୨୦୨୭ ପଞ୍ଚାୟତ ନିର୍ବାଚନ: ବିଜେପି-ବିଜେଡି ପାଇଁ ବଡ଼ ଅଗ୍ନିପରୀକ୍ଷା ।

ଭୁବନେଶ୍ୱର,୦୫/୧୧(ପିପିଟି): ଆସନ୍ତା ୨୦୨୭ ଏପ୍ରିଲରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଓଡ଼ିଶାର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଗାଁ ଗାଁରେ ନିଜର ସାଂଗଠନିକ ଶକ୍ତି ଓ ଜନସମର୍ଥନ ପ୍ରମାଣିତ କରିବାକୁ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତାର ସମ୍ଭାବନା ରହିଛି। ୨୦୨୪ରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ପରେ ତୃଣମୂଳ ସ୍ତରର ରାଜନୈତିକ ସମୀକରଣ ମଧ୍ୟ ବଦଳିବାରେ ଲାଗିଛି। ଏହି ନିର୍ବାଚନ ଶାସକ ବିଜେପି ପାଇଁ ପ୍ରଥମ ବଡ଼ ଜନସମର୍ଥନର ପରୀକ୍ଷା ହୋଇଥିବା ବେଳେ ଦୀର୍ଘ ୨୪ ବର୍ଷ ଶାସନ ପରେ କ୍ଷମତାରୁ ବାହାରିଥିବା ବିଜେଡି ପାଇଁ ନିଜର ହଜିଥିବା ସାଂଗଠନିକ ଶକ୍ତି ଫେରାଇ ଆଣିବାର ଏକ ବଡ଼ ସୁଯୋଗ ହେବ। ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରାୟ ୫୩ ପ୍ରତିଶତ ଭୋଟ୍ ପାଇ ପ୍ରାୟ ୯୦ ପ୍ରତିଶତ ଜିଲ୍ଲା ପରିଷଦ ଜୋନ୍ରେ ବିଜୟୀ ହୋଇଥିଲା। ୩୧୪ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦରୁ ୨୭୮ଟି ଏବଂ ୩୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଦଳ ଦଖଲ କରିଥିଲା। କିନ୍ତୁ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ଓ ବିଜେପିର ସରକାର ଗଠନ ପରେ ଗ୍ରାମାଞ୍ଚଳ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି।
୨୦୧୭ ପଞ୍ଚାୟତ ନିର୍ବାଚନରେ ୨୯୭ଟି ଜିଲ୍ଲା ପରିଷଦ ଜୋନ୍ରେ ବିଜୟୀ ହୋଇ ବିଜେପି ରାଜ୍ୟରେ ଦ୍ୱିତୀୟ ସ୍ଥାନକୁ ଉଠିଥିଲା। ମାତ୍ର ୨୦୨୨ରେ ଦଳର ଆସନ ସଂଖ୍ୟା ୪୨କୁ ଖସି ଆସିଥିଲା। ଏବେ ୨୦୨୪ରେ ରାଜ୍ୟରେ ସରକାର ଗଠନ କରିଥିବା ବିଜେପି ଆସନ୍ତା ପଞ୍ଚାୟତ ନିର୍ବାଚନରେ ଅଧିକ ଜିଲ୍ଲା ପରିଷଦ ଆସନ ହାସଲ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି। ନିକଟରେ କଟକରେ ଅନୁଷ୍ଠିତ ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମଧ୍ୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଓ ସାଂଗଠନିକ କାର୍ଯ୍ୟଖସଡ଼ା ନେଇ ଆଲୋଚନା ହୋଇଛି। ଅନ୍ୟପଟେ ବିଜେଡି ମଧ୍ୟ ନିଜର ତୃଣମୂଳ ସଂଗଠନକୁ ପୁନର୍ଗଠନ କରିବା ସହ ନିର୍ବାଚିତ ପ୍ରତିନିଧି ଓ କର୍ମୀଙ୍କୁ ଦଳ ସହ ଯୋଡ଼ି ରଖିବାକୁ ଉଦ୍ୟମ ଚଳାଇଛି। ୨୦୧୭ରେ କଂଗ୍ରେସ ୧୮ ପ୍ରତିଶତ ଭୋଟ୍ ପାଇଥିବା ବେଳେ ୨୦୨୨ରେ ଏହା ୧୩.୫ ପ୍ରତିଶତକୁ ଖସିଥିଲା। ଏବେ ଦଳ ନିଜର ଦୁର୍ବଳ ସଂଗଠନକୁ ସଜାଡ଼ିବା ସହ ଅନ୍ୟ ଦଳକୁ ଚାଲିଯାଇଥିବା କିଛି ବରିଷ୍ଠ ନେତାଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରୁଛି।
କ୍ଷମତା ପରିବର୍ତ୍ତନ ପରେ ତୃଣମୂଳ ସ୍ତରରେ ଦଳବଦଳ ରାଜନୀତି ମଧ୍ୟ ଜୋର ଧରିଛି। ୨୦୨୪ ନଭେମ୍ବରରେ ଭଦ୍ରକ ଜିଲ୍ଲାର ବନ୍ତ, ବାସୁଦେବପୁର ଓ ଭଣ୍ଡାରିପୋଖରୀ ବ୍ଲକ୍ର ଅଧ୍ୟକ୍ଷମାନେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। କେନ୍ଦୁଝର ସଦର ବ୍ଲକ୍ ଅଧ୍ୟକ୍ଷଙ୍କ ସହ ୧୫ ଜଣ ସରପଞ୍ଚ ଓ ୭ ଜଣ ସମିତି ସଭ୍ୟ ମଧ୍ୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ବାଂଶପାଳ ବ୍ଲକ୍ର ୨୧ ଜଣ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ସାହାରାପଡ଼ା ବ୍ଲକ୍ ଅଧ୍ୟକ୍ଷ ମଧ୍ୟ ବିଜେପି ଶିବିରକୁ ଯାଇଥିଲେ। ପରବର୍ତ୍ତୀ ସମୟରେ ଜଗତସିଂହପୁରର ବିରିଡ଼ି, କଟକର ବଡ଼ମ୍ବା, ପୁରୀର କୃଷ୍ଣପ୍ରସାଦ, କଳାହାଣ୍ଡିର ଲାଞ୍ଜିଗଡ଼ ଓ ନୂଆପଡ଼ାର କୋମନା ବ୍ଲକ୍ ଅଧ୍ୟକ୍ଷମାନେ ମଧ୍ୟ ବିଜେଡି ଛାଡ଼ିଥିବା ଦେଖିବାକୁ ମିଳିଥିଲା। ଏପରିକି ବିଜେଡିର ପାରମ୍ପରିକ ରାଜନୈତିକ ପ୍ରଭାବ ଥିବା ଯାଜପୁର ଜିଲ୍ଲାର ଧର୍ମଶାଳା ଓ ବରୀରେ ମଧ୍ୟ ବହୁ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଏହି ଦଳବଦଳ ଘଟଣା ଗ୍ରାମାଞ୍ଚଳର ରାଜନୈତିକ ସମୀକରଣକୁ ପ୍ରଭାବିତ କରିବା ସହ ଆଗାମୀ ନିର୍ବାଚନରେ ଦଳଗୁଡ଼ିକର ସ୍ଥିତି ନିର୍ଦ୍ଧାରଣରେ ଭୂମିକା ନେଇପାରେ।
ଏବେ ରାଜ୍ୟରେ ୭୯ ଜଣ ବିଜେପି ବିଧାୟକ ଓ ୩ ଜଣ ବିଜେପି ସମର୍ଥିତ ସ୍ୱାଧୀନ ବିଧାୟକ ଥିବାରୁ ଏହି ୮୨ଟି ବିଧାନସଭା କ୍ଷେତ୍ରରେ ଦଳର ତୃଣମୂଳ ସଂଗଠନକୁ ଅଧିକ ମଜବୁତ କରିବା ଉପରେ ଗୁରୁତ୍ୱ ରହିଛି। ଅନେକ ଅଞ୍ଚଳରେ ପୂର୍ବରୁ ବିଜେଡି ସମର୍ଥିତ ପ୍ରତିନିଧିମାନେ ପଞ୍ଚାୟତ ସ୍ତରରେ ପ୍ରଭାବ ରଖିଥିବାରୁ ସେମାନଙ୍କୁ ନିଜ ପକ୍ଷରେ ରଖିବା ବିଜେଡି ପାଇଁ ଏକ ବଡ଼ ଆହ୍ୱାନ। ଦଳର ବିଧାୟକମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ସଂଗଠନକୁ ସକ୍ରିୟ କରିବା ସହ ପଞ୍ଚାୟତ ସ୍ତରରେ କର୍ମୀ ସମ୍ମିଳନୀ ଆରମ୍ଭ କରିଛନ୍ତି। ସେପଟେ ବିଜେପି ମଧ୍ୟ ଦୁର୍ବଳ ସଂଗଠନ ଥିବା ବ୍ଲକ୍ଗୁଡ଼ିକରେ ନୂଆ ନେତୃତ୍ୱ ସୃଷ୍ଟି ଓ ଅନ୍ୟ ଦଳର ନେତାଙ୍କୁ ନିଜ ସଂଗଠନରେ ସାମିଲ କରିବା ଉପରେ ଧ୍ୟାନ ଦେଉଛି। ତେଣୁ ୨୦୨୭ ପଞ୍ଚାୟତ ନିର୍ବାଚନ କେବଳ ଗ୍ରାମାଞ୍ଚଳର ସ୍ଥାନୀୟ ନେତୃତ୍ୱ ଚୟନରେ ସୀମିତ ନ ରହି ରାଜ୍ୟର ରାଜନୈତିକ ଦଳଗୁଡ଼ିକର ସାଂଗଠନିକ ଶକ୍ତି ଓ ଜନସମର୍ଥନର ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହେବାକୁ ଯାଉଛି।

Comments (0)
Add Comment