ଭୁବନେଶ୍ୱର,୦୭/୧୦: ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ନିର୍ବାଚନୀ ମାହୋଲ ଜମିବାରେ ଲାଗିଛି। ଆସନ୍ତାକାଲି ନିର୍ବାଚନୀ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଆଶାୟୀ ଛାତ୍ରନେତାମାନେ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଭୋଟରଙ୍କୁ ଆକୃଷ୍ଟ କରିବାକୁ ସୋସିଆଲ ମିଡିଆରେ ରିଲ୍ସ ପ୍ରସ୍ତୁତିଠାରୁ ଆରମ୍ଭ କରି ସିଧାସଳଖ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ ପର୍ଯ୍ୟନ୍ତ ବିଭିନ୍ନ ପ୍ରୟାସ ଚାଲିଛି। ଦୀର୍ଘ ଆଠ ବର୍ଷ ପରେ ନିର୍ବାଚନ ହେବାକୁ ଥିବାରୁ କ୍ୟାମ୍ପସଗୁଡ଼ିକରେ ଉତ୍ସାହ ବଢ଼ିଛି।
ନିର୍ବାଚନ ଘୋଷଣା ପରେ କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ରକ୍ଷା ଓ ନିର୍ବାଚନକୁ ଭୟମୁକ୍ତ କରିବା ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟରେ ବୈଠକ ହୋଇଛି। କଲେଜ ଓ ବିଶ୍ୱବିଦ୍ୟାଳୟ ପରିସରକୁ ଅଣଛାତ୍ରଙ୍କ ପ୍ରବେଶ ରୋକିବା, ହଷ୍ଟେଲ, କ୍ୟାଣ୍ଟିନ ଓ ଅନ୍ୟ ସମ୍ବେଦନଶୀଳ ସ୍ଥାନ ଉପରେ ନଜର ରଖିବାକୁ ଜିଲ୍ଲା ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସ୍ପି ଓ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ରଖି ନିର୍ବାଚନ ପରିଚାଳନା କରିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ଫଳାଫଳ ଘୋଷଣା ସମୟରେ ଅଧିକ ପୋଲିସ ଫୋର୍ସ ମୁତୟନ ପାଇଁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ଏଆଇ ମାଧ୍ୟମରେ ଭିଡିଓ ପ୍ରସ୍ତୁତ କରି ଅଶାଳୀନ ଭାଷା ବ୍ୟବହାର କିମ୍ବା ଉତ୍ତେଜନା ସୃଷ୍ଟି କରାଗଲେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଏସ୍ଓପି ପ୍ରସ୍ତୁତ କରାଯାଇଛି।
ଏପଟେ ଆଠ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ଘୋଷଣା ହୋଇଥିବାରୁ କିଛି ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟି ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। କ୍ୟାମ୍ପସରେ ଗଣ୍ଡଗୋଳ ଘଟିଲେ ନିର୍ବାଚନ ହେବ କି ନାହିଁ, ସେ ନିଷ୍ପତ୍ତି ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ନେବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ରାଜ୍ୟର ବିଭିନ୍ନ କ୍ୟାମ୍ପସରେ ମଧ୍ୟ ନିର୍ବାଚନୀ ପ୍ରସ୍ତୁତି ଜୋରଦାର ହୋଇଛି। ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଶାୟୀ ପ୍ରାର୍ଥୀମାନେ ବିଭିନ୍ନ ବିଭାଗ ବୁଲି ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ ଆରମ୍ଭ କରିଛନ୍ତି। ରମାଦେବୀ ବିଶ୍ୱବିଦ୍ୟାଳୟରେ ମଧ୍ୟ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। କେନ୍ଦୁଝରର ଡିଡି ବିଶ୍ୱବିଦ୍ୟାଳୟ, ବାଲେଶ୍ୱରର ଏଫ୍ଏମ୍ ବିଶ୍ୱବିଦ୍ୟାଳୟ ଓ ବାରିପଦାର ଏମ୍ଏସ୍ସିବି ବିଶ୍ୱବିଦ୍ୟାଳୟରେ ମଧ୍ୟ ଛାତ୍ରଛାତ୍ରୀମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପରେ ପ୍ରଚାର ଆହୁରି ଜୋରଦାର ହେବ। ଅକ୍ଟୋବର ୧୫ରେ ଭୋଟିଂ ଏବଂ ୧୬ରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହେବ।