ଯୁବ କ୍ରୀଡ଼ା ପ୍ରତିଭାଙ୍କ ବିକାଶ ପାଇଁ ଯାଜପୁରରେ ଗଢ଼ିଉଠୁଛି ଆଧୁନିକ ସ୍ପୋର୍ଟସ ଏକାଡେମୀ ।

ଯାଜପୁର, ୨୦/୦୯(ପିପିଟି ):ଯୁବ କ୍ରୀଡ଼ା ପ୍ରତିଭାଙ୍କୁ ଉନ୍ନତମାନର ପ୍ରଶିକ୍ଷଣ ସହ ଆବଶ୍ୟକୀୟ କ୍ରୀଡ଼ା ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଯାଜପୁରରେ ଏକ ଆଧୁନିକ ସ୍ପୋର୍ଟସ ଏକାଡେମୀ ନିର୍ମାଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ତା. ୧୯-୦୯-୨୦୨୬ ରିଖରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର-ତଥା-ସଚିବ ଶ୍ରୀ ଭୂପିନ୍ଦର ସିଂ ପୁନିଆ ଯାଜପୁର ଟାଉନ୍‌ଠାରେ ନିର୍ମାଣାଧୀନ ସ୍ପୋର୍ଟସ ଏକାଡେମୀ ପରିଦର୍ଶନ କରି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ।

ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଉପସ୍ଥିତିରେ ଶ୍ରୀ ପୁନିଆ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି, ନିର୍ମାଣ କାର୍ଯ୍ୟର ଅଗ୍ରଗତି ଏବଂ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବା ସହ ନିର୍ମାଣ କାର୍ଯ୍ୟର ମାନ ଓ ଗୁଣବତ୍ତା ନିଶ୍ଚିତ କରିବାକୁ ସେ ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ସଂସ୍ଥାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପରେ ସେ ସ୍ପୋର୍ଟସ କମ୍ପ୍ଲେକ୍ସ ଓ ଇଣ୍ଡୋର ଷ୍ଟାଡିୟମ୍‌ ପରିଦର୍ଶନ କରି ସେଠାରେ ଉପଲବ୍ଧ କ୍ରୀଡ଼ା ଭିତ୍ତିଭୂମି ଓ ସୁବିଧାର ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହ ଖେଳାଳି ଓ ପ୍ରଶିକ୍ଷକମାନଙ୍କ ସହ ଆଲୋଚନା କରି ସେମାନଙ୍କ ପ୍ରଶିକ୍ଷଣ, ଆବଶ୍ୟକତା ଓ ଉପଲବ୍ଧ ସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ।

ଏହି ଗସ୍ତ ସମୟରେ କ୍ରୀଡ଼ା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ, ବିଭାଗୀୟ ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ଯାଜପୁର ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସହ ଯୁବ କ୍ରୀଡ଼ାବିତ୍‌ମାନଙ୍କ ପ୍ରତିଭା ବିକାଶ ପାଇଁ ଏହି ସ୍ପୋର୍ଟସ ଏକାଡେମୀ ଏକ ଉପଯୋଗୀ ମଞ୍ଚ ଭାବେ କାର୍ଯ୍ୟ କରିବ।

Comments (0)
Add Comment