ବ୍ରହ୍ମପୁର,୨୪/୦୫(ପିପିଟି):ଆଜି ମାନବବାଦୀ ହେତୁବାଦୀ ସଂଗଠନର ଗଞ୍ଜାମ ଜିଲ୍ଲା ଶାଖା ଆନୁକୂଲ୍ୟରେ “ଭିଡ ହିଂସା, କେତେ ଯଥାର୍ଥ” ଶୀର୍ଷକ ଏକ ଆଲୋଚନା ଚକ୍ର ସ୍ଥାନୀୟ ସଂକଳ୍ପ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ସଂଗଠନର ସଭାପତି ଇ.ଟି.ରାଓ ସଭାପତିତ୍ୱ କରିଥିଲେ ।
ସର୍ବପ୍ରଥମେ ସମ୍ପାଦକ କେ.ନନ୍ଦେଷୁ ସେନାପତି ଭିଡ ହିଂସା ଉପରେ ସଂକ୍ଷେପରେ ଆଲୋକପାତ କରିଥିଲେ । ଭିଡ ହିଂସା ଆକସ୍ମିକ ଭାବେ ଓ ପ୍ରାୟୋଜିତ ଭାବେ ଘଟିଥାଏ । ମୁଖ୍ୟତଃ ଏହା ଜାତି, ଧର୍ମ, ଲିଙ୍ଗ, ଗୁଣି ଗାରିଡି ଓ ଗୁଜବ ଯୋଗୁଁ ସୃଷ୍ଟି ହୋଇଥାଏ । ଏଭଳି ଅମାନବୀୟ ଓ ବେଆଇନ ହତ୍ୟା ଦେଶ ପାଇଁ ବିପଜ୍ଜନକ ଅଟେ । ଭିଡ଼ ହିଂସା ସମାଜରେ ବିଭେଦ ଓ ଅରାଜକତା ସୣଷ୍ଟି କରୁଛି ଏବଂ ଏହାକୁ ଶେଷ କରିବା ପାଇଁ ପୋଲିସର କଡ଼ା ହସ୍ତକ୍ଷେପ ହେବା ଆବଶ୍ୟକ ।
ଅନ୍ୟମାନଙ୍କ ମଧ୍ୟରେ ଭାଲଚନ୍ଦ୍ର ଷଡଙ୍ଗୀ,ସୋମନାଥ ବେହେରା, ଡଃ ବିଧୁପ୍ରଭା ରଥ,ଶଙ୍କର ସାହୁ,କିଶନ ସାହୁ,ସୁନେଜ କୁମାର ପାଣିଗ୍ରାହୀ, ଅବନୀ ଗୟା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପ୍ରାୟୋଜିତ ଭିଡ ହିଂସାରେ ବିବେକ ଅପେକ୍ଷା ଧାର୍ମିକ ସାମ୍ପ୍ରଦାୟିକତା କାର୍ଯ୍ୟ କରୁଛି । ସମାଜରେ ରହିଥିବା ଜାତି,ଧର୍ମ,ଲିଙ୍ଗ, ଆଞ୍ଚଳିକତା ଓ ଭାଷା ଆଦି ଏଭଳି ଅପରାଧ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥାଏ ।
ଗୋଟିଏ ରିପୋର୍ଟରେ ପ୍ରକାଶିତ ହୋଇଛି ଯେ ୩୦% ପୋଲିସ ଭିଡ ହିଂସା ଠିକ୍ କରୁଛନ୍ତି । ଭିଡହିଂସା ନିରାକରଣ ପାଇଁ ଭାରତର ମୁଖ୍ୟ ନ୍ୟାୟାଳୟ ୨୦୧୮ ମସିହାରେ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାକୁ କାର୍ଯ୍ୟକାରୀ କଲେ ସମ୍ପୂର୍ଣ ଭାବେ ଭିଡ ହିଂସାକୁ ଦୂର କରି ନ ପାରିଲେ ବି କିଛିଟା ରୋକାଯାଇ ପାରିବ ବୋଲି ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବରାଜ ପଣିଗ୍ରାହୀ,ପ୍ରତାପ ଚନ୍ଦ୍ର ପ୍ରଧାନ,ହାକିମ ଖାଁ,ଗାୟତ୍ରୀ ପଣିଗ୍ରାହୀ,ଦେବଦର୍ଶିନୀ,କିଶନ କୁମାର ସାହୁ,ସନ୍ତୋଷ କୁମାର ମିଶ୍ର, ଗଣପତି ବେହେରା,ଲୋକନାଥ ବେହେରା, ବୃନ୍ଦବନ ଖଟେଇ ଭାଗ ନେଇଥିଲେ। ପରିଶେଷରେ ସଂଗଠନର ବରିଷ୍ଠ ସଦସ୍ୟ ଡି.ମୋହନ ରାଓ ଧନ୍ୟବାଦ ଦେଇଥିଲେ।