ମାଟ୍ରିମୋନି ଆପରେ ବିବାହ ପ୍ରତିଶ୍ରୁତି ଦେଇ ୧୩ ଲକ୍ଷ ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ ।

ପୁରୀ, ୧୯/୧୦: ମାଟ୍ରିମୋନି ଆପ୍ରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିବା ଅଭିଯୋଗରେ ଜଣେ ଆନ୍ତଃରାଜ୍ୟ ସାଇବର ଠକକୁ ଗିରଫ କରିଛି ପୁରୀ ସାଇବର ଥାନା ପୁଲିସ। ଅଭିଯୁକ୍ତ ଜଣକ ଅନୁଗୋଳର ମାଟିଆ ସାହି ବାସିନ୍ଦା ବଳଭଦ୍ର ପ୍ରସାଦ ମିଶ୍ର। ସେ ନିଜକୁ ଛତିଶଗଡ଼ ସରକାରଙ୍କ ଅତିରିକ୍ତ ସଚିବ ବୋଲି ପରିଚୟ ଦେଇ ମାଟ୍ରିମୋନି ଆପ୍ ମାଧ୍ୟମରେ ଅନେକ ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ପୁଲିସ କହିଛି। ଗତ ଅକ୍ଟୋବର ୧୩ ତାରିଖରେ ଜଣେ ମହିଳା ନର୍ସ ଠକେଇର ଶିକାର ହୋଇ ପୁରୀ ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଅଭିଯୁକ୍ତ ଉକ୍ତ ମହିଳାଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୩ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡ଼ିଥିଲା। ଠକେଇ ଟଙ୍କାରେ ସେ ବିମାନରେ ବିଦେଶ ଭ୍ରମଣ କରିବା ସହ ବିଭିନ୍ନ ତାରକା ହୋଟେଲରେ ରହୁଥିଲା ଏବଂ ଏକ ଚାରିଚକିଆ ଗାଡ଼ି କିଣି ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲା। ଅଭିଯୁକ୍ତଠାରୁ ପୁଲିସ ୧୪ଟି ବ୍ୟାଙ୍କ ପାସ୍ବୁକ୍, ୯ଟି ଚେକ୍ବୁକ୍, ୧୭ଟି ଡେବିଟ୍ ଓ କ୍ରେଡିଟ୍ କାର୍ଡ, ୬ଟି ମୋବାଇଲ୍ ଫୋନ୍, ନଗଦ ୧୦ ହଜାର ଟଙ୍କା ଏବଂ ଗୋଟିଏ ଚାରିଚକିଆ ଗାଡ଼ି ଜବତ କରିଛି। ପୁରୀ ଏସ୍ପି ପ୍ରତୀକ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସାଇବର ଥାନାରେ ପଚରାଉଚରା ବେଳେ ଅଭିଯୁକ୍ତଠାରୁ ଅଧିକ ତଥ୍ୟ ମିଳିଥିବା ପୁଲିସ କହିଛି। ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

Comments (0)
Add Comment