ସାଲେପୁର ଗ୍ୟାସ୍ ଟାଙ୍କି ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି, ଆଉ ଜଣେ ଗୁରୁତର ।

ସାଲେପୁର, ୧୯/୧୦ : କଟକ ଜିଲ୍ଲା ସାଲେପୁରର ଜପକୁଦ ଫାଣ୍ଡି ସମ୍ମୁଖ ବଜାରରେ ଥିବା ଏକ ଜଳଖିଆ ଦୋକାନରେ ଗତ ୧୧ ତାରିଖରେ ଘଟିଥିବା ଗ୍ୟାସ୍ ଟାଙ୍କି ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ଏହି ଅଘଟଣରେ ମୋଟ ୬ ଜଣ ଗୁରୁତର ଆହତ ହୋଇଥିବାବେଳେ, ଚିକିତ୍ସାଧୀନ ଅବସ୍ଥାରେ ଏଯାଏଁ ୫ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଦିନବନ୍ଧୁ ବେହେରାଙ୍କ ଜଳଖିଆ ଦୋକାନରେ ଗ୍ୟାସ୍ ଟାଙ୍କି ଫାଟିବା ଫଳରେ ୬ ଜଣ ଗୁରୁତର ହୋଇଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗତ ୧୨ ତାରିଖରେ ଆଶ୍ରିଫ ନାମକ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ, ୧୬ ତାରିଖରେ ଦୋକାନ ମାଲିକ ଦିନବନ୍ଧୁ ବେହେରା ଓ ଅନ୍ୟ ଜଣେ ଦୋକାନୀ ନିରଞ୍ଜନ ଦାସଙ୍କ ମୃତ୍ୟୁ ଘଟିଥିଲା। ସେହିପରି ସୋମବାର ପ୍ରେମାନନ୍ଦ ବେହୁରା ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଫଳରେ ଏହି ଦୁଃଖଦ ଘଟଣାରେ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ଅନ୍ୟ ଜଣେ ଗୁରୁତର ଆହତ ଏବେ ବି କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏହି ଦୁର୍ଘଟଣା ପରେ ସାଲେପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Comments (0)
Add Comment