ଯାଜପୁର,୧୪/୦୪(ପିପିଟି ):ବହୁ ପ୍ରସିଦ୍ଧ ସିଂହାପୁର ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ସିଂହାପୁର ଠାରେ ବର୍ଷ ସାରା ଜଳ ଶୟନରେ ଥିବା ନାରାୟଣ ଗୋସାଇଁ ଜଳରୁ ବାହାରି ପାଞ୍ଚ ଦିନ ଧରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବେ। ମଧୁପୁରଗଡ଼ ରାଜ ପରିବାରର ଆରାଧ୍ୟ ପ୍ରଭୁ ନାରାୟଣ ଗୋସାଇଁଙ୍କ ଏହି ପ୍ରସିଦ୍ଧ ଯାତ୍ରା ପୂର୍ବରୁ ତିନି ଦିନ ପାଇଁ ହେଉଥିବା ବେଳେ ଚଳିତ ଥର ପ୍ରସାଶନ ଜନ ଶୁଣାଣି କରି ପାଞ୍ଚ ଦିନ ପାଇଁ ଅନୁମତି ପ୍ରଦାନ କରିଛି। ପ୍ରାତଃ ସମୟରେ ମଧୁତୀର୍ଥ ପୁଷ୍କରିଣୀରୁ ମଧୁପୁରଗଡ଼ ରାଣୀ ଅପର୍ଣ୍ଣା ଧୀର ସିଂ ଓ ସିଙ୍ଗାପୁର ଯାତ୍ରା କମିଟି କାର୍ଯ୍ୟକାରୀ ସଭାପତି ଭୀଷ୍ମ ପ୍ରସାଦ ରଥଙ୍କ ଉପସ୍ଥିତିରେ ପୂର୍ଣ୍ଣ ରୀତିନୀତି ଅନୁଯାୟୀ ଜଳ ଶୟନରେ ଥିବା ମହାପ୍ରଭୁଙ୍କୁ ମନ୍ଦିର ଭିତରକୁ ନିଆଯାଇଥିଲା।
ପ୍ରଭୁ ନାରାୟଣ ଗୋସାଇଁଙ୍କୁ ପାଛୋଟି ନେବାକୁ ମନ୍ଦିରରେ ପୂଜା ପାଉଥିବା ମଦନ ମୋହନ ଜିଉ ଓ ରାଣୀ ଅପର୍ଣ୍ଣା ଭବ୍ୟ ସମାରୋହରେ ପୁଷ୍ପରିଣୀ କୂଳକୁ ଆସିଥିଲେ। ମଧୁପୁର ରାଣୀ ଓ ରାଜ ପୁରୋହିତ ମାନେ ଉପସ୍ଥିତ ରହି ମହାପ୍ରଭୁଙ୍କୁ ଲହୁଣୀ ଓ ପଇଡ଼ ପାଣିରେ ସ୍ନାନ କରାଇ ପୂଜାର୍ଚ୍ଚନା କରି କରିଥିଲେ। ନାରାୟଣ ଗୋସାଇଁ ବର୍ଷ ସାରା ୩୬୨ ଦିନ ମନ୍ଦିର ନିକଟସ୍ଥ ମଧୁତୀର୍ଥ ପୁଷ୍କରିଣୀ ମଧ୍ୟରେ ଜଳ ଶୟନ କରିଥାନ୍ତି। ଆଜିର ଦିନ ମହାବିଷୁବ ସଂକ୍ରାନ୍ତି ଦିନରୁ ୩ ଦିନ ପାଇଁ ମନ୍ଦିରକୁ ଆସି ଦର୍ଶନ ଦେଇଥାନ୍ତି। ଚତୁର୍ଥ ଦିନ ପ୍ରାତଃ କାଳରେ ମହାପ୍ରଭୁଙ୍କ ଗମନ କରନ୍ତି। ଘଣ୍ଟ ଘଣ୍ଟା ସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମରେ ଉତ୍ସବ ମୁଖର ହୋଇ ପଡେ ସିଙ୍ଗାପୁର ପବିତ୍ର ଭୂମି। ୩ ଦିନରେ ମହାପ୍ରଭୁ ୧୩ ପ୍ରକାରର ବେଶରେ ଦର୍ଶନ ଦିଅନ୍ତି। ଆଜି ସୂର୍ଯ୍ୟ ନାରାୟଣ, ମଦନ ମୋହନ, ମୀନ, କଚ୍ଛପ ଓ ବରାହ ବେଶ ଅନୁଷ୍ଠିତ ହୋଇଛି। ନିଆରା ଏହି ଯାତ୍ରା ଦେଖିବାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି। ସିଂହାପୁର ଯାତ୍ରା କମିଟି ସଭାପତି ତଥା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, କାର୍ଯ୍ୟକାରୀ ସଭାପତି ଭୀଷ୍ମପ୍ରସାଦ ରଥ, ମଧୁପୁରଗଡ଼ ରାଜଜେମା ଅପର୍ଣ୍ଣା ଧୀର ସିଂ ଭରଦ୍ୱାଜ ସମେତ ସିଂହାପୁର, ଓଡ଼ିଶା , କଲଣ ଓ ବାରବାଟୀ ଆଦି ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। କୁଆଖିଆ ଓ ଧର୍ମଶାଳା ପୁଲିସ, ଅଗ୍ନିଶମ ବାହିନୀ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ସିଂହାପୁର ଯାତ୍ରା ୩ ଦିନ ପରିବର୍ତ୍ତେ ୫ ଦିନ ଧରି ଚାଲିବାକୁ ଥିବାରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଜଣେ ପ୍ରଶାସନିକ ଅଧିକାରୀଙ୍କ ସମେତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଜଣେ ଡିଏସପି, ୨ ଜଣ ଥାନା ଅଧିକାରୀଙ୍କ ସମେତ ୫ ସେକ୍ସନ ପୁଲିସ ମୁତୟନ କରଯାଇଛି।