ପୋଲସରା,୦୬/୧୦ (ପିପିଟି): ଆଜି ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ପଞ୍ଚାୟତ ସମିତି ଦ୍ଵାରା ଆୟୋଜିତ ହୋଇଯାଇଛି। ବ୍ଳକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଉକ୍ତ ଶିବିରକୁ ମୁଖ୍ୟ ଅତିଥି ରୂପେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା ସହ ଏହାର ସୁଫଳ କିଭଳି ଭାବେ ନେବେ ତାହାକୁ ନେଇ ଉଦବୋଧନ ଦେଇଥିଲେ।ଏହା ସହିତ ହିତାଧିକାରୀ ଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରି ଭିନ୍ନକ୍ଷମ ମା ଓ ଭାଇ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
ସେବା, ସମ୍ମାନ ଓ ସଶକ୍ତୀକରଣର ଏକ ନିଷ୍ଠାପର ପ୍ରୟାସ।ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ’ ମନ୍ତ୍ର ଏବଂ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଓଡ଼ିଶା ସରକାର ପ୍ରତ୍ୟେକ ଦିବ୍ୟାଙ୍ଗଙ୍କ ସ୍ୱାବଲମ୍ବନ ଓ ସଶକ୍ତୀକରଣ ପାଇଁ ସଂକଳ୍ପବଦ୍ଧ ବୋଲି ପ୍ରକାଶ କରିଥିଲେ।
ଏହାସହିତ ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ଶିବିର ଆୟୋଜନ କରାଯାଇ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଭତ୍ତା,ଆବାସ ଗୃହ,ରାସନ୍ କାର୍ଡ ସହିତ ଅନ୍ୟାନ୍ୟ ଆବେଦନ ଗ୍ରହଣ କରିଥିଲେ। ତହସିଲଦାର ଦୀପ୍ତିମୟୀ ପାତ୍ର, ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ଜିଲ୍ଲା ପରିଷଦ ମେମ୍ବର ଝୁନୁ ଦାସ, ସାଂସଦ ପ୍ରତିନିଧି ଶରତ ଚନ୍ଦ୍ର ପାଣିଗ୍ରାହୀ ମଞ୍ଚାସିନ ହୋଇଥିବା ବେଳେ ସରପଞ୍ଚ, ସମିତି ସଭ୍ୟ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା