ଦେହାନ୍ତର ୭୦ ବର୍ଷ ପରେବି ଗଣକବିଙ୍କୁ ଅବହେଳା, ଜୟନ୍ତୀରେ ଖୋଲିଲାନି ସ୍ମୃତିର ଟିଣବାକ୍ସ ।

କଟକ,୨୭/୧୦(ପିପିଟି): ଓଡ଼ିଆ ଗୀତିନାଟ୍ୟ ଜଗତର ଅନ୍ୟତମ ମହାନ ସ୍ରଷ୍ଟା ଗଣକବି ବୈଷ୍ଣବ ପାଣିଙ୍କ ସ୍ମୃତି ଆଜି ବି ଅବହେଳିତ। ତାଙ୍କ ଦେହାନ୍ତର ପ୍ରାୟ ୭୦ ବର୍ଷ ପରେ ମଧ୍ୟ ଜନ୍ମମାଟି କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ର କୋଠପଦା ଗ୍ରାମରେ ତାଙ୍କ ସ୍ମୃତିର ସୁରକ୍ଷା ପାଇଁ ସ୍ଥାୟୀ ବ୍ୟବସ୍ଥା ହୋଇପାରିନାହିଁ। ପ୍ରତିବର୍ଷ ଜୟନ୍ତୀ ଅବସରରେ ତାଙ୍କ ବ୍ୟବହୃତ ସାମଗ୍ରୀ ପ୍ରଦର୍ଶନ କରାଯାଉଥିବା ବେଳେ ଏଥର ତାଙ୍କ ଅଣନାତି ଚନ୍ଦ୍ରଭାନୁ ଆଚାର୍ଯ୍ୟ କ୍ଷୋଭ ପ୍ରକାଶ କରି ସେସବୁ ସାମଗ୍ରୀକୁ ଟିଣବାକ୍ସରୁ ବାହାର କରିନାହାନ୍ତି। ସରକାର ଓ ପ୍ରଶାସନର ପ୍ରତିଶ୍ରୁତି ପୂରଣ ହେଉନଥିବାରୁ ଏଭଳି ପଦକ୍ଷେପ ନେଇଥିବା ସେ କହିଛନ୍ତି।
ଚନ୍ଦ୍ରଭାନୁଙ୍କ କହିବା ଅନୁଯାୟୀ, ପ୍ରତିବର୍ଷ ଗଣକବିଙ୍କ ଜୟନ୍ତୀରେ ଘରେ ରଖାଯାଇଥିବା ଏକ ପୁରୁଣା ଟିଣବାକ୍ସ ଖୋଲାଯାଏ। ସେଥିରୁ ଗଣକବିଙ୍କ ବ୍ୟବହୃତ ସାମଗ୍ରୀ ବାହାର କରି ଘର ସମ୍ମୁଖରେ ରଖାଯାଏ। ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆସୁଥିବା ଲୋକେ ସେହି ସାମଗ୍ରୀ ଦେଖି ଗଣକବିଙ୍କୁ ସ୍ମରଣ କରନ୍ତି। କିନ୍ତୁ ଏଥର ସେ ଏହି ପରମ୍ପରା ପାଳନ କରିନାହାନ୍ତି। ଯଦି ସରକାର ଓ ପ୍ରଶାସନ ମହାନ ସ୍ରଷ୍ଟାଙ୍କ ସ୍ମୃତିକୁ ସଂରକ୍ଷଣ କରିବାରେ ଅସମର୍ଥ, ତେବେ ସେସବୁ ସାମଗ୍ରୀ ଟିଣବାକ୍ସ ଭିତରେ ରହିବା ଭଲ ବୋଲି ସେ କ୍ଷୋଭର ସହ କହିଛନ୍ତି।

୧୮୮୨ ମସିହା କୁମାର ପୂର୍ଣ୍ଣିମାରେ ଜନ୍ମଗ୍ରହଣ କରିଥିବା ବୈଷ୍ଣବ ପାଣି ନିଜର ପ୍ରତିଭା, ସୃଜନଶୀଳତା ଓ ଲୋକଜୀବନ ସହ ଗଭୀର ସମ୍ପର୍କ ଯୋଗୁଁ ଓଡ଼ିଆ ନାଟ୍ୟ ସାହିତ୍ୟରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ। ଆର୍ଥିକ ଅନଟନ ମଧ୍ୟରେ ବଢ଼ିଥିଲେ ମଧ୍ୟ ସେ ନିଜ ସାହିତ୍ୟ ସାଧନା ଜାରି ରଖିଥିଲେ। ୧୯୦୩ ମସିହାରେ ‘ମେଘନାଦ ବଧ’ ଗୀତିନାଟ୍ୟ ରଚନାରୁ ତାଙ୍କ ନାଟ୍ୟଯାତ୍ରା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ଶତାଧିକ ଗୀତିନାଟ୍ୟ ରଚନା କରି ଓଡ଼ିଆ ନାଟ୍ୟ ସାହିତ୍ୟକୁ ସମୃଦ୍ଧ କରିଥିଲେ।
ଗଣକବିଙ୍କ ରଚନାରେ କେବଳ ପୌରାଣିକ କାହାଣୀ ନଥିଲା; ଏହା ମାଧ୍ୟମରେ ସେ ସମାଜର ବାସ୍ତବ ଚିତ୍ର ଉପସ୍ଥାପନ କରୁଥିଲେ। ଜାତିଭେଦ, କୁସଂସ୍କାର, ନାରୀଙ୍କ ସାମାଜିକ ସ୍ଥିତି ଓ ମାନବିକତା ଭଳି ବିଷୟକୁ ନିଜ ନାଟକରେ ସ୍ଥାନ ଦେଇଥିଲେ। ସରଳ ଲୋକପ୍ରଚଳିତ ଭାଷା, ଆକର୍ଷଣୀୟ ସଂଳାପ ଓ ସଙ୍ଗୀତର ସମନ୍ୱୟ ତାଙ୍କ ଗୀତିନାଟ୍ୟକୁ ଲୋକପ୍ରିୟ କରିଥିଲା। ତାଙ୍କ ସୃଜନଶୀଳତା ଓ ସାମାଜିକ ଚେତନା ତାଙ୍କୁ ଓଡ଼ିଆ ସାଂସ୍କୃତିକ ଜଗତରେ ଅମର କରି ରଖିଛି। ୧୯୫୬ ମେ ୧୦ ତାରିଖରେ ତାଙ୍କର ପରଲୋକ ହୋଇଥିଲା।

ଗଣକବିଙ୍କ ଜୟନ୍ତୀରେ କୋଠପଦା ଗ୍ରାମକୁ ବହୁ ବ୍ୟକ୍ତି ଆସି ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି। କିନ୍ତୁ ତାଙ୍କର ସାହିତ୍ୟକୃତି ଓ ବ୍ୟବହୃତ ସାମଗ୍ରୀର ସଂରକ୍ଷଣ ପାଇଁ ଆବଶ୍ୟକ ସ୍ଥାୟୀ ପଦକ୍ଷେପ ଅଭାବ ତାଙ୍କ ପ୍ରତି ରହିଥିବା ସମ୍ମାନ ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। ତାଙ୍କ ସ୍ମୃତି ବହନ କରୁଥିବା ସାମଗ୍ରୀ ମଧ୍ୟରେ ଚଷମା, ପାଣ୍ଡୁଲିପି, ଦୁଆତ, କଲମ, କଇଁଚି, ମାଳି, ହୁଇସିଲ୍ ଓ ରୁଦ୍ରାକ୍ଷ ମାଳ ଆଦି ରହିଛି। ଏହି ଅମୂଲ୍ୟ ସାମଗ୍ରୀଗୁଡ଼ିକ ଏବେ ମଧ୍ୟ ପରିବାର ପକ୍ଷରୁ ସାଇତି ରଖାଯାଇଛି। ତେବେ ଏଗୁଡ଼ିକୁ ସୁରକ୍ଷିତ ଭାବେ ସଂରକ୍ଷଣ କରିବା ଏବଂ ଆଗାମୀ ପିଢ଼ି ପାଇଁ ଉପଲବ୍ଧ କରାଇବା ଜରୁରୀ ବୋଲି ଗଣକବିଙ୍କ ପ୍ରଶଂସକମାନେ ମତ ଦେଇଛନ୍ତି।
କେବଳ ସ୍ମୃତି ସଂରକ୍ଷଣ ନୁହେଁ, ଗଣକବିଙ୍କ ଜନ୍ମମାଟି କୋଠପଦାକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ପ୍ରସଙ୍ଗ ମଧ୍ୟ ଏବେ ସୁଦ୍ଧା ସମାଧାନ ହୋଇନାହିଁ। ପୂର୍ବତନ ଜିଲ୍ଲାପାଳ ଗିରିଶ ଏସ୍.ଏନ୍.ଙ୍କ କାର୍ଯ୍ୟକାଳରେ ଗଣକବିଙ୍କ ସ୍ମୃତିର ସୁରକ୍ଷା ପାଇଁ କିଛି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ପ୍ରାୟ ଦୁଇ ବର୍ଷ ପୂର୍ବେ ବିଧାୟକ ଶାରଦା ପ୍ରସାଦ ପ୍ରଧାନଙ୍କ ଉଦ୍ୟମରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ ମଧ୍ୟ ହୋଇଥିଲା। କିନ୍ତୁ ଏହି ପ୍ରକଳ୍ପର ବର୍ତ୍ତମାନ ସ୍ଥିତି କ’ଣ, ତାହା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସ୍ପଷ୍ଟତା ନାହିଁ।
ଏ ସମ୍ପର୍କରେ ବିଧାୟକ ଶାରଦା ପ୍ରସାଦ ପ୍ରଧାନ କହିଛନ୍ତି ଯେ ମାହାଙ୍ଗାବାସୀଙ୍କ ଇଚ୍ଛା ଥିଲା ଗଣକବିଙ୍କ ସଂଗ୍ରହାଳୟ ତାଙ୍କ ନିଜସ୍ୱ ଜମିରେ ପ୍ରତିଷ୍ଠା କରାଯାଉ। କିନ୍ତୁ ଜମିର ରେକର୍ଡ ଏବେ ମଧ୍ୟ ପରିବାର ସଦସ୍ୟଙ୍କ ନାମରେ ଥିବାରୁ ସରକାରୀ ଅର୍ଥ ବିନିଯୋଗ କରିବାରେ ସମସ୍ୟା ଦେଖାଦେଇଛି। ଏନେଇ ଜୟନ୍ତୀ ଅବସରରେ ପରିବାର ସହ ଆଲୋଚନା ହୋଇଛି ଏବଂ ଖୁବ୍ଶୀଘ୍ର ଏହି ପ୍ରସଙ୍ଗରେ ସ୍ପଷ୍ଟତା ଆସିବା ସହ ସଂଗ୍ରହାଳୟ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଗଣକବି ବୈଷ୍ଣବ ପାଣିଙ୍କ ସାହିତ୍ୟ ଓ ସାମାଜିକ ଚେତନା ଓଡ଼ିଆ ଜାତିର ଅମୂଲ୍ୟ ସମ୍ପଦ। ତେଣୁ ତାଙ୍କ ସ୍ମୃତିକୁ ଏକ ପୁରୁଣା ଟିଣବାକ୍ସ ମଧ୍ୟରେ ସୀମିତ ନରଖି ଏକ ସଂଗ୍ରହାଳୟ ମାଧ୍ୟମରେ ସୁରକ୍ଷିତ କରିବା ସହ ତାଙ୍କ ଜୀବନ, ସାହିତ୍ୟ ଓ ସାମାଜିକ ଅବଦାନକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବା ଦାବି ଜୋର ଧରିଛି।

Comments (0)
Add Comment