ଜୋରଜବରଦସ୍ତ ବାଇକ୍ ଜବତ କରିବା ଫାଇନାନ୍ସ କମ୍ପାନୀକୁ ପଡ଼ିଲା ମହଙ୍ଗା, ଋଣ ସଂପୂର୍ଣ୍ଣ କ୍ଷମା ସହ ୪୦,୦୦୦ କ୍ଷତିପୂରଣ ଦେବାକୁ ଜିଲ୍ଲା ଖାଉଟି ଆୟୋଗଙ୍କ ନିର୍ଦ୍ଦେଶ ।

ବ୍ରହ୍ମପୁର,୧୦/୧୧(ପିପିଟି): ଘରୋଇ ଫାଇନାନ୍ସ କମ୍ପାନୀମାନଙ୍କ ଦ୍ବାରା ବେଆଇନ ଭାବରେ ଜୋରଜବରଦସ୍ତ ଗାଡ଼ି ଜବତ କରିବା ଏବଂ ଗ୍ରାହକଙ୍କୁ ହଇରାଣ କରୁଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଖାଉଟି ବିବାଦ ବିଚାର ଆୟୋଗ ଏକ କଡ଼ା ରାୟ ଶୁଣାଇଛନ୍ତି । ଆୟୋଗର ଅଧ୍ୟକ୍ଷ ସତୀଶ କୁମାର ପାଣିଗ୍ରାହୀ ଏବଂ ସଦସ୍ୟା ସରିତ୍ରୀ ପଟ୍ଟନାୟକଙ୍କୁ ନେଇ ଗଠିତ ପୀଠ ଏକ ମାମଲାର ବିଚାର କରି ହିନ୍ଦୁଜା ଲେଲାଣ୍ଡ ଫାଇନାନ୍ସ କମ୍ପାନୀକୁ ଦୋଷୀ ସାବ୍ୟସ୍ତ କରିବା ସହ ଖାଉଟିଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ପୃଷ୍ଠଭୂମି: ଦିଗପହଣ୍ଡି ଥାନା ଅନ୍ତର୍ଗତ ନରସିଂହପୁର (ମହୁଡ଼ା) ଅଞ୍ଚଳର ପ୍ରମୋଦ ନାୟକଙ୍କ ଭାଇ ଅଜୟ ନାୟକ ଏକ ୟାମାହା ଫେଜର (Yamaha Fazer) ମୋଟରସାଇକେଲ୍ ହିନ୍ଦୁଜା ଲେଲାଣ୍ଡ ଫାଇନାନ୍ସ କମ୍ପାନୀରୁ ଋଣରେ କିଣିଥିଲେ। ଗାଡ଼ିଟିର ମୋଟ ଫାଇନାନ୍ସ ମୂଲ୍ୟ ୯୩,୩୯୪ ଟଙ୍କା ଥିବାବେଳେ ଗ୍ରାହକ ନିୟମିତ ଭାବେ ୩୪ଟି କିସ୍ତିରେ ମୋଟ ୧,୦୬,୯୨୩ ଟଙ୍କା ପୈଠ କରିସାରିଥିଲେ । ମାତ୍ର କମ୍ପାନୀ ପକ୍ଷରୁ ମନମୁଖୀ ଓ ବଦଳୁଥିବା ଅର୍ଥ ଦାବି କରାଯାଇଥିଲା । ଅଭିଯୋଗ ଅନୁଯାୟୀ, ୩୦.୦୪.୨୦୨୨ ସନ୍ଧ୍ୟାରେ କମ୍ପାନୀର ବେଆଇନଭାବେ ନିୟୋଜିତ ଜବତକାରୀ ଏଜେଣ୍ଟମାନେ ପ୍ରମୋଦଙ୍କ ଅନୁପସ୍ଥିତିରେ ଘରେ ପଶି ତାଙ୍କ ବୃଦ୍ଧା ମା’ଙ୍କୁ ଦୁର୍ବ୍ୟବହାର କରି ପାର୍କିଂରେ ଥିବା ବାଇକ୍‌ଟିକୁ ଜୋରଜବରଦସ୍ତ ଉଠାଇ ନେଇଥିଲେ । ଏହାକୁ ବିରୋଧ କରି ଖାଉଟି ଜିଲ୍ଲା ଖାଉଟି ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ । ଆୟୋଗଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଓ ଘୋଷଣା: ୧. ବେଆଇନ ଜବତ: ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ଋଣ ବାକିଥିବା ଅଳ୍ପ କିଛି ପରିମାଣ ଦର୍ଶାଇ ସନ୍ଧ୍ୟାବେଳେ ଘରେ ପଶି ବଳପୂର୍ବକ ଗାଡ଼ି ଜବତ କରିବା କମ୍ପାନୀର ଏକ ଅନ୍ୟାୟ ବ୍ୟାପାର (unfair trade practice) ଏବଂ ସେବାଗତ ତ୍ରୁଟି ଅଟେ । ୨. ଋଣ ସମ୍ପୂର୍ଣ୍ଣ ପରିଶୋଧ: ଗ୍ରାହକ ଚୁକ୍ତିମୂଳକ ଟଙ୍କାଠାରୁ ଅଧିକ ଅର୍ଥ ଅର୍ଥାତ୍ ୩୪ଟି କିସ୍ତି ପୈଠ କରିସାରିଥିବାରୁ, ଆଉ କୌଣସି ଅର୍ଥ ଦେୟ ନାହିଁ ବୋଲି ଆୟୋଗ ଘୋଷଣା କରିଛନ୍ତି । କମ୍ପାନୀ ଦ୍ବାରା ଦାବି କରାଯାଇଥିବା ବିଭିନ୍ନ ବକେୟା ଓ ଜରିମାନାକୁ ଆୟୋଗ ରଦ୍ଦ କରିଛନ୍ତି । ୩. କ୍ଷତିପୂରଣ ଏବଂ ଖର୍ଚ୍ଚ: ଗ୍ରାହକଙ୍କୁ ମାନସିକ ଯନ୍ତ୍ରଣା, ହଇରାଣ ଓ ଜୀବନଜୀବିକା କ୍ଷତି ପହଞ୍ଚାଇଥିବାରୁ କମ୍ପାନୀକୁ ୪୦,୦୦୦ ଟଙ୍କା କ୍ଷତିପୂରଣ ଏବଂ ମକଦ୍ଦମା ଖର୍ଚ୍ଚ ବାବଦରେ ୫,୦୦୦ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୪. ଗାଡ଼ି ଓ ଏନଓସି (NOC) ପ୍ରଦାନ: ଆଦେଶ ପାଇବାର ୪୫ ଦିନ ମଧ୍ୟରେ କମ୍ପାନୀ ସେହି ଗାଡ଼ିଟିକୁ ଭଲ ଅବସ୍ଥାରେ (ବ୍ୟାଟେରୀ ଏବଂ ମରାମତି ଖର୍ଚ୍ଚ ବହନ କରି) ରେଜିଷ୍ଟ୍ରି ମାଲିକଙ୍କୁ ଫେରାଇବ ଏବଂ ଆରଟିଓ (RTO) ରେ ହାଇପୋଥେକେସନ୍ କାଟ୍ ପାଇଁ ‘ନୋ ଅବଜେକ୍ସନ ସାର୍ଟିଫିକେଟ୍’ (NOC) ଓ ଫର୍ମ-୩୫ ପ୍ରଦାନ କରିବ । ନିର୍ଦ୍ଦେଶିତ ସମୟସୀମା ମଧ୍ୟରେ କମ୍ପାନୀ ଏହା ନ ପାଳନ କଲେ କ୍ଷତିପୂରଣ ରାଶି ଉପରେ ବାର୍ଷିକ ୯ ପ୍ରତିଶତ ସୁଧ ଲାଗିବ ।
ଏହି ରାୟ ସମସ୍ତ ଘରୋଇ ଫାଇନାନ୍ସ କମ୍ପାନୀ ଏବଂ ଜୋରଜବରଦସ୍ତ ଗାଡ଼ି ଉଠାଉଥିବା ଏଜେଣ୍ଟମାନଙ୍କ ପାଇଁ ଏକ କଡ଼ା ଚେତାବନୀ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

Comments (0)
Add Comment