାରୁ ଆନ୍ଦୋଳନକାରୀମାନେ ରାଜଧାନୀର ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ରାସ୍ତାରୋକ କରିଥିଲେ। ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍ ଛକରେ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟର କର୍ମୀମାନେ ଧାରଣା ଦେଇଥିଲେ। ରେଳ ଷ୍ଟେସନ ଭିତରକୁ ପ୍ରବେଶ ଉଦ୍ୟମ ବେଳେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ଉପୁଜିଥିଲା।

କଟକ ରେଳ ଷ୍ଟେସନରେ ମଧ୍ୟ କଂଗ୍ରେସ କର୍ମୀମାନେ ଟ୍ରେନ୍ ରୋକିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ଆର୍ପିଏଫ୍ କର୍ମଚାରୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ବାଲେଶ୍ୱର ଜିଲ୍ଲାର ସୋରରେ ମଧ୍ୟ ବନ୍ଦର ପ୍ରଭାବ ପଡ଼ିଥିଲା। ଉତ୍ତରେଶ୍ୱର ନିକଟରେ କଂଗ୍ରେସ କର୍ମୀମାନେ ଜାତୀୟ ରାଜପଥ-୧୬ ଅବରୋଧ କରିବାରୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ଭଦ୍ରକରେ ମଧ୍ୟ ରାସ୍ତାରେ ଟାୟାର ଜାଳି ଆନ୍ଦୋଳନ କରାଯାଇଥିଲା।

ପୁରୀରେ ରେଳ ଷ୍ଟେସନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଷ୍ଟେସନ ଭିତରକୁ ପ୍ରବେଶ ଉଦ୍ୟମ ବେଳେ ଆନ୍ଦୋଳନକାରୀ ଓ ରେଲୱେ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଥିଲା। ବସ୍ଷ୍ଟାଣ୍ଡ, ଅଠରନଳା, ପୁରୀ କଚେରି ଅଞ୍ଚଳ ସମେତ ସ୍କୁଲ, କଲେଜ ଓ ବ୍ୟାଙ୍କ ଆଦି ବନ୍ଦ ରଖିବାକୁ ଇଣ୍ଡିଆ ମେଣ୍ଟର କର୍ମୀମାନେ ଆହ୍ୱାନ ଦେଇଥିଲେ।
କୋରାପୁଟରେ ମଧ୍ୟ ବନ୍ଦର ପ୍ରଭାବ ଅନୁଭୂତ ହୋଇଥିଲା। ଜରୁରୀକାଳୀନ ସେବାକୁ ବାଦ ଦେଇ ଦୋକାନବଜାର ଓ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଅନେକ ସ୍ଥାନରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିବା ଦେଖାଯାଇଥିଲା।
ଅନ୍ୟପକ୍ଷରେ, ବନ୍ଦକୁ ଦୃଷ୍ଟିରେ ରଖି ଓଡ଼ିଶା ପୁଲିସ ପକ୍ଷରୁ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ପୁଲିସ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର ସ୍ଥିତିର ସମୀକ୍ଷା କରିବା ସହ ଆଇନଶୃଙ୍ଖଳା ବଜାୟ ରଖିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣଙ୍କ ସୁରକ୍ଷା, ଯାତାୟାତ ବ୍ୟବସ୍ଥା ଏବଂ ସରକାରୀ ଓ ବେସରକାରୀ ସମ୍ପତ୍ତିର ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯାଇଥିଲା।

Comments (0)
Add Comment