ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ଜେଲ୍ ସମ୍ମୁଖରେ ଧାରଣା ।

ମାଲକାନଗିରି,୧୭/୦୯(ପିପିଟି):ମାଲକାନଗିରି ଜିଲ୍ଲା ଉପ କାରାଗାରରେ ଜଣେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇଛି । ଏନେଇ ମୃତକଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ମୃତଦେହକୁ ନେଇ ଜେଲ୍‌ ସମ୍ମୁଖରେ ଧାରଣା ଦେଇଛନ୍ତି । ମୃତ କଏଦୀ ଜଣକ ହେଉଛନ୍ତି ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ କାଲାଗୁଡା ଗାଁର ଲକିନାଥ ବେହେରା । ଜେଲ୍‌ରେ ତାଙ୍କୁ ମାରି ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି ଯେ, କଏଦୀ ନିଜେ ଜୀବନ ହାରିଛନ୍ତି । ଏହାର ଭିଡିଓ ସିସିଟିଭି ରେକର୍ଡ ହୋଇଛି ।ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତ ତିନି ମାସ ହବ ଲକିନାଥଙ୍କୁ ଏକ ମାମଲାରେ ବିଚାରାଧିନ କଏଦୀ ଭାବେ ମାଲକାନଗିରି ଜିଲ୍ଲା ଉପ କାରାଗାରରେ ରଖାଯାଇଥିଲା । ଲକିନାଥ ଗତକାଲି (ବୁଧବାର) ସକାଳେ ପରିବାର ସଦସ୍ୟଙ୍କ ସହ ଫୋନ୍‌ରେ କଥା ହୋଇଥିଲେ । ହେଲେ ହଠାତ ଜେଲ୍‌ରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଜେଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ନଜଣାଇ ଲକିନାଥଙ୍କୁ ହସ୍ପିଟାଲ ନେଇଥିଲେ । କୌଣସି ସୂତ୍ରରୁ ଖବର ପାଇଁ ପରିବାର ଲୋକ ହସ୍ପିଟାଲରେ ପହଞ୍ଚି ଲକିନାଥଙ୍କୁ ମୃତ ଅବସ୍ଥାରେ ଦେଖିଥିଲେ । କାରାଗାର କର୍ତ୍ତୃପକ୍ଷ କହିଥିଲେ ଯେ, ଲକିନାଥ ଜେଲ ଭିତରେ ଜୀବନ ହାରିଛନ୍ତି । ମାତ୍ର ଏ କଥାକୁ ପରିବାର ଲୋକ ଗ୍ରହଣ ନ କରି ତାଙ୍କୁ ମାରି ଦିଆଯାଇଥିବା ବୋଲି ଅଭିଯୋଗ କରିଛନ୍ତି ।ମୃତ ଲକିନାଥଙ୍କ ସାନ ଭାଇ ଭଗବାନ ବେହେରା କହିଛନ୍ତି, ଭାଇ ସକାଳ ୮ଟାରେ ଘର ଲୋକଙ୍କ ସହ କଥା ହୋଇଥିଲା । ସେତେବେଳେ ସେ ଭଲ ଥିଲା । ହଠାତ ମାଲକାନଗିରି ଜେଲ୍‌ରେ ମୃତ୍ୟୁ ହୋଇଗଲା । ଏନେଇ ଆମକୁ କିଛି ଜଣାଯାଇ ନଥିଲା । ଜେଲରେ ତାଙ୍କୁ ମାରି ଦିଆଯାଇଛି ।ସେପଟେ ବିଳମ୍ବିତ ରାତିରେ ଲକିନାଥଙ୍କ ପରିବାର ଲୋକ ଓ କାଲାଗୁଡା ଗ୍ରାମବାସୀ ଉତ୍ୟକ୍ତ ହୋଇ ପୋଲିସ୍ ଉପସ୍ଥିତିରେ ମୃତଦେହକୁ ଷ୍ଟ୍ରେଚରରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଜେଲ୍ ପର୍ଯ୍ୟନ୍ତ (୩ କିଲମିଟର୍) ମୁଖ୍ୟ ରାସ୍ତାରେ ଠେଲି ଠେଲି ଆଣିଥିଲେ । ଜେଲ୍ ମୁଖ୍ୟ ଫାଟକ ସାମ୍ନାରେ ମୃତଦେହ ରଖି ଜେଲ୍ ପରିସରକୁ ଘେରାଉ କରିଥିଲେ । ପରେ ଘଟଣାସ୍ଥଳକୁ ମାଲକାନଗିରି SDPO ଓ ପୋଲିସ୍ ଅଧିକାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଥିଲି । କିନ୍ତୁ ସେଠାରେ ପରିସ୍ଥିତି ଅଣଆୟତ ହେବାରୁ ୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରିବାକୁ ପଡ଼ିଥିଲା । ପରେ ଘଟଣାସ୍ଥଳକୁ ମାଲକାନଗିରି ଅତିରିକ୍ତ ଏସପି ରାଜ୍ କିଶୋର ଦାଶ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଇବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା
ମାଲକାନଗିରି ଉପ କାରାଗାରର ଜେଲର୍ ଦିଲୀପ କୁମାର ବେହେରା କହିଛନ୍ତି ଯେ, ମୃତକ ବିଚାରାଧୀନ କଏଦୀ ଲକିନାଥ ବେହେରା ତିନି ମାସ ହବ ଜେଲ୍‌ରେ ଥିଲେ । ଏକ ମାମଲାରେ ଗିରଫ ପରେ କୁଡୁମୁଲୁଗୁମା ଜେଏମଏଫସି କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ମାଲକାନଗିରି ଜେଲକୁ ପଠାଯାଇଥିଲା । ପରେ ସେପ୍ଟେମ୍ବର ମାସ ୭ ତାରିଖରେ ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ବିଚାର ପାଇଁ ମାମଲା ଆସିଛି ଏବଂ ସେ ଓକିଲ ବଦଳାଇବା ପାଇଁ ବି କହିଥିଲେ । ଏହାସହ ଗତ ୧୨ ତାରିଖରେ ତାଙ୍କ ପରିବାର ଲୋକ ଦେଖା କରିବାକୁ ଆସିଥିଲେ । ଗତକାଲି ତାଙ୍କ ପରିବାର ଲୋକଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ । ପରେ ସେ ଜେଲ୍‌ ଭିତରେ ଜୀବନ ହାରିଛନ୍ତି ।ଜେଲର୍ ଦିଲୀପ କୁମାର ବେହେରା କହିଛନ୍ତି, କେଉଁ କାରଣରୁ ସେ ଜୀବନ ହାରିଛନ୍ତି ତାହା ଜଣାପଡିନାହିଁ । ତାଙ୍କ ପରିବାର ଲୋକ ଆଣିଥିବା ଅଭିଯୋଗ ମିଥ୍ୟା । ସେ ଜୀବନ ହାରିବା ବେଳର ଭିଡିଓ ସିସିଟିଭିରେ ରେକର୍ଡ ହୋଇଛି । ଯଦି ପରିବାର ଲୋକ ଦେଖିବାକୁ ଚାହାନ୍ତି ସେମାନେ ସିସିଟିଭିରେ ରେକର୍ଡ ଦେଖିପାରିବେ । ମୃତଦେହକୁ ବ୍ୟବଚ୍ଛେଦ ପାଇଁ କୋରାପୁଟ ପଠାଯାଇଛି ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment