ରାଜଧାନୀରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ଉ, ୮ ଗିରଫ ।

ଭୁବନେଶ୍ୱର, ୧୯/୧୦: ରାଜଧାନୀ ଭୁବନେଶ୍ୱରରେ ଚୋରା ମଦ କାରବାର ବିରୋଧରେ ଅବକାରୀ ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ଉ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରାଯିବା ସହ ଚୋରା ମଦ ବିକ୍ରି ଅଭିଯୋଗରେ ଆଠ ଜଣଙ୍କୁ ଗିରଫ କରାଯାଇଛି। ସାଲିଆ ସାହିର ଇଡ୍‌କୋ ବସ୍ତିରେ ଗୁଇନ୍ଦା ସୂଚନା ଆଧାରରେ ଚଢ଼ଉ କରି ଏକ ବେଆଇନ ଦେଶୀ ମଦ ପ୍ରସ୍ତୁତି କେନ୍ଦ୍ରର ସନ୍ଧାନ ପାଇଛି ଅବକାରୀ ବିଭାଗ। ସେଠାରେ ପାଇଖାନା ପଛପଟେ ଥିବା ଏକ ଘର ଭିତରୁ ବିପୁଳ ପରିମାଣର ଦେଶୀ ମଦ ମିଳିଥିବା ଜଣାପଡ଼ିଛି। ପାଇଖାନା ଭିତରେ ଏକ ସୁଡ଼ଙ୍ଗ ରହିଥିବା ଏବଂ ତାହା ମାଧ୍ୟମରେ ଗୁପ୍ତ ଭାବେ ମଦ ପ୍ରସ୍ତୁତି କାର୍ଯ୍ୟ ଚାଲୁଥିବା ସୂଚନା ମିଳିଛି। ସେହିପରି ପୁରୀ ବାଇପାସ୍‌ରେ ଥିବା ଡାର୍ଲିଂ ଢାବାରେ ଚଢ଼ଉ କରି ବିପୁଳ ପରିମାଣର ବିଦେଶୀ ଚୋରା ମଦ ଜବତ କରିଛି ଅବକାରୀ ବିଭାଗ। ଏହି ଘଟଣାରେ ଢାବା ମାଲିକ ତାପସ ଦାସଙ୍କୁ ଗିରଫ କରାଯାଇଛି। ଉଲ୍ଲେଖଯୋଗ୍ୟ, କିଛିଦିନ ପୂର୍ବରୁ ଏହି ଢାବା ସମ୍ମୁଖରେ ତାପସଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରିଥିବା ନେଇ ସୌମ୍ୟ ରଥଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏହାବ୍ୟତୀତ ରାଜଧାନୀର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚଢ଼ଉ କରାଯାଇ ଚୋରା ମଦ ଜବତ କରାଯାଇଛି। ବେଆଇନ ମଦ କାରବାର ରୋକିବା ଏବଂ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବା ପାଇଁ ଅବକାରୀ ବିଭାଗର ଏହି ଚଢ଼ଉ ଜାରି ରହିଛି।

Comments (0)
Add Comment