ଯାଜପୁର ,୦୬/୦୬(ପିପିଟି ):ଆଜି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ପକ୍ଷରୁ ନାରୀ ସୁରକ୍ଷା ଅଭିଯାନ ପଦଯାତ୍ରା ଏବଂ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି।
ସୁକିନ୍ଦା ବ୍ଲକ ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପଦଯାତ୍ରା ଏବଂ ପଥପ୍ରାନ୍ତ ସଭାରେ ମୁଖ୍ୟ ଅତିଥି ଭାବେ ସୁକିନ୍ଦାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଯୋଗଦାନ କରିଥିଲେ। ଏଥିରେ ଯାଜପୁର ବିଧାୟିକା ସୁଜ୍ଞାନୀ ଦାସ ଏବଂ ରାଜ୍ୟ ବିଜୁ ଜନତା ଦଳ ଛାତ୍ର ସଭାପତି ଈପ୍ସିତା ସାହୁ ମଧ୍ୟ ଉପସ୍ଥିତ ରହି ଡବଲ୍ ଇଞ୍ଜିନ୍ ବିଜେପି ସରକାର ବିରୁଦ୍ଧରେ ଗର୍ଜନ କରିଥିଲେ।
ମଞ୍ଚରେ ଉପସ୍ଥିତ ଅତିଥିମାନେ ନିଜ ଅଭିଭାଷଣରେ କହିଥିଲେ ଯେ, ରାଜ୍ୟରେ ବିଜେପି ସରକାରର ୨ ବର୍ଷ ଭିତରେ ଏହି ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏହି ସରକାର ମା’ ମାନଙ୍କୁ ଛେଳି ଜଗାଳି କରିବାକୁ ଶପଥ କରିଥିବା ସେମାନେ ଅଭିଯୋଗ କରିଥିଲେ।
ସ୍ଥାନୀୟ ବିଧାୟକ ପ୍ରଦୀପ ବଳସାମନ୍ତ ସୁକିନ୍ଦାରେ ମହିଳାଙ୍କୁ କିଭଳି ନିର୍ଯାତନା ଦେଉଛନ୍ତି, ସେ ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ। ବିଧାୟକଙ୍କ ଇସାରେ ଖଣି, ପାଣି, ବାଲି, ମାଟି- ଏହି ସୁନାର ସୁକିନ୍ଦାରୁ ପ୍ରତ୍ୟେକ ଦିନ କିଭଳି ଲୁଟ୍ ହେଉଛି, ସେ ନେଇ ଉପସ୍ଥିତ ମା’ ମାନଙ୍କ ସମ୍ମୁଖରେ ତଥ୍ୟ ସହ ଉପସ୍ଥାପନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସୁକିନ୍ଦା ବ୍ଲକ ସଭାପତି ବିବେକାନନ୍ଦ ବୋଷ, ସୁକିନ୍ଦା ବ୍ଲକ ଯୁବ ସଭାପତି ଜୟନ୍ତ ରାଉତ, ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ଦାନଗଦି ବ୍ଲକ ଅଧ୍ୟକ୍ଷା ଅର୍ଚ୍ଚନା ମହାନ୍ତିଙ୍କ ସହ Gen Z ସଭ୍ୟମାନେ ଉପସ୍ଥିତ ଥିଲେ।
ଏତେ ସଂଖ୍ୟାରେ ମହିଳା ଏବଂ ଯୁବ-ଛାତ୍ରଙ୍କ ସମାଗମ ବିଜୁ ଜନତା ଦଳକୁ ସୁକିନ୍ଦାରେ ନିଶ୍ଚିତ ଭାବରେ ସଶକ୍ତ କରିଛି, ଯାହା ବିରୋଧୀ ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ସାଜିବ ବୋଲି ଚର୍ଚ୍ଚା ହେଉଛି। ପଞ୍ଚାୟତ ନିର୍ବାଚନରେ ଆଗକୁ ସୁକିନ୍ଦା ରାଜନୀତି କେଉଁ ମୋଡ଼ ନେଉଛି, ତାହା ସମୟ ହିଁ କହିବ।