ଘୂର୍ଣ୍ଣିଝଡ଼ ‘ଆକଭାନ’ ପ୍ରଭାବ: କନ୍ଧମାଳରେ ୩ ଦିନ ସ୍କୁଲ ଓ ଅଙ୍ଗନୱାଡି ବନ୍ଦ,: ଏସ୍‌ଆର୍‌ସିଙ୍କ ସତର୍କତାମୂଳକ ପଦକ୍ଷେପ ।

କନ୍ଧମାଳ,୧୮/୧୧(ପିପିଟି): ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ‘ଆକଭାନ’କୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ଓ ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଓଡ଼ିଶା ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନଭେମ୍ବର ୧୮ ତାରିଖରେ ଚିଠି ନଂ. ୬୯୭୬/ଆର୍‌ ଆଣ୍ଡ୍‌ ଡିଏମ୍‌ (ଡିଏମ୍‌) ଜରିଆରେ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, କନ୍ଧମାଳ ଜିଲ୍ଲାର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ସମେତ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଆସନ୍ତା ନଭେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ତିନିଦିନ ବନ୍ଦ ରହିବ। ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଛାତ୍ରଛାତ୍ରୀ ଓ କୋମଳମତି ଶିଶୁମାନଙ୍କ ଯାତାୟାତ ଏବଂ ସୁରକ୍ଷାକୁ ଆଖିଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।ଅନ୍ୟ ପକ୍ଷରେ, ଜିଲ୍ଲାର ପାଣିପାଗ ଓ ସ୍ଥାନୀୟ ପରିସ୍ଥିତି ଉପରେ ଜିଲ୍ଲାପାଳମାନେ ନିରନ୍ତର ନଜର ରଖିବେ। ଆବଶ୍ୟକ ପଡ଼ିଲେ ନଭେମ୍ବର ୨୧ ପରେ ମଧ୍ୟ ଛୁଟି ଅବଧି ବୃଦ୍ଧି କରିବା ନେଇ ଜିଲ୍ଲାପାଳ ଉପଯୁକ୍ତ ନିଷ୍ପତ୍ତି ନେଇ ପାରିବେ। ଏଥିସହ ସ୍ଥାନୀୟ ପରିସ୍ଥିତିକୁ ଆଧାର କରି ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ଖୋଲିବା କିମ୍ବା ବନ୍ଦ ରଖିବା ସମ୍ପର୍କରେ ମଧ୍ୟ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ। ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଓ ପ୍ରସ୍ତୁତି ଜାରି ରହିଥିବା ବେଳେ ସାଧାରଣ ଲୋକେ ମଧ୍ୟ ପ୍ରଶାସନର ନିର୍ଦ୍ଦେଶ ମାନିବା ସହ ସତର୍କ ରହିବାକୁ ଅନୁରୋଧ କରାଯାଇଛି।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Comments (0)
Add Comment