ମା’ ତାରାତାରିଣୀ ପୀଠରେ ଷୋଡଶ ପୂଜା ନେଇ ଟ୍ରଷ୍ଟ ବୋର୍ଡ ବୈଠକ ।

ଛତ୍ରପୁର,୨୯/୦୯(ପିପିଟି): ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତାମାସ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜା ପର୍ବକୁ ସୁଚାରୁରୂପେ ସମ୍ପନ୍ନ କରିବା ନେଇ ଟ୍ରଷ୍ଟ ବୋର୍ଡ ପରିଚାଳନା କମିଟିର ବୈଠକ ସ୍ଥାନୀୟ ସଦଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ତଥା ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ଭି. କୀର୍ତ୍ତି ଭାସନ ବୈଠକରେ ଅଧ୍ୟକ୍ଷତା କରିଥିଲେ ।

ଷୋଡଶ ପୂଜା ସମୟରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା, ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ସହ ସମସ୍ତ ଆବଶ୍ୟକ ବ୍ୟବସ୍ଥାର ସୁପରିଚାଳନା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଭକ୍ତଙ୍କ ସୁବିଧା ପାଇଁ ଯାତାୟାତ ଓ ବସ୍‌ ବ୍ୟବସ୍ଥା, ପାନୀୟ ଜଳ, ଶୌଚାଳୟ, ପାର୍କିଂ ଏବଂ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ମନ୍ଦିରର ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜା ସମ୍ପନ୍ନ କରିବା ଓ ଗର୍ଭଗୃହରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପକ୍ଷରୁ ଉତ୍ତମମାନର ଘିଅ ଦୀପ ବ୍ୟବହାର ଉପରେ ଆଲୋଚନା ହୋଇଥିଲା ।

ବୈଠକରେ ମନ୍ଦିର ଜମିଜମା, ନୂତନ ପ୍ରବେଶ ଦ୍ୱାର, ସୁନା ଅଳଙ୍କାରର ବ୍ୟବସ୍ଥିକରଣ,ନୂଆ ପାର୍କିଂ,ଚୈତ୍ର ମେଳାର ଆୟବ୍ୟୟ,ପ୍ରସାଦ ବିକ୍ରିର ସୁପରିଚାଳନା, କର୍ମଚାରୀ ଓ ସେବାୟତମାନଙ୍କ ସୁବିଧା ଏବଂ ସେବାୟତ ପଞ୍ଜୀକରଣ ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା ।

ପୂଜା ଓ ମେଳା ସମୟରେ ଭକ୍ତଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଖାଦ୍ୟର ମାନ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ଜନସମାଗମ ସମୟରେ ରଙ୍ଗ ମିଶ୍ରିତ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି ଅଭିଯୋଗ ଆସୁଥିବାରୁ ଏଭଳି ଖାଦ୍ୟ ବିକ୍ରିରୁ ବ୍ୟବସାୟୀମାନଙ୍କୁ ନିବୃତ୍ତ ରଖିବା ସହ ଆବଶ୍ୟକ ଯାଞ୍ଚ ଓ ସଚେତନତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା, ଟ୍ରଷ୍ଟ ବୋର୍ଡ ସଦସ୍ୟ ପ୍ରମୋଦ ପଣ୍ଡା, ଅଧିକ୍ଷଣ ଯନ୍ତ୍ରୀ ସନ୍ଦୀପ ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ଏସ୍‌ଡିଓ ସୁରେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment