ବ୍ରହ୍ମପୁର,୩୦/୦୬(ପିପିଟି): କୌଣସି ଯୋଗ୍ୟ ଭୋଟର ବାଦ୍ ପଡିବେନି’ ତଥା ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ ପ୍ରଦାନ କରାଯାଉଛି । ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟରେ ଭୋଟର ମାନଙ୍କ ଦାବି ଏବଂ ଆପତ୍ତି ଅଭିଯୋଗର କିଭଳି ଉପଯୁକ୍ତ ସମାଧାନ ହୋଇପାରିବ,ଏ ସଂପର୍କରେ ଏକ ସମୀକ୍ଷା ବୈଠକ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ଉପଜିଲ୍ଲାପାଳ ତଥା ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଇ.ଆର୍.ଓ ଅବିନାଶ କୁମାର ଅଭିଯୋଗ ଶୁଣାଣି ସଂପର୍କରେ ଗୋପାଳପୁର ବିଧାନସଭାର ଏ.ଇ.ଆର୍.ଓ ମାନଙ୍କ ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ । ଭୋଟରମାନଙ୍କ ଦାବି ତଥା ଆପତ୍ତି ଅଭିଯୋଗର କିପରି ସମାଧାନ ହୋଇପାରିବ, ନୋଟିସ୍ ଜାରି କରିବା, ଶୁଣାଣି କରିବା ଏବଂ ସମାଧାନ କରିବା ଦିଗରେ ଥିବା ପ୍ରାବଧାନ ଉପରେ ସେ ଉପସ୍ଥିତ ଏ.ଇ.ଆର୍.ଓ ଏବଂ ଉକ୍ତ ନିର୍ବାଚନ ମଣ୍ଡଳୀର ସୁପରଭାଇଜରମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ବୈଠକରେ ଡ଼େପୁଟି କଲେକ୍ଟର ଅଲେଖ ରଞ୍ଜନ ମହାଙ୍କୁଡ଼ ଏବଂ ସୁବ୍ରତ ରାମ ବିରାମ ଶତପଥୀ ଉପସ୍ଥିତ ଥିଲେ ।