ବିଦ୍ୟୁତ୍ ସଂସ୍ପର୍ଶରେ କ୍ରେନ୍ ଆସି ଡ୍ରାଇଭର ମୃତ ।

ମାଲକାନଗିରି,୦୧/୧୧(ପିପିଟି):ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ସଦର ମହକୁମା ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ନିକଟରେ ଏକ ଅଭାବାନୀୟ ଘଟଣା ଘଟିଛି। ପାନୀୟ ଜଳ ଯୋଗାଣ ପାଇଁ କ୍ରେନ୍‌ରୁ ପାଇପ୍‌ ବାହାର କରିବା ସମୟରେ ଭାରସାମ୍ୟ ହରାଇ କ୍ରେନ୍‌ଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ବିହାର ଅଞ୍ଚଳର ଜିତେନ୍ଦ୍ର ରାମ ବୋଲି ଜଣା ପଡ଼ିଛି।

ସୂଚନା ଅନୁଯାୟୀ,ଆଜି ଅପରାହ୍ନରେ ପଡିଆ ଆଞ୍ଚଳିକ ମହାବିଦ୍ୟାଳୟ ଖେଳ ପଡ଼ିଆକୁ ଲାଗି ରହିଥିବା ସ୍ଥାନରେ ସ୍ଥାନୀୟ ଅଞ୍ଚଳରେ ଜଳ ଯୋଗାଣ ପାଇଁ ଟେଣ୍ଡର ପାଇଥିବା କମ୍ପାନିର ଏକ କ୍ରେନ୍‌ ଯୋଗେ ପାଇପ୍ ଗୁଡିକୁ ସ୍ଥାନାନ୍ତର କରାଯାଉଥିଲା। କ୍ରେନ୍‌ ଡ୍ରାଇଭର ଜିତେନ୍ଦ୍ର ରାମ ପାଇପ୍ ବଣ୍ଡଲ ଗୁଡ଼ିକୁ ବାହାର କରୁଥିବା ବେଳେ ଅଚାନକ ଭାରସାମ୍ୟ ହରାଇ କ୍ରେନ୍‌ଟି ନିକଟରେ ଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା । ଏଥି ଯୋଗୁଁ ବିଦ୍ୟୁତ ତାରରୁ ନିଆଁ ବାହାରିବା ସହ ସମ୍ପୂର୍ଣ୍ଣ କ୍ରେନ୍‌ରେ ବିଦ୍ୟୁତ୍ ପ୍ରବାହିତ ହେବାରୁ ଜିତେନ୍ଦ୍ର ଗୁରୁତର ହୋଇ ପଡ଼ିଥିଲେ। ଏହି ସମୟରେ ନିକଟରେ କାମ କରୁଥିବା କିଛି ଲୋକ ଜିତେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ସମ୍ପୃକ୍ତ କମ୍ପାନି ପକ୍ଷରୁ ପଡିଆ ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ କେଶ୍‌ ନଂ:୧୦୧/୨୨ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment