କୋଦଳା ,୦୩/୧୧(ପିପିଟି): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କୋଦଳା ଏନଏସି ଓ ବେରୁଆଁବାଡ଼ି ପଞ୍ଚାୟତର ରାମପଲ୍ଲୀ ଗ୍ରାମରେ ବ୍ୟାପକ ଫସଲ କ୍ଷୟକ୍ଷତି ଘଟିଥିବା ଜାଣିବାକୁ ମିଳିଛି । ମଙ୍ଗଳବାର କୋଦଳା ଏନଏସି ଉପାଧ୍ୟକ୍ଷ୍ୟା ରଞ୍ଜିତା ସେଠୀଙ୍କ ନେତୃତ୍ୱ ରେ କାଉନସିଲର ମନୋରଞ୍ଜନ ଡାକୁଆ ସମେତ ଏନଏସି ର ବିଭିନ୍ନ ୱାର୍ଡ ରୂ ଶତାଧିକ ଚାଷୀ ତହସିଲ କାର୍ଯ୍ୟାଳୟ ରେ ପହଞ୍ଚି ବାତ୍ୟା ଅର୍ଣ୍ଣବ ପ୍ରଭାବ ରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୂରଣ ଦେବାକୁ ଦାବୀ କରି ତହସିଲଦାର ଙ୍କୁ ଏକ ଲିଖିତ ଦରଖାସ୍ତ ଦେଇଥିବା ବେଳେ ତହସିଲଦାର ବିନ୍ଦୁ ବଳୟ ରାଉତରାୟ କହିଛନ୍ତି ଯେଉଁମାନଙ୍କ ଧାନ କ୍ଷେତ କ୍ଷତି ହୋଇଛି ସେମାନେ ନିଶ୍ଚିତ ସରକାରୀ ଅନୁଦାନ ପାଇବା ପାଇଁ ଆମ୍ଭ କାର୍ଯ୍ୟାଳୟ ଚେଷ୍ଟା ଜାରି ରଖୁଛି, ଅଭିଯୋଗ ଆସିଥିବା ସମସ୍ତ ଜମିକୁ ଅନୁଧ୍ୟାନ କରି ପ୍ରକୃତ କ୍ଷତି ସହିଥିବା ହିତାଧିକାରୀ ଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଜଣାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ବେରୁଆବାଡ଼ି ପଞ୍ଚାୟତ ରାମପଲି ଗ୍ରାମର ପ୍ରାୟ ୫୦ ଭାଗରୁ ଅଧିକ ଧାନ ଏବଂ ପରିବା ଫସଲ ନଷ୍ଟ ହୋଇଛି । ପ୍ରବଳ ବର୍ଷା ଏବଂ ପବନରେ ଧାନ ଗଛ ଗୁଡିକ ଢଳିପଡି ମାଟି ସହ ମିଶିଯାଇଥିବା ଅଭିଯୋଗ ହୋଇଛି । ଋଣ ଦାଉରୁ କିପରି ରକ୍ଷା ପାଇବେ ଏନେଇ ଚାଷୀମାନଙ୍କ ମୁଣ୍ଡରେ ଚଡକ ପଡିଛି । ଗ୍ରାମର ତରଙ୍ଗ ବାରିକ, ବିନୋଦ ପାଣ୍ଡିଙ୍କ ୬ ଭରଣ ଲେଖାଏଁ,ମଞ୍ଜୁ ଗୌଡ଼, ସପନା ପରିଡା, ଲଡ଼ୁ ପାଣ୍ଡିଙ୍କ ୭ ଭରଣ ଲେଖାଏଁ ,ମମତା ମହାନ୍ତିଙ୍କ ୫ ଭରଣ, ନିରିମା ପଳତା, ମାଲୁଣି ପାଣ୍ଡି, ଭାରତୀ ପାଣ୍ଡିଙ୍କ ୩ଭରଣ ଲେଖାଏଁ , ଝୁନୁ ପାଣ୍ଡି , ସଂଜୁ ସ୍ୱାଇଁ , ମମତା ପଳତା, ଧୋବା ପାଣ୍ଡି , କାମିନୀ ପାଣ୍ଡି,,ସୁଦୂରୁ ବାରିକ, ଗନ୍ଧି ବାରିକଙ୍କ ୨ ଭରଣ ଲେଖାଏଁ, ଗୋପାଳ ପଳତା, ଲଷ୍ମୀ ପଳତାଙ୍କ ଏକ ଭରଣ ଲେଖାଏଁ ଏବଂ ଅନ୍ୟ ଚାଷୀଙ୍କ କିଛିକିଛି ଧାନ ଫସଲ ତଳେ ପଡି ନଷ୍ଟ ହୋଇଛି । କୋଦଳା ତହସିଲଦାର ବିନ୍ଦୁ ବଳୟ ରାଉତରାୟ ସ୍ଥିତି ସମୀକ୍ଷା କରିଥିବା ଜଣାପଡିଛି । ସେହିପରି କୋଦଳା ଏନଏସି ସମେତ ,ଖଇରିଖମା,କାଳିମେଘି, ସାନ ଉସ୍ତାପଡ଼ା, ମଠସରସିଙ୍ଗି, ଦିଗାପଡା, ଫାସି, ମର୍ଦ୍ଦମେଖ, ଘୋଡାପଡା ଆଦି ପଞ୍ଚାୟତର କେତେକ ସ୍ଥାନରେ ଧାନ ଫସଲ ଏବଂ ପରିବା ଫସଲ ନଷ୍ଟ ହୋଇଥିବା ଖବର ହସ୍ତଗତ ହୋଇଛି । କିନ୍ତୁ ସରକାରୀ କ୍ଷତିପୂରଣ ସହାୟତା ପାଇବାକୁ ହେଲେ ମଣ୍ଡି ରେ ଧାନ ଦେବାରେ ବ୍ୟାଘାତ ହୋଇପଡିବ ଭାବି ବହୁ ଚାଷୀ କ୍ଷତି ହୋଇଥିଲେ ବି ନିରବ ରହୁଥିବା ଜଣାପଡ଼ିଛି ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ