ମାଲକାନଗିରି ,୨୬/୦୫(ପିପିଟି) :ମାଲକାନଗିରି ଜିଲ୍ଲା ସଦର ବ୍ଲକର ବୀରଲକ୍ଷ୍ମଣ ପୁର ପଞ୍ଚାୟତ ଅନ୍ତର୍ଗତ ରାଙ୍ଗିନୀଗୁଡା ଗ୍ରାମରେ ଗତ କାଲି କାଳବୈଶାଖୀ ହେବା ଯୋଗୁଁ ପବନରେ ଉଡିଲା ବିଦ୍ୟାଳୟର ଟିଣ । ତେବେ ଏହି ବିଦ୍ୟାଳୟରେ ନିମ୍ନମାନର କାର୍ଯ୍ୟ ଯୋଗୁଁ ଟିଣ ସାମାନ୍ଯ ପବନରେ ଉଡ଼ିଗଲା ବୋଲି ଗାଁ ଲୋକମାନେ ଅଭିଯୋଗ କରିଛନ୍ତି।
ଘଟଣାର ପ୍ରକାଶ ଯେ, ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ରେ ୩’୫୦’୦୦୦ ଟଙ୍କା ସରକାରଙ୍କ ପକ୍ଷରୁ “ଆମ ଓଡ଼ିଶା ନବୀନ ଓଡିଶା” ଯୋଜନାରେ ଅନୁଦାନ ଆସିଥିବା ବେଳେ ଗାଙ୍ଗିନିଗୁଡା ବିଦ୍ୟାଳୟର କାର୍ଯ୍ୟ ଅତି ନିମ୍ନମାନର ହୋଇ ଥିଲା ।ଉକ୍ତ ବିଦ୍ୟାଳୟର ଶ୍ରେଣୀଗୃହ ବର୍ଷା ହେଲେ ପାଣି ଗଳୁ ଥିବା ଏବଂ କିଛି କଂକ୍ରିଟ କାମ ସହ ଚୂନ ଲଗାଇବା କାର୍ଯ୍ୟ ସମ୍ପନ୍ନ କରି ୩’୫୦’୦୦୦ ଟଙ୍କା ଖର୍ଚ୍ଚ କରାଯାଇ ଥିଲା।ସରକାରଙ୍କ ପକ୍ଷରୁ “ଆମ ଓଡ଼ିଶା ନବୀନ ଓଡିଶା” ଯୋଜନାରେ ଅନୁଦାନ ଆସିଥିବା ବେଳେ ଉକ୍ତ ଅନୁଦାନକୁ ହରିଲୁଟ କରି ନିମ୍ନ ମାନର କାର୍ଯ୍ୟ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ତଥା ବିଦ୍ୟାଳୟ କମିଟି ମେମ୍ବର ମାନେ । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ଫେବୃଆରୀ ମାସରୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ମାସ ୧୫ ତାରିଖ ବେଳକୁ ଠିକାଦାର କାର୍ଯ୍ୟ ଶେଷ କରିଥିଲେ ସୁଧା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ହସ୍ତାନ୍ତର କରି ନଥିବା କହିଛନ୍ତି ପ୍ରଧାନ ଶିକ୍ଷକ । ବିଦ୍ୟାଳୟ କାର୍ଯ୍ୟରେ ବିଭିନ୍ନ ପ୍ରକାର ସାମଗ୍ରୀ ନିମ୍ନ ମାନର ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ଯମାନେ। ଏ ସମ୍ପର୍କରେ ମାଲକାନଗିରି ବ୍ଳକ୍ ର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏପରି ହୋଇଛି ପୁଣି କାର୍ଯ୍ୟ କରାଇବାକୁ ଠିକାଦାରଙ୍କୁ କୁହାଯାଇଛି। ଏଇଠି ଗୋଟାଏ ପ୍ରଶ୍ନ ଉଙ୍କି ମାରୁଛି ,କେବଳ ରାଙ୍ଗିନିଗୁଡ଼ା ଗ୍ରାମର ବିଦ୍ୟାଳୟ ଉପରେ ହିଁ ପ୍ରାକୃତିକ ବିପର୍ଯୟ ହୋଇଥିଲା ନା ପୁରା ଗ୍ରାମରେ କାଳ ବୈଶାଖୀର ପବନ ବୋହିଥିଲା । ଗ୍ରାମର ଅନ୍ୟ କୋଉଠି ବି ଗୋଟାଏ ଘରର ଟିନ ଉଡି ନଥିବା କିମ୍ୱା ଗ୍ରାମରେ ଗୋଟିଏ ଗଛ ବି ଭାଙ୍ଗି ନଥିବା ବେଳେ ବିଦ୍ୟାଳୟର ଟିଣ ଛପର କେମିତି ଉଡ଼ିଲା ? ବିଦ୍ୟାଳୟ ର କୁନି କୁନି ଛାତ୍ରଛାତ୍ରୀ ଙ୍କ ସୁରକ୍ଷା ନିମନ୍ତେ କାର୍ଯ୍ୟ ଗୁଡ଼ିକ କରାଯାଉ ଥିବା ସ୍ଥଳେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ସେଠାକାର କମିଟି ମେମ୍ବର ଏବଂ ଅଭିଭାବକ କହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଘଟଣାର ପ୍ରକୃତ ତଦନ୍ତ କରି ପୁଣି ଠିକ ଭାବେ କାର୍ଯ୍ୟ କରିବାକୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)