ମାଲକାନଗିରି,୨୩/୪(ପିପିଟି ):ଆଜି ସକାଳେ ମୋଟୁ ରେଞ୍ଜ, ଅନ୍ତର୍ଗତ ଓଡ଼ିଶା–ଆନ୍ଧ୍ରପ୍ରଦେଶ ସୀମା ନିକଟରେ ଏକ ବୃହତ ବନ୍ୟଜନ୍ତୁ ଚୋରାଚାଲାନ କାର୍ଯ୍ୟକଳାପକୁ ବନ ବିଭାଗ ପକ୍ଷରୁ ଧରାପକଡ଼ କରାଯାଇଛି। ନିର୍ଭରଯୋଗ୍ୟ ସୂଚନା ଆଧାରରେ ବନ କର୍ମଚାରୀମାନେ ଏକ ମହିନ୍ଦ୍ରା ବୋଲେରୋ ପିକଅପ୍ ଯାନକୁ ଅଟକାଇ ୭୬୧ଟି ଇଣ୍ଡିଆନ୍ ଫ୍ଲାପ୍-ଶେଲ୍ କଇଁଛକୁ ଜବତ କରିଥିଲେ, ଯାହାକି ଅବୈଧ ଭାବେ ବୋରି ଓ ପ୍ଲାଷ୍ଟିକ ଟ୍ରେରେ ପରିବହନ କରାଯାଉଥିଲା।
ଘଟଣାସ୍ଥଳରୁ ଗୁରୁ କୁମାର ସ୍ବାମୀ (୪୩), ପଶ୍ଚିମ ଗୋଦାବରୀ ଜିଲ୍ଲା ନିବାସୀଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଏବଂ ବର୍ତ୍ତମାନ ସେ ପଳାତକ ଅଛନ୍ତି।
ଏହି ଅଭିଯାନ ସମୟରେ ବ୍ୟବହୃତ ଯାନ, କଇଁଛ, ଏକ ମୋବାଇଲ୍ ଫୋନ୍ ସହ ଅନ୍ୟାନ୍ୟ ଅପରାଧ ସମ୍ପର୍କିତ ସାମଗ୍ରୀ ଜବତ କରାଯାଇଛି।
ଏହି ଘଟଣାରେ ବନ୍ୟଜନ୍ତୁ (ସୁରକ୍ଷା) ଅଧିନିୟମ, ୧୯୭୨ ର ସମ୍ପର୍କିତ ଧାରା ଅନୁଯାୟୀ ଏକ ବନ୍ୟଜନ୍ତୁ ଅପରାଧ ମାମଲା ରୁଜୁ କରାଯାଇଛି ଏବଂ ଗିରଫ ଅଭିଯୁକ୍ତଙ୍କୁ ପରବର୍ତ୍ତୀ ଆଇନଗତ ପଦକ୍ଷେପ ପାଇଁ ମୋଟୁ ଜେଏସ୍ ଏଫସି ଅଦାଲତରେ ଉପସ୍ଥାପନ କରାଯାଇଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)