‘ସେବା ହିଁ ପ୍ରକୃତ ସମ୍ମାନ, ଜନଆସ୍ଥା ପୋଲିସର ସବୁଠୁ ବଡ଼ ପୁଞ୍ଜି’ : ଆଇଜିପି ସତ୍ୟଜିତ୍ ନାୟକ ।

କଟକ,୨୦/୦୯(ପିପିଟି): ଶ୍ରୀଜଗନ୍ନାଥଙ୍କ ସେବା ଓ ରଥଯାତ୍ରା ପରିଚାଳନାରେ ନିଷ୍ଠା, ସମର୍ପଣ ଓ ଜନସେବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜିପି ଡଃ ସତ୍ୟଜିତ ନାୟକ, IPS। ‘ଶ୍ରୀ ଜଗନ୍ନାଥ ସେବା ରତ୍ନ ସମ୍ମାନ–୨୦୨୬’ ଗ୍ରହଣ ଅବସରରେ ଅଭିଭାଷଣ ଦେଇ ସେ କହିଛନ୍ତି ଯେ, ଏହି ସମ୍ମାନକୁ ସେ ବ୍ୟକ୍ତିଗତ ସମ୍ମାନ ଭାବେ ନୁହେଁ, ବରଂ ଓଡ଼ିଶା ପୋଲିସର ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ, ସ୍ୱେଚ୍ଛାସେବୀ ଏବଂ ରଥଯାତ୍ରା ସମୟରେ ନିରନ୍ତର ସେବା ଯୋଗାଇଥିବା ସମସ୍ତଙ୍କୁ ସମର୍ପିତ କରୁଛନ୍ତି।

ଡଃ ନାୟକ କହିଥିଲେ ଯେ, ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ଓଡ଼ିଆ ଜାତିର ଆସ୍ଥା, ଭାବନା, ପରମ୍ପରା ଓ ସଂସ୍କୃତିର ମହାପର୍ବ। ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଦାଣ୍ଡକୁ ବିଜେ କରିବା ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷା, ଆଇନଶୃଙ୍ଖଳା ରକ୍ଷା, ଟ୍ରାଫିକ୍ ପରିଚାଳନା ଓ ସୁଗମ ଯାତାୟାତ ନିଶ୍ଚିତ କରିବା ପୋଲିସ ଓ ପ୍ରଶାସନର ବଡ଼ ଦାୟିତ୍ୱ। ରଥଯାତ୍ରା–୨୦୨୬ର ସଫଳ ପରିଚାଳନା ଓଡ଼ିଶା ପୋଲିସ, ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ସ୍ୱେଚ୍ଛାସେବୀ, ବିଭିନ୍ନ ବିଭାଗ ଓ ସଚେତନ ଜନସାଧାରଣଙ୍କ ସମନ୍ୱିତ ପ୍ରୟାସର ଫଳ ବୋଲି ସେ କହିଥିଲେ।

ରଥଯାତ୍ରା ସମୟରେ ପୋଲିସ କର୍ମଚାରୀମାନେ ତୀବ୍ର ଗରମ, ବର୍ଷା ଓ ପ୍ରବଳ ଭିଡ଼ ମଧ୍ୟରେ ଦୀର୍ଘ ସମୟ ଧରି ନିଜ ପରିବାରଠାରୁ ଦୂରରେ ରହି ଡ୍ୟୁଟି କରିଥିବାରୁ ଡଃ ନାୟକ ସେମାନଙ୍କୁ ସାଧୁବାଦ ଜଣାଇଥିଲେ। ଭକ୍ତମାନେ ନିରାପଦରେ ଆସି ମହାପ୍ରଭୁଙ୍କ ଦର୍ଶନ କରି ସୁରକ୍ଷିତ ଭାବେ ଘରକୁ ଫେରିବା ହିଁ ପୋଲିସ ପାଇଁ ସବୁଠାରୁ ବଡ଼ ସଫଳତା ବୋଲି ସେ କହିଥିଲେ। ଏଥିସହ ଟ୍ରାଫିକ୍ ପରିଚାଳନା, ପାର୍କିଂ, ରୁଟ୍ ଡାଇଭର୍ସନ୍ ଓ ଜରୁରୀକାଳୀନ ଯାତାୟାତକୁ ସୁଚାରୁ ରଖିବାରେ ପୋଲିସ ଓ ପ୍ରଶାସନର ବିଭିନ୍ନ ଟିମ୍‌ର ଅବଦାନକୁ ସେ ପ୍ରଶଂସା କରିଥିଲେ।

ଏହି ସମ୍ମାନ ତାଙ୍କ ପାଇଁ ଆହୁରି ନିଷ୍ଠାର ସହିତ ଜନସେବା କରିବାର ଦାୟିତ୍ୱ ବଢ଼ାଇଛି ବୋଲି ଡଃ ନାୟକ କହିଥିଲେ। ‘ସେବା ହିଁ ପ୍ରକୃତ ସମ୍ମାନ ଏବଂ ଜନସାଧାରଣଙ୍କ ଆସ୍ଥା ହିଁ ପୋଲିସର ସବୁଠାରୁ ବଡ଼ ପୁଞ୍ଜି’ ବୋଲି ସେ ଉଲ୍ଲେଖ କରିଥିଲେ। ଶେଷରେ ସେ ସମ୍ମାନର ଆୟୋଜକମାନଙ୍କୁ କୃତଜ୍ଞତା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କୁ ସେବା, ସମର୍ପଣ ଓ ମାନବିକତାର ପଥରେ ଆଗେଇ ନେଉନ୍ତୁ ବୋଲି ପ୍ରାର୍ଥନା କରିଥିଲେ।

Comments (0)
Add Comment