କଟକ, ୨୭/୧୦(ପିପିଟି): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ କଟକ ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଆଜି ମାନ୍ୟବର ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବାତ୍ୟା ପ୍ରସ୍ତୁତି ସମୀକ୍ଷା ବୈଠକରେ ବିପର୍ଯ୍ୟୟ ମୁକାବିଲା, ଜଳବନ୍ଦୀ ନିୟନ୍ତ୍ରଣ, ଆଶ୍ରୟସ୍ଥଳ ପ୍ରସ୍ତୁତି, ସ୍ୱାସ୍ଥ୍ୟସେବା ଓ ଜରୁରୀକାଳୀନ ଉଦ୍ଧାର ବ୍ୟବସ୍ଥାର ସମୀକ୍ଷା କରାଯାଇଛି।
ମେୟର ସୁବାସ ସିଂହ ବିପର୍ଯ୍ୟୟ ପରିଚାଳନାରେ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା, ବିପଦପ୍ରବଣ ଅଞ୍ଚଳରେ ଆଗୁଆ ପଦକ୍ଷେପ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ଉପରେ ଜୋର୍ ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC), ଓଡ଼ିଶାଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ପ୍ରସ୍ତୁତି କରାଯାଉଥିବା ବୈଠକରେ ସୂଚନା ଦିଆଯାଇଛି।
୯୪ଟି ଆଶ୍ରୟସ୍ଥଳ ପ୍ରସ୍ତୁତ ବିପଦପ୍ରବଣ ଅଞ୍ଚଳର ଲୋକଙ୍କୁ ଆବଶ୍ୟକ ପଡ଼ିଲେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ୯୪ଟି ଅସ୍ଥାୟୀ ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଛି। ଏହି ସ୍ଥାନଗୁଡ଼ିକରେ ପାନୀୟ ଜଳ, ବିଦ୍ୟୁତ୍ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯାଞ୍ଚ କରି ଲୋକଙ୍କ ରହିବା ପାଇଁ ଉପଯୋଗୀ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
୩୧୦ଟି ପମ୍ପସେଟ୍ ଓ ଚାଳକ ପ୍ରସ୍ତୁତ
ସମ୍ଭାବ୍ୟ ଜଳବନ୍ଦୀ ପରିସ୍ଥିତିର ମୁକାବିଲା ପାଇଁ ନିଗମର ୩୧୦ଟି ପମ୍ପସେଟ୍ ଓ ସେଗୁଡ଼ିକର ଚାଳକମାନଙ୍କୁ ପ୍ରସ୍ତୁତ ରଖାଯାଇଛି। ଆବଶ୍ୟକ ହେଲେ ତଳିଆ ଓ ଜଳବନ୍ଦୀ ପ୍ରବଣ ଅଞ୍ଚଳରେ ତୁରନ୍ତ ପମ୍ପ ମୁତୟନ କରାଯିବ। ଡ୍ରେନ୍ ସଫେଇ, ଜଳ ନିଷ୍କାସନ ବ୍ୟବସ୍ଥା ଏବଂ ଫାୟାର୍ ପମ୍ପ ଓ ଭଲ୍ଭୋ ପମ୍ପର ଉପଲବ୍ଧତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଉଦ୍ଧାର ଓ ଜରୁରୀକାଳୀନ ସେବା ସଜାଗ ଜରୁରୀ ପରିସ୍ଥିତିରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ କଟକ ମହାନଗର ନିଗମ ଅଞ୍ଚଳରେ ଗୋଟିଏ ଓଡ୍ରାଫ୍ ଟିମ୍କୁ ଷ୍ଟାଣ୍ଡବାଏରେ ରଖାଯାଇଛି। ଏଥିସହ ୬ଟି ରାପିଡ୍ ଆକ୍ସନ ଟିମ୍କୁ ତିନୋଟି ସିଫ୍ଟରେ ମୁତୟନ କରାଯାଇଛି। ଆବଶ୍ୟକ ସମୟରେ ଲୋକଙ୍କ ସ୍ଥାନାନ୍ତରଣ ଓ ରିଲିଫ୍ ସହାୟତା ଯୋଗାଇବା ପାଇଁ ମଧ୍ୟ ପ୍ରସ୍ତୁତି ରହିଛି।
୨୫ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଔଷଧ ମହଜୁଦ ,
କଟକ ମହାନଗର ନିଗମ ଅଧୀନରେ ଥିବା ୨୫ଟି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ସୁବିଧା ପ୍ରସ୍ତୁତ ରଖାଯାଇଛି। ସାପ କାମୁଡ଼ା ପାଇଁ ଆଣ୍ଟି-ସ୍ନେକ୍ ଭେନମ୍ (ASV) ଏବଂ କୁକୁର କାମୁଡ଼ା ପାଇଁ ଆଣ୍ଟି-ରେବିଜ୍ ଭ୍ୟାକ୍ସିନ୍ (ARV) ମହଜୁଦ ରଖାଯାଇଛି। ଆସନ୍ତା ସାତ ଦିନ ମଧ୍ୟରେ ପ୍ରସବ ହେବାର ସମ୍ଭାବନା ଥିବା ଗର୍ଭବତୀ ମହିଳାମାନଙ୍କୁ ଆବଶ୍ୟକ ଅନୁଯାୟୀ ଆଗୁଆ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି।
ଜନସଚେତନତା ଓ ହେଲ୍ପଲାଇନ୍
ବିପଦପ୍ରବଣ ଅଞ୍ଚଳର ଲୋକଙ୍କୁ ସଚେତନ କରିବା ପାଇଁ ଏନ୍ଫୋର୍ସମେଣ୍ଟ ଟିମ୍ ମାଇକ୍ ଯୋଗେ ଘୋଷଣା କରିବେ। ଦୁର୍ଗାପୂଜା ସମୟରେ ସ୍ଥାପିତ ବିଭିନ୍ନ ଗେଟ୍ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଜେଇ ଓ ଏନ୍ଫୋର୍ସମେଣ୍ଟ ଟିମ୍ ଏହାର ଅନୁଧ୍ୟାନ କରୁଛନ୍ତି।
ଜନସାଧାରଣଙ୍କ ସୁବିଧା ପାଇଁ ହେଲ୍ପଲାଇନ୍ ନମ୍ବର ୧୮୦୦୩୪୫୬୭୨୮ ଜାରି କରାଯାଇଛି। କଣ୍ଟ୍ରୋଲ ରୁମ୍ ତିନୋଟି ସିଫ୍ଟରେ କାର୍ଯ୍ୟ କରୁଛି। ଏହାର ଯୋଗାଯୋଗ ନମ୍ବର ହେଉଛି ୨୩୧୦୪୭୨ ଏବଂ ୨୩୧୧୨୪୪।
ବୈଠକରେ ବରିଷ୍ଠ ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ
ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସମୀକ୍ଷା ବୈଠକରେ ଉପମେୟର ଦମୟନ୍ତୀ ମାଝୀ, କମିଶନର କିରଣଦୀପ କୌର ସାହୋତା, ଅତିରିକ୍ତ କମିଶନର ସୋନା ଟୁଡୁ ଓ ପରେଶ ନାୟକ, ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ଅତନୁ ସାମନ୍ତରାୟ, ସିଟି ଇଞ୍ଜିନିୟର, ତିନୋଟି ଜୋନ୍ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଜରୁରୀକାଳୀନ ବିଭାଗର ଡିସି ଶ୍ରଦ୍ଧା ଗ୍ରହାଚାର୍ଯ୍ୟ, ବିଦ୍ୟୁତ୍ ଯନ୍ତ୍ରୀ ଓ ଅଗ୍ନିଶମ ବାହିନୀର ଅଧିକାରୀ ଉପସ୍ଥିତ ଥିଲେ।ଏଥିସହ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପ୍ରଳୟ ବେହେରା, ପ୍ରଦୀପ୍ତ ଖୁଣ୍ଟିଆ, ଦୀପ୍ତିମୟୀ ମୂଳିଆ, ଏ. ଶ୍ରୀଦେବୀ, ସନ୍ତୋଷ ଭୋଳା ଓ ଗୋପାଳ ବେହେରା ପ୍ରମୁଖ ଯୋଗଦେଇଥିଲେ।
ବୈଠକରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା, ଜରୁରୀକାଳୀନ ସେବାକୁ ସଜାଗ ରଖିବା ଏବଂ ଆବଶ୍ୟକ ସମୟରେ ତ୍ୱରିତ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।